Home ଓଡ଼ିଶା ବିଶ୍ୱର ସର୍ବବୃହତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ନିଷ୍ଠା’ ର ଶୁଭାରମ୍ଭ : ଦେଶବ୍ୟାପୀ ୪୨ ଲକ୍ଷ...

ବିଶ୍ୱର ସର୍ବବୃହତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ନିଷ୍ଠା’ ର ଶୁଭାରମ୍ଭ : ଦେଶବ୍ୟାପୀ ୪୨ ଲକ୍ଷ ସରକାରୀ ଶିକ୍ଷକଙ୍କୁ ଦିଆଯିବ ଦକ୍ଷତା ବିକାଶ ତାଲିମ

324

ନୂଆ ଦିଲ୍ଲୀ ୨୨-୮ (ଓଡ଼ିଆ ପୁଅ) ପ୍ରାଥମିକ ଶିକ୍ଷାର ଉନ୍ନତି ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ନିଶଙ୍କ “ନିଷ୍ଠା- ନ୍ୟାସନାଲ ଇନିସିଏଟିଭ ଫର ସ୍କୁଲ ହେଡ୍ସ ଆଣ୍ଡ ଟିଚର୍ସ ହୋଲିଷ୍ଟିକ ଆଡଭାନ୍ସମେଂଟ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ୱେବସାଇଟ, ତାଲିମ ମଡ୍ୟୁଲ, ପ୍ରଥମ ପୁସ୍ତକ ଏବଂ ଏକ ମୋବାଇଲ ଆପ ମଧ୍ୟ ମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା।

ଏହି ଅବସରରେ ମାନବ ସମ୍ବଳ ମନ୍ତ୍ରୀ କହିଥିଲେ ଯେ ନିଷ୍ଠା ନିଜସ୍ୱ ଶ୍ରେଣୀରେ ବିଶ୍ୱର ସର୍ବବୃହତ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ସମ୍ପର୍କରେ ମନ୍ତ୍ରୀ ବିସ୍ତୃତ ବିବରଣୀ ଦେଇ କହିଥିଲେ, ନିଷ୍ଠା ଭଳି ଏକ ବ୍ୟାପକ କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚିନ୍ତାଧାରା ବିକଶିତ କରାଯିବ। ଏଥିପାଇଁ ସେମାନଙ୍କୁ ପ୍ରୋତ୍ସାହିତ ତଥା ଶିକ୍ଷିତ କରିବା ନିମନ୍ତେ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ। ଶିକ୍ଷାଦାନ ଫଳାଫଳ ସଂକ୍ରାନ୍ତ ବିଭିନ୍ନ ଦିଗ ସମ୍ପର୍କରେ ଶିକ୍ଷକମାନେ ସଚେତନ ହେବା ସହିତ ସେମାନଙ୍କ ଦକ୍ଷତା ବିକାଶ କରିପାରିବେ। ପ୍ରତିଦ୍ୱନ୍ଦ୍ୱିତା ମୂଳକ ଶିକ୍ଷା ଏବଂ ପରୀକ୍ଷା, ବିଦ୍ୟାର୍ଥୀ କୈନ୍ଦ୍ରିକ ଶିକ୍ଷାଦାନ, ବିଦ୍ୟାଳୟର ସୁରକ୍ଷା ଏବଂ ନିରାପତା, ବ୍ୟକ୍ତିଗତ-ସାମାଜିକ ଗୁଣ, ସମାବେଶୀ ଶିକ୍ଷା, ଶିକ୍ଷାଦାନ-ଶିକ୍ଷାଗ୍ରହଣରେ ଆର୍ଟିଫିସିଆଲ ଇଂଟେଲିଜେନ୍ସ ଭଳି ଆଇସିଟିର ଉପଯୋଗ, ଯୋଗ ସମେତ ସ୍ୱାସ୍ଥ୍ୟ ଓ କଲ୍ୟାଣ ପ୍ରସଙ୍ଗ, ପାଠାଗାର, ଇକୋ କ୍ଲବ, ଯୁବ କ୍ଲବ, କିଚେନ ଗାର୍ଡେନ, ବିଦ୍ୟାଳୟ ନେତୃତ୍ୱ ଗୁଣ, ପରିବେଶ ପ୍ରସଙ୍ଗ, ପ୍ରାକ-ସ୍କୁଲ, ପ୍ରାକ-ଧନ୍ଦାମୂଳକ ଶିକ୍ଷା ଏବଂ ଏକ ସୁଖପ୍ରଦ ଶିକ୍ଷା ଢାଂଚାରେ ବିଦ୍ୟାଳୟ ଆଧାରିତ ଅନୁଧ୍ୟାନ ଆଦି ଦିଗକୁ ଏଥିରେ ସାମିଲ କରାଯାଇ ଶିକ୍ଷକମାନଙ୍କୁ ତାଲିମ ଦିଆଯିବ ବୋଲି ମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ ଶିକ୍ଷକମାନେ ହେଉଛନ୍ତି ରାଷ୍ଟ୍ରର ଶକ୍ତିକେନ୍ଦ୍ର, ତେଣୁ ସେମାନେ ଉଚ୍ଚମାନର ହେବା ଆବଶ୍ୟକ। ସେ ଆହୁରି କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନ ହେଉଛି ଆମ ଶିକ୍ଷକମାନେ ଏତେ ଉଚ୍ଚମାନର ହେବା ଆବଶ୍ୟକ ଯେ ସେମାନେ ବିଶ୍ୱସ୍ତରରେ ସମ୍ମାନର ସହ ନେତୃତ୍ୱ ନେଇପାରିବେ।

