Home ଜିଲ୍ଲା ପରିକ୍ରମା ବିଳମ୍ବିତ ରାଜପଥ ନିର୍ମାଣ ଯୋଗୁ ଯାତ୍ରୀ ହନ୍ତସନ୍ତ – ଘଂଟା ଘଂଟା ଧରି ରାସ୍ତାରେ ଫସି...

ବିଳମ୍ବିତ ରାଜପଥ ନିର୍ମାଣ ଯୋଗୁ ଯାତ୍ରୀ ହନ୍ତସନ୍ତ – ଘଂଟା ଘଂଟା ଧରି ରାସ୍ତାରେ ଫସି ରହୁଛି ଆମ୍ବୁଲାନ୍ସ

85

କୋରେଇ ୨୪/୬ (ଓଡ଼ିଆ ପୁଅ/ଭାସ୍କର ସାହୁ) ୧୬ନଂ ଜାତୀୟ ରାଜପଥରେ ଏବେ ଚଣ୍ଡିଖୋଲରୁ ଭଦ୍ରକ ପର୍ଯ୍ୟନ୍ତ ୬ ଥାକିଆ ରାସ୍ତା କାମ ଚାଲୁ ରହିଛି। ଦୀର୍ଘ ଦିନହେଲା ଏହି କାମ ଚାଲୁ ରହିଥିଲେ ମଧ୍ୟ ଏହା କର୍ତ୍ତୃପକ୍ଷଙ୍କ ଦ୍ୱାରା ଠିକାଦାରଙ୍କୁ ଦିଆଯାଇଥିବା କାର୍ଯ୍ୟ ଅବଧୀ ମଧ୍ୟରେ ସରିବାରେ ସନ୍ଦେହ ସୃଷ୍ଠି ହେଉଛି। ଯାହାକୁ ନେଇ ଲୋକଙ୍କ ଭିତରେ କ୍ଷୋଭ ପ୍ରକାଶ ପାଇଲାଣି। ରାଜପଥ ମରାମତିରେ ଅହେତୁକ ବିଳମ୍ବ ଏବେ ଯାତ୍ରୀଙ୍କ ପାଇଁ କାଳ ହୋଇଛି। ପ୍ରତ୍ୟେକ ଦିନ ରାଜପଥର ଭିଡ ନିୟନ୍ତ୍ରଣ ବାହାରେ। ଦିନରୁ ରାତି ଯାଏ ଘଣ୍ଟା ଘଣ୍ଟା ଧରି ଲମ୍ବା କଣ୍ଟେନର ଓ ଲୁହା ବୋଝେଇ ଗାଡିର ଲମ୍ବା ଧାଡି ରାସ୍ତାକୁ କବଜା କରି ରଖୁଛି ଯାହା ଦ୍ୱାରା ପଥଚାରୀମାନେ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏ ଭଳି ଘଟଣା ନିତିଦିନିଆ ହୋଇଗଲାଣି। ଏହି ଭିଡ ମଧ୍ୟରେ ବହୁ ଆମ୍ବୁଲାନ୍ସ ମଧ୍ୟ ଘଣ୍ଟା ଘଣ୍ଟା ଧରି ଫସି ରହୁଛନ୍ତି ଯାହାଦ୍ୱାରା ରୋଗିଙ୍କ ଜୀବନ ଦୁର୍ବିସହ ହୋଇ ପଡୁଛି। ଏହାର ମୁଖ୍ୟ କାରଣ ହେଉଛି ରାଜପଥ ମରାମତିରେ ଅହେତୁକ ବିଳମ୍ବ। ବିଳମ୍ବିତ ରାସ୍ତା ନିର୍ମାଣ ଯୋଗୁ ସାଧାରଣ ଲୋକେ ଅତିଷ୍ଠ ହେଲେଣି। ମହାମାରୀ କରୋନା ଲକଡାଉନ ଯୋଗୁ ଗତ କିଛିଦିନ ହେଲା ରାଜପଥରେ ଅତ୍ୟାବଶକୀୟ ପରିବହନକାରି ଗାଡି ଗୁଡିକ କା ଭାଁ ଯିବା ଆସିବା କରୁଥିଲା। ଧିରେ ଧିରେ ଲକଡାଉନ କୋହଳ କରାଯାଉଥିବା