Home Top News ବିଶ୍ୱର ସର୍ବ ବୃହତ ରଥ, କେନ୍ଦୁଝରରେ ରଥଯାତ୍ରା କରିବା ଦାବୀରେ ହାଇକୋଟକୁ ଗଲା ମାମଲା :...

ବିଶ୍ୱର ସର୍ବ ବୃହତ ରଥ, କେନ୍ଦୁଝରରେ ରଥଯାତ୍ରା କରିବା ଦାବୀରେ ହାଇକୋଟକୁ ଗଲା ମାମଲା : ରଥଯାତ୍ରା ବନ୍ଦ ବିରୁଦ୍ଧରେ ମହିଳା ଓ ପୁରୁଷ ଭକ୍ତଙ୍କର ମନ୍ଦିର ସମ୍ମୁଖରେ ଧାରଣା ସହ ଦୀପ ଓ ଧୂପ ଦାନ

294

କେନ୍ଦୁଝର, ୨୨ ଜୁନ ୨୧ (ଓଡ଼ିଆ ପୁଅ) ବିଶ୍ୱର ସର୍ବ ବୃହତ ରଥ, କେନ୍ଦୁଝର ରଥର ରଥ ଯାତ୍ରା ଆୟୋଜନ କରାଯିବା ଦାବୀରେ ହାଇକୋର୍ଟରେ ପହଁଚିଲା ମାମଲା। ରଥ ଯାତ୍ରା ବନ୍ଦ କରାଯିବା ପ୍ରତିବାଦରେ ଶହ ଶହ ମହିଳା ଓ ପୁରୁଷ ଭକ୍ତଙ୍କର କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବ ଜୀଉ ମନ୍ଦିର ସମ୍ମୁଖରେ ଧାରଣା ଏବଂ ସମୁହ ଦୀପ ଓ ଧୂପ ଦାନ।

