ଭୁବନେଶ୍ୱର;୧୧,୦୩,୨୦୧୮(ଦେବଦତ୍ତ ରଥ):ବିଶ୍ୱର ସର୍ବ ବୃହତ ସାମାଜିକ ସଙ୍ଗଠନ କୁହାଯାଉଥିବା ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ଦିନକୁ ଦିନ ତାର କାୟା ବିସ୍ତାର କରିଚାଲିଛି।ଗତ ୭ ବର୍ଷ ମଧ୍ୟରେ ସଂଘ ଶାଖା ସଂଖ୍ୟାରେ ୪୭% ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି।ନାଗପୁର ଠାରେ ଚାଲିଥିବା ଅଖିଳ ଭାରତୀୟ ପ୍ରତିନିଧି ସଭାରେ ଏହି ରିପୋର୍ଟ ପ୍ରକାଶ ପାଇଛି।ସୂଚନା ଯୋଗ୍ୟ ଯେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବିଭିର୍ଣ୍ଣ କାର୍ଯ୍ୟ ତଥା ବିବିଧ କ୍ଷେତ୍ର ରହିଥିଲେ ମଧ୍ୟ ଦୈନିକ ଶାଖା ହିଁ ତାର ମୂଳ ଶକ୍ତି ହୋଇଥାଏ।
ଅଖିଳ ଭାରତୀୟ ପ୍ରତିନିଧି ସଭା ଆରଏସଏସ ର ମୁଖ୍ୟ ନୀତି ନିର୍ଦ୍ଧାରଣ ସଂସ୍ଥା ହୋଇଥାଏ।ଏବଂ ଏହାର ଅଧିବେଶନ ୩ ବର୍ଷରେ ଥରେ ହୋଇଥାଏ।ଚଳିତ ବର୍ଷ ନାଗପୁର ସ୍ଥିତ ସଙ୍ଘ ମୁଖ୍ୟାଳୟ କେଶବକୁଞ୍ଜରେ ଏହି ଅଧିବେଶନ ଆୟୋଜିତ ହୋଇଛି।ଏଥିରେ କେନ୍ଦ୍ରୀୟ ଅଧିକାରୀଙ୍କ ସମେତ ବିଭିର୍ଣ୍ଣ ରାଜ୍ୟ,ପ୍ରାନ୍ତ ତଥା କ୍ଷେତ୍ରୀୟ ଅଧିକାରୀମାନେ ଯୋଗ ଦେଇ ଥାଆନ୍ତି।ଏଠାରେ ନିର୍ବାଚନ ହେବା ସମେତ ପୂର୍ବ କାର୍ଯ୍ୟର ସମୀକ୍ଷା ଏବଂ ଆଗାମୀ କାର୍ଯ୍ୟପନ୍ଥା ଗୃହୀତ ହୋଇଥାଏ।
ପ୍ରମୁଖ ଘଟଣା ଭାବରେ ସର-କାର୍ଯ୍ୟବାହ(ସଙ୍ଗଠନ ରାଷ୍ଟ୍ରୀୟ ମହାସଚିବ)ଭାବରେ ଭାୟାଯୀ ଯୋଶୀ ୪ର୍ଥ ଥର ପାଇଁ ପୁନଃ ମନୋନୀତ ହୋଇଛନ୍ତି।ଭାୟାଯୀ ଯୋଶୀ କ୍ରମାଗତ ଭାବରେ ୨୦୦୯ ମସିହାରୁ ସରକାର୍ଯ୍ୟବାହ ଦାୟିତ୍ୱ ତୁଲାଇ ଆସୁଛନ୍ତି।ଭାୟାଯୀ ନିଜେ ଆଉ ଦାୟିତ୍ୱରେ ରହିବା ସପକ୍ଷରେ ନଥିଲେ।ତେଣୁ ଏହି ଦାୟିତ୍ୱ ପାଇଁ ସହ-ସରକାର୍ଯ୍ୟବାହ ଦତ୍ରାତ୍ରେୟ ହୋସବୋଲେ ଏବଂ କୃଷ୍ଣ ଗୋପାଳଙ୍କ ନାମ ଆଲୋଚନା ହେଉଥିଲା।କିନ୍ତୁ ପ୍ରତିନିଧି ମାନେ ଭାୟାଯୀ ଯୋଶୀଙ୍କୁ ପୁନଃ ନିର୍ବାଚିତ କରାଇଥିଲେ।୨୦୨୧ ପର୍ଯ୍ୟନ୍ତ ଏବେ ସେ ଏହି କାର୍ଯ୍ୟଭାର ତୁଲାଇବେ।
ପ୍ରତିନିଧି ସଭାରେ ଅନେକ ପ୍ରସ୍ତାବ ଗୃହୀତ ହୋଇଥିଲା।ଏଥିରେ ପ୍ରମୁଖ ଭାବରେ ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ ଦିଆଯାଇଥିଲା।କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଥିବା ଅନେକ ଆଞ୍ଚଳିକ ଭାରତୀୟ ଭାଷାର ବିଲୁପ୍ତ ଘଟୁଥିବା ନେଇ ଅଧିବେଶନରେ ଉଦବେଗ ପ୍ରକାଶ ପାଇଥିଲା।