ବେଳେ ରାଜପଥରେ ଆଗଭଳି ଭିଡ ବି ବଢିବାରେ ଲାଗିଲାଣି। ସୂଚନା ଅନୁଯାୟୀ ୨୦୧୬ ମସିହାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ୧୬ ନମ୍ବର ଜାତୀୟ ରାଜପଥକୁ ଚଣ୍ଡିଖୋଲ ଠାରୁ ଭଦ୍ରକ ପର୍ଯ୍ୟନ୍ତ ପୂର୍ବରୁ ଥିବା ୪ ଥାକିଆ ରାସ୍ତାକୁ ୬ ଥାକିଆ ରାସ୍ତା କରିବା ପାଇଁ ନିର୍ଦେଶନାମା ଜାରି କରିଥିଲେ। ୬ ଥାକିଆ ରାସ୍ତା ନିର୍ମାଣ ପାଇଁ ମୋଟ ୧ ହଜାର ୫ଶହ୮୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଏହି କାର୍ଯ୍ୟାଦେଶକୁ ଏକ ଠିକା ସଂସ୍ଥା ହାତେଇଥିଲା। ମାତ୍ର ଠିକାଦରୀ ସଂସ୍ଥା ଗତ ୨୦୧୮ ଡିସେମ୍ବର ମାସରୁ କାର୍ଯ୍ୟ ଆରମ୍ଭ କରିଛି ହେଲେ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ଘଟୁଛି। ରାଜପଥ କାର୍ଯ୍ୟ ଚାଲୁଥିବାରୁ ବିଭିନ୍ନ ସ୍ଥାନରେ ଗୋଟିଏ ଗୋଟିଏ ପାର୍ଶ୍ୱକୁ ରାସ୍ତା ବନ୍ଦକରି ରଖାଯାଇଛି। ଯାହା ଦ୍ୱାରା ଦୁର୍ଘଟଣା ବଢ଼ୁଛି। ଠିକାଦାରଙ୍କ ମନମାନୀରେ ଏଭଳି କାର୍ଯ୍ୟ ଚାଲିବା ଦ୍ୱାରା ରାଜପଥରେ ପ୍ରତିଦିନ ଛୋଟବଡ ଦୁର୍ଘଟଣା ଘଟିବା ସହିତ ରାସ୍ତା ଜାମ ରହୁଛି। ଠିକାଦାର ସାହାପୁର ନିକଟରେ ୨ଟି, ପାଣିକୋଇଲି ନିକଟରେ ଗୋଟିଏ ଓ ସଠିପୁର ନିକଟରେ ଗୋଟିଏ ଡାଇଭର୍ସନ ନିର୍ମାଣ କରିଛନ୍ତି। ଏହିଭଳି ତ୍ରୁଟିପୂର୍ଣ୍ଣ ଡାଇଭର୍ସନ ନିର୍ମାଣ ଯୋଗୁଁ ବହୁ ଜୀବନ ଗଲାଣି। ବର୍ଷେ ଭିତରେ ଗତ କାର୍ତ୍ତିକ ପୂର୍ଣ୍ଣିମାରେ ପାଣିକୋଇଲି ଥାନା ସମ୍ମୁଖରେ ଥିବା ଡାଇଭର୍ସନରେ ଏକ ଦୁର୍ଘଟଣା ଘଟି ୩ଜଣଙ୍କ ଜୀବନ ଯାଇଥିଲା। ସେହିପରି ଗତ ୬ମାସ ତଳେ ଗୋଳେଇପୁର ଛକ ନିକଟ ଡାଇଭର୍ସନରେ ଏକ ବାଇକ ଦୁର୍ଘଟଣାଗ୍ରସ୍ଥ ହୋଇ ୨ଜଣ ଯୁବକଙ୍କ ଜୀବନ ଯାଇଥିଲା। ଆଉ କେତେ ମୁଣ୍ଡ ଗଲେ ଠିକାଦାର