ଚଳିତବର୍ଷର କରୋନାର ମହାମାରୀକୁ ଦୃଷ୍ଟିରେ ରଖି କୋଭିଡ ଗାଇଡ ଲାଇନର ଅନୁପାଳନ ପୂର୍ବକ କେବଳ ଶଙ୍ଖକ୍ଷେତ୍ର ପୁରୀର ପ୍ରସିଦ୍ଧ ରଥଯାତ୍ରା ବ୍ୟତୀତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାର ଆୟୋଜନ ଉପରେ ରାଜ୍ୟ ସରକାର ପକ୍ଷରୁ ରୋକ ଲଗାଯାଇଛି। କିନ୍ତୁ କରୋନା ମହାମାରୀ ପାଇଁ ଗତ ବର୍ଷ ବନ୍ଦ ଥିବା କେନ୍ଦୁଝରର ସର୍ବ ବୃହତ ରଥର ରଥଯାତ୍ରାକୁ ଚଳିତ ବର୍ଷ ପୁଣି ବନ୍ଦ କରାଯିବା ଘଟଣାକୁ ଶ୍ରଦ୍ଧାଳୁମାନେ ସହଜରେ ଗ୍ରହଣ କରିବାକୁ ରାଜି ନୁହଁନ୍ତି। କେନ୍ଦୁଝରର ରଥ ଏକମାତ୍ର ରଥ ଯେ କି ବିଶ୍ୱର ସର୍ବ ବୃହତ ରଥ ଭାବେ ମାନ୍ୟତା ପାଇଛି। ବିଶ୍ୱର ଏହି ସର୍ବ ବୃହତ ରଥକୁ ପୁରୀ ଭଳି କୋଭିଡ ନିୟମ ମଧ୍ୟରେ ଭିତରେ ବିନା ଭକ୍ତରେ ଆୟୋଜନ କରିବା ଲାଗି ଦାବୀ ଏଠାରେ ଜୋର ଧରିଛି। ବିଶ୍ୱ ସର୍ବ ବୃହତ ଏହି ରଥର ରଥଯାତ୍ରା ଆୟୋଜନ କରିବା ଲାଗି ଅନୁମତି ଦାବୀରେ ମାନ୍ୟବର ହାଇକୋର୍ଟଙ୍କ ନିକଟରେ ଏକ ମାମଲା ଦାଖଲ ହୋଇଛି ଏବଂ ଆବଶ୍ୟକ ପଡିଲେ ସୁପ୍ରୀମକୋର୍ଟ ପର୍ଯ୍ୟନ୍ତ ମଧ୍ୟ ମାମାଲା ନିଆଯିବ ବୋଲି ମାମାଲା ଦାଖଲ କାରୀଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟ ପକ୍ଷରେ ରଥଯାତ୍ରା ବନ୍ଦ ପ୍ରତିବାଦରେ ପୁରୁଣା ସହର ଠାରେ ଥିବା ଶ୍ରୀ ଶ୍ରୀ ବଳଦେବ ଜୀଉଙ୍କ ମନ୍ଦିର ସମ୍ମୁଖରେ ଶହ ଶହ ପୁରୁଷ ଓ ମହିଳା ଭକ୍ତ ମାନେ ହାତରେ ପ୍ଲାକ କାର୍ଡ ଧରି ଏକାଠି ହୋଇଥିଲେ ଏବଂ ଘଣ୍ଟ ବଜାଇ ଠାକୁରଙ୍କୁ ସମୁହ ଦ୍ୱୀପ ଓ ଧୂପ ପ୍ରଦାନ କରିବା ସହ କାନ୍ଦି କାନ୍ଦି ରଥଯାତ୍ରାର ଆୟୋଜନ ଲାଗି ଠାକୁରଙ୍କୁ ଆକୁଳ ନିବେଦନ କରିଥିଲେ। ଏହାପରେ ସମସ୍ତ ଭକ୍ତ ମାନେ ମାଉସୀ ମା ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ମଧ୍ୟ ଅନୁରୁପ ଦୀପ ଓ ଧୂପ ପ୍ରଜ୍ଜ୍ୱଳନ କରିଥିଲେ। ପୁରୁଣା ସହରର ପହଣ୍ଡିଆ ସେବକ ଅନ୍ତର୍ଯ୍ୟାମୀ ପତି, ପ୍ରିୟପଦ ମିଶ୍ର ଓ ସୋମନାଥ ସେଠୀଙ୍କ ତରଫରୁ ଏହି ମାମଲା ଦାଏର କରାଯାଇଛି। ଚାରିଶହବର୍ଷ ତଳର ଏହି ଶ୍ରୀ ବଳଦେବଜୀଉ ମନ୍ଦିରରେ ସୀମିତ ଭକ୍ତଙ୍କୁ ନେଇ ରଥଯାତ୍ରା କରାଯାଉ ବୋଲି ଆବେଦନରେ ଦର୍ଶାଯାଇଛି। ଓଡିଶା ହାଇକୋର୍ଟର ଆଇନଜିବୀ ପଦ୍ମାଳୟା ମହାପାତ୍ରଙ୍କ ମାଧ୍ୟମରେ ଏହି ଆବେଦନ କରାଯାଇଛି। ତେବେ ଏହାକୁ ନେଇ ପ୍ରଥମେ ଗତ ଶନିବାର ଦିନ ଏକ ବୈଠକ ସିଦ୍ଧମଠ ଠାରେ ଅନୁଷ୍ଟିତ ହୋଇଥିଲା। କେନ୍ଦୁଝର ବଡଦାଣ୍ଡରେ ଷୋଡଶ ଶତାଦ୍ଦୀରେ କେନ୍ଦୁଝର ମହାରାଜା ଶ୍ରୀ ଲକ୍ଷ୍ମୀନାରାୟଣ ଭଞ୍ଜଦେଓଙ୍କ ଦ୍ୱାରା ନିର୍ମିତ ଏହି ଶ୍ରୀ ବଳଦେବଜୀଉ ମନ୍ଦିରର ରଥଯାତ୍ରାର ପରମ୍ପରାକୁ ବଜାୟ ରଖିବା ପାଇଁ ଦାବୀ ଉପସ୍ଥାପନ ସହିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଶ୍ରୀଜୀଉମାନେ ରଥାରୁଢ ହୋଇ ଯିବା ପାଇଁ ଦାବୀ କରାଯାଇଆସୁଛି। ବିଶ୍ୱର ସୁଉଚ୍ଚ ରଥର ମାନ୍ୟତା ପାଇଥିବା କେନ୍ଦୁଝରର ଏକକ ରଥର ଅନେକ ବୈଶିଷ୍ଟ୍ୟ ଥିବା ବେଳେ ରାଜ୍ୟ ସରକାର ଏହି ବିଷୟ ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି। କେନ୍ଦୁଝର ସହରରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାବେଳେ କଟକଣା ମଧ୍ୟରେ କେବଳ ରଥ ଟାଣିବା ପାଇଁ ଖୁବ କମ ସଂଖ୍ୟକ ସେବାୟତ, ପହଣ୍ଡିଆ ସେବକ, ସ୍ଥାନୀୟ ଜନସାଧାରଣ ଯେଉଁମାନେ କି ସେବା ପ୍ରଦାନ କରିପାରିବେ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରି ଏହି ରଥଯାତ୍ରା ପାଳନ କରିବା ପାଇଁ ନିବେଦନ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.