ଏବଂ ଏହି ସବୁ ଆଞ୍ଚଳିକ ଭାଷାର ସଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରିବା ନିମନ୍ତେ ଗୁରୁତ୍ୱ ଆରୋପ କରାଯାଇଥିଲା।ନିଟ ପରି ସଂସ୍ଥା ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା ଆଞ୍ଚଳିକ ଭାଷାରେ କରାଯିବା ସରକାରୀ ପ୍ରୟାସକୁ ପ୍ରଶଂସା କରାଯିବା ସହ ପ୍ରାଥମିକ ଶିକ୍ଷାରେ ମାତୃଭାଷା ବା ଆଞ୍ଚଳିକ ଭାଷା ଉପରେ ଗୁରୁତ୍ୱ ସମେତ ଅନ୍ୟାନ୍ୟ ଟେକ୍ନିକାଲ ତଥା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥା ଏବଂ ବିଭିର୍ଣ୍ଣ ଉଚ୍ଚ ଶିକ୍ଷା ପାଠ୍ୟକ୍ରମ ଏବଂ ପ୍ରବେଶିକା ପରୀକ୍ଷା ଆଞ୍ଚଳିକ ଭାଷାରେ କରାଯିବାକୁ ଆଗ୍ରହ କରାଯାଇଥିଲା।ଏହା ସହ ବିଭିର୍ଣ୍ଣ ସରକାରୀ ତଥା ନ୍ୟାୟିକ ପ୍ରକ୍ରିୟା ଆଞ୍ଚଳିକ ଭାଷାରେ ତ୍ୱରାନ୍ୱିତ କରାଯିବାକୁ ଆହ୍ୱାନ କରାଯାଇଥିଲା।
ବିଶ୍ୱର ସର୍ବ ବୃହତ ସାମାଜିକ ସଙ୍ଗଠନ କୁହା ଯାଉଥିବା ୧୯୨୫ରୁ ଆରମ୍ଭ ସଂଘ ଶାଖାରେ ଗତ ୭ ବର୍ଷ ମଧ୍ୟରେ ୪୭% ଅଭିବୃଦ୍ଧି ଘଟିଥିବା ପ୍ରତିନିଧି ସଭାରୁ ଜଣାପଡ଼ିଛି।ଏହା କିଛି କମ ବଡ଼ ଉପଲବ୍ଧି ନୁହଁ। ୨୦୧୧ ମସିହାରେ ଶାଖା ସଂଖ୍ୟା ୩୯୯୦୮ ଥିବା ବେଳେ ୨୦୧୮ରେ ତାହା ୫୮୯୬୭ରେ ପହଁଚିଛି।ଅର୍ଥାତ ୭ ବର୍ଷ ମଧ୍ୟରେ ୪୭% ଅଭିବୃଦ୍ଧି ଘଟିଛି।ରିପୋର୍ଟ ଅନୁଯାୟୀ ୨୦୧୧ରେ ୩୯୯୦୮ ଶାଖା ଥିବା ବେଳେ ୨୦୧୨ରେ ୨.୪୬% ଅଭିବୃଦ୍ଧି ଘଟି ୪୦୮୯୧ ଶାଖା,୨୦୧୩ରେ ୫.୧୦% ବଢି ୪୨୯୮୧,୨୦୧୪ରେ ୪.୬୬% ବଢି ୪୪୯୮୨,୨୦୧୫ରେ ୧୪.୧୧% ବଢି ୫୧୩୩୦,୨୦୧୬ରେ ୧୦.୨୧% ବଢି ୫୬୫୬୯,୨୦୧୭ରେ ୧.୦୫% ବଢି ୫୭୧୬୫,ଏବଂ ୨୦୧୮ରେ ୩.୧୫% ବଢି ୫୮୯୬୭ରେ ପହଁଚି ପାରିଛି।
ସଙ୍ଘ ଶାଖା ହିଁ ସଙ୍ଘର ମୂଳ ପୁଞ୍ଜି ହୋଇଥାଏ।ଅଖିଳ ଭାରତୀୟ ପ୍ରତିନିଧି ସଭା ସଙ୍ଘର ମୁଖ୍ୟ ନୀତି ନିର୍ଦ୍ଧାରଣ ସଂସ୍ଥା ହୋଇଥାଏ।ପ୍ରତିନିଧି ସଭାରେ ବାହାରିଥିବା ନିର୍ଯ୍ୟାସ ସ୍ୱୟଂ ସେବକମାନେ କାର୍ଯ୍ୟକାରୀ କରି ଥାଆନ୍ତି।ଏବେ ଦେଶର ରାଷ୍ଟ୍ରପତି,ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ତଥା ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଜି ଜଣେ ଜଣେ ସ୍ୱୟଂ ସେବକ।ତେଣୁ ପ୍ରତିନିଧି ସଭାରେ ଗୃହୀତ ପ୍ରସ୍ତାବ ଦେଶରେ ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବହନ କରୁଛି।