ମନ୍ତ୍ରୀ ଏହି ଅବସରରେ କହିଥିଲେ ଯେ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେଉଛି ସରକାରଙ୍କ ୧୦୦ ଦିନର କାର୍ଯ୍ୟକ୍ରମ ଅଧୀନରେ ନିଆଯାଇଥିବା ଦୁଇଟି ଯୁଗାନ୍ତକାରୀ ପଦକ୍ଷେପ ମଧ୍ୟରୁ ଗୋଟିଏ। ଏହି ସମନ୍ୱିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୪୨ ଲକ୍ଷ ଅଂଶଗ୍ରହଣକାରୀ ତାଲିମ ଗ୍ରହଣ କରିବେ। ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଏବଂ ପ୍ରଧାନ ଶିକ୍ଷକ, ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସସିଇଆରଟି), ଜିଲ୍ଲା ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ (ଡିଆଇଇଟି), ବିଆରସି, ସିଆରସିମାନେ ଏଥିରେ ଅଂଶଗ୍ରହଣ କରିବେ।

ଶ୍ରୀ ପୋଖରିଆଲ କହିଥିଲେ ଯେ ଏହା ଏପରି ଏକ କାର୍ଯ୍ୟକ୍ରମ ଯେଉଁଥିରେ ଏକ ଜାତୀୟସ୍ତରର ମାନକୀକୃତ ତାଲିମ ଢାଂଚା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକ ପାଇଁ ବିକଶିତ କରାଯାଇଛି। ତେବେ ‘ନିଷ୍ଠା’ର ମୂଳ ବିଷୟ ଏବଂ ଆଶାନୁରୂପ ଫଳାଫଳକୁ ଦୃଷ୍ଟିରେ ରଖି ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ନିଜସ୍ୱ ବିଷୟବସ୍ତୁ ଏବଂ ସମ୍ବଳ ବ୍ୟକ୍ତିତ୍ୱଙ୍କୁ ଉପଯୋଗ କରିପାରିବେ।

୩୩, ୧୨୦ ଜଣ ମୁଖ୍ୟ ସମ୍ବଳ ଅଧିକାରୀ, ରାଜ୍ୟ ସମ୍ବଳ ଅଧିକାରୀଙ୍କ ଦ୍ୱାରା ସିଧାସଳଖ ଏହି ତାଲିମ କାର୍ଯ୍ୟକ୍ରମ ସମ୍ପାଦନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସମ୍ବଳ ଅଧିକାରୀମାନଙ୍କୁ ଏନସିଇଆରଟି, ଏନଆଇପିଏ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସଇ ଏବଂ ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକରୁ ଚୟନ ହୋଇଥିବା ୧୨୦ ଜଣ ଜାତୀୟ ସମ୍ବଳ ଅଧିକାରୀ ତାଲିମ ଦେବେ।

