ନୟାଗଡ଼, ୩୧ା୩ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନୟାଗଡ଼ରେ ନୂଆକରି ଗଠନ କରାଯାଇଥିବା ନାଟ୍ୟ ଅନୁଷ୍ଠାନ ମଂଚାୟନ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି। ମଂଚାୟନର ସଭାପତି ଡ.ବିଜୟ କୁମାର ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦିବସରେ ସୁସାହିତ୍ୟିକ ତଥା ଗବେଷକ ପ୍ରାଧ୍ୟାପକ ତ. ଭାରତ ଭୂଷଣ ରଥ ଯୋଗଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିବାବେଳେ ଅନୁଷ୍ଠାନର ଉପସଭାପତି ଜାମିନୀକାନ୍ତ ମିଶ୍ର, କୋଷାଧ୍ୟକ୍ଷ ପ୍ରଶାନ୍ତ ସାମନ୍ତରାୟ ଓ ସଂପାଦକ ସାହିତ୍ୟିକ ତଥା ନାଟ୍ୟକାର ଶରତ ଚନ୍ଦ୍ର ଆଚାର୍ଯ୍ୟ ନାଟକର ତାତ୍ପର୍ଯ୍ୟ ଓ ଆମେ ନାଟୁଆ ସମ୍ପର୍କରେ ଅଭିଭାଷଣ ରଖିଥିଲେ। ପ୍ରଥମ ପର୍ଯ୍ୟାୟରେ ସଂଗୀତ ନାଟକ ‘ମାତୃତ୍ୱର ବିକାଶ’ ଓ ରାଘବ ବିଳାସ ମଂଚସ୍ଥ ହୋଇଥିଲା। ସେହିପରି ମଂଚ ନାଟକ ନିର୍ଦ୍ଦେଶକ ପବିତ୍ର ମହାନ୍ତିଙ୍କ ଆମେ ନାଟୁଆ ସମ୍ପର୍କୀତ ଏକ ମନମୁଗ୍ଧକର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ନାଟ୍ୟକାର ରାମଚନ୍ଦ୍ର ମିଶ୍ର ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ନିକଟରେ ପୂଜାର୍ଚ୍ଚନା କରି ନୟାଗଡ଼ ମଂଚ ନାଟକ ଲେଖା ଯିବାର କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। କଥାକାର ମନୋଜ ଦାସଙ୍କ ଗଳ୍ପକୁ ନାଟ୍ୟରୂପାନ୍ତର କରି ଏକ ନାଟକ ପରିବେଷଣ ହୋଇଥିଲାବେଳେ ଶରଚ ଚନ୍ଦ୍ର ଆଚାର୍ଯ୍ୟ ଓ ଆଶୁତୋଷ ମିଶ୍ରଙ୍କ ଉଚ୍ଚକୋଟୀର ଅଭିନୟକୁ ଦର୍ଶକ ଭୂରୀ ଭୂରୀ ପ୍ରଶଂସା କରିଥିଲେ।