ଚେତିବେ ତାହା ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଠି କରୁଛି। ଏବେ ସଠିପୁର ଛକ ନିକଟରେ ନିର୍ମାଣ କରାଯାଉଥିବା ଓଭରବ୍ରୀଜ ପୂର୍ବରୁ ହୋଇଥିବା ସଙ୍କୀର୍ଣ୍ଣ ଓ ବିପଦପୁର୍ଣ୍ଣ ଡାଇଭର୍ସନରେ ଗତ ସପ୍ତାହରେ ଏକ ବାଇକକୁ ବାଲିବୋଝେଇ ହାଇବା ଧକ୍କାଦେବା ଫଳରେ ବାଇକଟି ଭାଙ୍ଗି ଚୁରମାର ହୋଇଯାଇଥିଲା ଓ ତାଙ୍କ ବ୍ୟାଗରେ ଥିବା ଦାମି ଲାପଟପ୍‌ଟି ମଧ୍ୟ ନଷ୍ଟ ହୋଇଯାଇଥିଲା କିନ୍ତୁ ସୌଭାଗ୍ୟବସତଃ ଚାଳକ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ। ଏଠାରେ ବ୍ରିଜ ନିର୍ମାଣ ଯୋଗୁ ଗୋଟେ ପଟ ରାସ୍ଥାକୁ ଦୀର୍ଘଦୀନ ହେଲା ବନ୍ଦକରି ରଖାଯାଇଛି ଓ ଅନ୍ୟପଟେ ଗାଡି ଯାତାୟତ କରୁଥିଲେ ମଧ୍ୟ ବାମପଟ ରାସ୍ତା ଖୋଳା ହୋଇଥିବାରୁ ରାସ୍ତାଟି ସଂକୀର୍ଣ୍ଣ ହୋଇଛି ଯାହାଦ୍ୱାରା ଟ୍ରାଫିକ ସମସ୍ୟା ସୃଷ୍ଠି ହେଉଛି। ଦିନ ଅପେକ୍ଷା ରାତିରେ ଟ୍ରାଫିକ ସମସ୍ୟା ଗୁରୁତର ହୋଉଛି। ରାତିରେ ନୋ ଏଣ୍ଟ୍ରି ଖୋଲିବା ପରେ ଭାରୀ ଯାନ ଓ କେଉଁଝରରୁ ଲୁହାପଥର ବୋଝେଇକରି ଯାଉଥିବା ଟ୍ରକ ଗୁଡିକ ବେଶି ସମସ୍ୟା ସୃଷ୍ଠି କରୁଛନ୍ତି। ବେଳେ ବେଳେ ଏମିତି ଭିଡ ଲାଗିରହୁଛି ଟ୍ରକ ଗୁଡିକ ରାସ୍ତାରେ ୩ ଲାଇନହୋଇ ଛିଡା ହୋଇଯାଉଛନ୍ତି ଯାହାଦ୍ୱାରା ଟ୍ରାଫିକ ସମସ୍ୟା ଅସମ୍ଭାଳ ହେଉଛି। ଏଥି ପ୍ରତି ତୁରନ୍ତ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଧ୍ୟାନ ଦେଇ ତୁରନ୍ତ କାର୍ଯ୍ୟ ସାରିବାକୁ ଠିକାଦାରକୁ ତାଗିଦ୍ କରିବା ସହିତ ସଂକୀର୍ଣ୍ଣ ଡାଇଭର୍ସନ ଗୁଡିକୁ ଠିକ୍ କରିବାକୁ ଦାବି ହେଉଛି। ଯଦି ସମସ୍ୟାର ପ୍ରତିକାର କରାନଯାଏ ତେବେ ଆଗାମି ଦିନରେ ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.