ଭଦ୍ରକ, ୧୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ଜାନୁଆରୀ ୨୭ ତାରିଖ ମନୋରମା ସ୍ମୃତିସଂସଦ, ଭଦ୍ରକ ପକ୍ଷରୁ ପାଳିତ ହେବାକୁ ଥିବା ୧୧ତମ ବାର୍ଷିକ ଉତ୍ସବ ଉପଲକ୍ଷେ ସ୍ମୃତିକମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଜଗନ୍ନାଥପୁର ସ୍ଥିତ ତ୍ୟାଗଭୂମି ଭବନ ପରିସରରେ ୧୬ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ପ୍ରଦାନ କରାଯାଇ ଆସୁଥିବା ଶିକ୍ଷାବିତ୍ ଲାଲ୍ମୋହନ ନାୟକ ସ୍ମୃତିସମ୍ମାନ ଚଳିତବର୍ଷ ଜଣେ ପ୍ରଖ୍ୟାତ ସଙ୍ଗୀତଶିଳ୍ପୀଙ୍କୁ ଦିଆଯିବ ବୋଲି ନିଷ୍ପତି ହୋଇଥିଲା । ଏହି କ୍ରମରେ ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜଙ୍କୁ ଚଳିତବର୍ଷ ଲାଲ୍ମୋହନ ନାୟକ ସ୍ମୃତିସମ୍ମାନରେ ସମ୍ମାନିତ କରାଯିବାକୁ ସର୍ବସମ୍ମତିକ୍ରମେ ସ୍ଥିରୀକୃତ ହେଲା । ଏଥିରେ ପ୍ରଶସ୍ତିପତ୍ର ସହିତ ସମ୍ମାନ ସ୍ୱରୂପ ମନୋରମା ସ୍ମୃତିସ୍ମାରକୀ, ଉତରୀୟ ଓ ନଗଦ ଅର୍ଥରାଶି ପ୍ରଦାନ କରାଯିବ । ଶ୍ରୀମତୀ ଭଞ୍ଜ ମହାକବି ଜୟଦେବଙ୍କ ବିରଚିତ ଗୀତଗୋବିନ୍ଦର ରାଶିରାଶି ପଙ୍?କ୍ତିକୁ ସଂଗୀତରେ ଜୀବନ୍ୟାସ ଦେବା ସହିତ ଅସଂଖ୍ୟ ଓଡ଼ିଶୀ, ଛାନ୍ଦ, ଚମ୍ପୂ, ଭଜନ ଓ ଜଣାଣ ଗାନକରି କେବଳ ରାଜ୍ୟ ନୁହେଁ; ସମଗ୍ର ଭାରତ ତଥା ବିଦେଶରେ ସୁନାମ ଅର୍ଜନ କରିଛନ୍ତି । ଓଡ଼ିଶାର ଜଣେ ଖ୍ୟାତନାମା ଶାସ୍ତ୍ରୀୟ କଣ୍ଠଶିଳ୍ପୀ ଭାବେ ତାଙ୍କ ଜୀବନବ୍ୟାପୀ ସାଧନାର ପଟାନ୍ତର ନାହିଁ । ଶ୍ରୀମତୀ ଭଞ୍ଜ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳସାହି ବୁଡ଼ଙ୍ଗ ଗ୍ରାମ ନିବାସୀ ତଥା ଉତ୍କଳ ସଂଗୀତ ମହାବିଦ୍ୟାଳୟର ପ୍ରାକ୍ତନ କୁଳପତି ଦାୟିତ୍ୱାଧିକାରୀ ପ୍ରଫେସର ଡକ୍ଟର ଜଗନ୍ନାଥ କୁଅଁରଙ୍କ ଧର୍ମପତ୍ନୀ । ଏଠାରେ ପ୍ରକାଶଥାଉ କି, ମମତାମୟୀ ଜନନୀ ମନୋରମା ଥିଲେ ସମାଜ, ଜାତି ଓ ସାଂସ୍କୃତିକ ଅଭ୍ୟୁଦୟର ମନ୍ତ୍ରସାଧିକା । ଗ୍ରାମାଞ୍ଚଳରେ ବାଳିକା ଶିକ୍ଷା ଓ ସଂସ୍କୃତିର ଅଭ୍ୟୁଦୟ ପାଇଁ ତାଙ୍କର ପ୍ରଶଂସନୀୟ ଭୂମିକା ଥିଲା । ବିଲଣା ସହଯୋଗ ବିଦ୍ୟାଳୟ ସ୍ଥାପନାଠାରୁ ଆରମ୍ଭ କରି ସ୍ୱାମୀଙ୍କର କନିଷ୍ଠଭ୍ରାତା ଶିକ୍ଷାବିତ୍ ଲାଲ୍ମୋହନ ନାୟକଙ୍କ ସହଯୋଗ କ୍ରମେ ବିଭିନ୍ନ ସମାଜସେବା ମୂଳକ କାର୍ଯ୍ୟରେ ନିୟୋଜିତ ହେବା ଥିଲା ତାଙ୍କ ଜୀବନର ବ୍ରତ । ସ୍ୱର୍ଗତ ଲାଲ୍ମୋହନ ନାୟକ କନିକା ପ୍ରଜା ଆନ୍ଦୋଳନର ମୁଖ୍ୟ ସୂତ୍ରଧର ଚକ୍ରଧର ବେହେରାଙ୍କର ପରମ ସହଯୋଗୀ ଭାବେ କାର୍ଯ୍ୟକରି ଜାତୀୟ ଜାଗରଣ ଓ ସଂଗ୍ରାମ କ୍ଷେତ୍ରରେ ଉଲ୍ଲେଖନୀୟ ପରିଚୟ ବହନ କରିଥିଲେ । ମନୋରମା ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ଅଜୟ ନାୟକଙ୍କ ଆବାହକତ୍ୱରେ ସମ୍ପାଦକ ଡକ୍ଟର ଅଭୟ କୁମାର ଦାସ ଓ ସଦସ୍ୟ ଭାବେ ଅଧ୍ୟାପକ ଡକ୍ଟର ବିଶ୍ୱରଂଜନ ଦାସ, ଅଧିବକ୍ତା ଗଦାଧର ବଳ, ବାବୁଲାଲ୍ ଦାସ, ସୁଧାକର ରାଉତ, ଲକ୍ଷ୍ମଧର ବାରିକ୍, ଗୌରାଂଗ ବାରିକ୍, ଦେବଦର୍ଶନ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Home ଜିଲ୍ଲା ପରିକ୍ରମା ବିଶିଷ୍ଟ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ମହାପାତ୍ର ମିନତୀ ଭଞ୍ଜ ପାଇବେ ଲାଲ୍ମୋହନ ନାୟକ ସ୍ମୃତିସମ୍ମାନ, ୨୭ ତାରିଖରେ...