ଏହା ଅନୁଧ୍ୟାନ କରାଯାଇଛି ଯେ ବର୍ତମାନ ସମୟରେ ଶିକ୍ଷକମାନଙ୍କ ଠାରୁ ଭିନ୍ନ କିଛି ଆଶା କରାଯାଉଛି। ଏଥିରେ ଅନେକ ନୂଆ ବିଶେଷତ୍ୱ ରହୁଛି। ଏବେ ଶିକ୍ଷକମାନେ ଲିଙ୍ଗ ଭେଦ ଆଇନ, ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଅଧିକାର ଆଇନ, ଶିଶୁ ଯୌନ ନିର୍ଯାତନା ନିରୋଧୀ (ପୋକ୍ସୋ) ଆଇନ ସମ୍ବନ୍ଧରେ ସଚେତନ ହେବାର ଆବଶ୍ୟକତା ରହିଛି। ତେଣୁ ଏହି ସମନ୍ୱିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ଶିକ୍ଷକମାନଙ୍କୁ ପ୍ରାଥମିକ ସ୍ତରର କାଉନସେଲର ବା ପରାମର୍ଶଦାତା ଭାବେ ତାଲିମ ଦେବା। ଯଦ୍ଦ୍ୱାରା ସେମାନେ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପ୍ରତି ସଚେତନ ଓ ଦାୟିତ୍ୱସମ୍ପନ୍ନ ହୋଇପାରିବେ। ଏଥିସହିତ ସେମାନଙ୍କୁ ସୁଖପୂର୍ଣ୍ଣ ଅଧ୍ୟୟନର ସୁବିଧା ଦେବା ସହିତ ଆବଶ୍ୟକତା ଅନୁଯାୟୀ ପିଲାର ସ୍ୱତନ୍ତ୍ର ଯତ୍ନ ନେଇପାରୁଥିବେ।

ଏହି ସମନ୍ୱିତ କାର୍ଯ୍ୟକ୍ରମରେ କ୍ରିୟାକଳାପ ଆଧାରିତ ଢାଂଚା ସାମିଲ କରାଯାଇଛି। ଯେପରିକି ଶିକ୍ଷଣୀୟ କ୍ରୀଡ଼ା ଏବଂ ପ୍ରଶ୍ନୋତର ପ୍ରତିଯୋଗିତା, ସାମାଜିକ-ଭାବନାତ୍ମକ ଅଧ୍ୟୟନ, ପ୍ରେରଣାଦାୟୀ ବାର୍ତ୍ତାଳାପ, ଦଳ ଗଠନ, ବିଦ୍ୟାଳୟ ଆଧାରିତ ଆକଳନ ପାଇଁ ପ୍ରସ୍ତୁତି, ନିରନ୍ତର ମତସଂଗ୍ରହ ବ୍ୟବସ୍ଥା, ଅନଲାଇନ ଅନୁଧ୍ୟାନ ଏବଂ ସହାୟତା ବ୍ୟବସ୍ଥା, ତାଲିମ ଆବଶ୍ୟକତା ଏବଂ ପ୍ରଭାବ ଅନୁଧ୍ୟାନ (ପ୍ରାକ ଓ ପରବର୍ତ୍ତୀ ପ୍ରଶିକ୍ଷଣ)କୁ ଏଥିରେ ସାମିଲ କରାଯାଇଛି।

ଶିକ୍ଷକମାନଙ୍କ ପେସାଗତ ବିକାଶ ଉପରେ ଗୁରୁତ୍ୱ ଦିଆଯାଇ ତାଲିମ ମଡ୍ୟୁଲ ବିକାଶ ଓ ଡିଜାଇନ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ, ସିବିଏସଇ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ବିଭିନ୍ନ ସ୍କୁଲର ଅଧ୍ୟକ୍ଷ, କୈବଲ୍ୟ ଫାଉଣ୍ଡେସନ, ଟାଟା ଟ୍ରଷ୍ଟ, ଅଜିମ ପ୍ରେମଜୀ ଫାଉଣ୍ଡେସନ ଏବଂ ଅରବିନ୍ଦ ସୋସାଇଟି ଭଳି ସ୍ୱେଚ୍ଛାସେବୀ ସଂସ୍ଥା ଠାରୁ ପରାମର୍ଶ ନିଆଯାଇ ନିଷ୍ଠା କାର୍ଯ୍ୟକ୍ରମ ପାଇଁ ପ୍ରଶିକ୍ଷଣ ଢାଂଚାକୁ ବିକଶିତ କରାଯାଇଛି।

ଏହି ବୃହତ ସାମର୍ଥ୍ୟ ନିର୍ମାଣ କାର୍ଯ୍ୟକ୍ରମକୁ ପ୍ରଯୁକ୍ତି ସହିତ ଯୋଡ଼ାଯାଇଛି। ଫଳରେ ଶିକ୍ଷକମାନଙ୍କ ସହାୟତା ଲାଗି ନିରନ୍ତର ସୁବିଧା ପ୍ରଦାନ, ଡିଜିଟାଲ ବିଷୟବସ୍ତୁର ଉପଲବ୍ଧତା ଏବଂ ପ୍ରଯୁକ୍ତି ଆଧାରିତ ଶିକ୍ଷା ପଦ୍ଧତି ସୁନିଶ୍ଚିତ ହୋଇପାରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.