Home Top News ବିଲୁପ୍ତର ଦ୍ୱାର ଦେଶରେ ନୟାଗଡ ତନ୍ତ ଶିଳ୍ପ, ପୁନରୁଦ୍ଧାର ଲୋଡ଼ା

ବିଲୁପ୍ତର ଦ୍ୱାର ଦେଶରେ ନୟାଗଡ ତନ୍ତ ଶିଳ୍ପ, ପୁନରୁଦ୍ଧାର ଲୋଡ଼ା

251

ନୟାଗଡ଼, ୬ା୫ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଏକଦା ନୟାଗଡ଼ର ତନ୍ତ ବୁଣା ବସ୍ତ୍ର ସାରା ରାଜ୍ୟରେ ନାଁକରା ହୋଇଥିଲାବେଳେ ବିଭାଗୀୟ ଉଦାସୀନତା ଯୋଗୁଁ ଏବେ ବିଲୁପ୍ତର ଦ୍ୱାର ଦେଶରେ ପହଂଚିଛି ନୟାଗଡ଼ ତନ୍ତଶିଲ୍ପ। ନା ବୁଣାକାରଙ୍କ ପାଇଁ ପ୍ରୋତ୍ସାହନ ଅଛି ନା ତନ୍ତଶିଳ୍ପକୁ ବଂଚାଇବା ପାଇଁ ପ୍ରୟାସ ଅଛି। ବିଂଶ ଶତାଦ୍ଦୀର ଦ୍ୱିତୀୟାର୍ଦ୍ଧ ଦ୍ୱିତୀୟ ଶତକରୁ ଏକବିଂଶ ଶତାଦ୍ଦୀର ପ୍ରଥମ ପାଦ ଛୁଇଁବା ଯାଏଁ ବୟନଶିଲ୍ପକୁ ପ୍ରଗତିଶୀଳ କରାଇ ସ୍ୱାବଲମ୍ବୀ କରାଇବାରେ ନୟାଗଡ଼ ବୁଣାକାରମାନଙ୍କ ଭୂମିକା ସର୍ବାଗ୍ରେ ଥିଲାବେଳେ ଏବେ ଯେମିତି ନୟାଗଡ଼ର ତନ୍ତବୁଣା ବସ୍ତ୍ରକୁ ସାରା ରାଜ୍ୟ ଖୋଜୁଛି। ବିଭାଗୀୟ ଅନାଗ୍ରହ ଯୋଗୁଁ ଏତେବଡ଼ ଯୋଜନା ଭୁଷୁଡ଼ି ପଡ଼ିବା ସହ ବୁୁଣାକାରମାନଙ୍କ ଆର୍ଥିକ ଅବସ୍ଥା ବେଳୁଁବେଳ ଦୁର୍ବିସହ ହୋଇପଡ଼ିଛି। ଜିଲ୍ଲାର ଏକ ପ୍ରମୁଖ ଶିଳ୍ପ ତନ୍ତଶିଳ୍ପ ଭାବେ ନୟାଗଡ଼ ଜିଲ୍ଲା ତା’ର ଶ୍ରେଷ୍ଠତ୍ୱ ପ୍ରତିପାଦନ କରୁଥିବାବେଳେ ତନ୍ତଶିଳ୍ପ ଏବେ ରୁଗ୍‌ଣ ଅବସ୍ଥାରେ ପଡ଼ି ଅସ୍ତିତ୍ୱ ହରାଇବାକୁ ବସିଛି। ଯେଉଁ ତନ୍ତଶିଳ୍ପରୁ ପ୍ରଚୁର ପାରିଶ୍ରମିକ ଉପାର୍ଜନ କରି ବୁଣାକାର ପରିବାର ସୁଖଶାନ୍ତି ପାଉଥିବାବେଳେ ସେ ଏବେ ହାତବାନ୍ଧି ବସିଛିା ଏହାର ପୁନରୁଦ୍ଧାର ହୋଇପାରିଲେ ବୁଣାକାରମାନେ ସ୍ୱାବଲମ୍ବୀ ହେବା ସହ ନୟାଗଡ଼ ତନ୍ତଶିଳ୍ପ ବିକାଶର ପ୍ରସିଦ୍ଧି ଲାଭ କରିପାରନ୍ତା ବୋଲି କୁହାଯାଉଛି। ମହାତ୍ମାଗାନ୍ଧୀଙ୍କ ଖଦୀ ଆନ୍ଦୋଳନ ସମୟରେ ଅରଟ ଦ୍ୱାରା ଖଦୀ ବସ୍ତ୍ର ବୁଣିବା ପାଇଁ ପ୍ରଥମେ ନୟାଗଡ଼ ଜିଲ୍ଲାର ବଡ଼ପଣ୍ଡୁସରଠାରେ ଖଦୀକେନ୍ଦ୍ର ଖୋଲାଯାଇ ବୁଣାକାରମାନଙ୍କୁ ପ୍ରଶିକ୍ଷଣ ଦିଆଗଲା। ଚରଖା, ଚକତି, ତୁଳାଭିଣା ଯନ୍ତ୍ର ସାହାର୍ଯ୍ୟରେ କପାକୁ ସଫା କରି ଲୁଗା ବୁଣିବା ପାଇଁ ବୁଣାକାରମାନେ ତାଲିମ ପାଇଲେ। ସୁତା କାଟି ଖଦୀବସ୍ତ୍ର ବୁଣିବା ପାଇଁବଡ଼ପଣ୍ଡସୁର, ଗୋଡ଼ିସାହି, ଗୋଡ଼ିପଡ଼ା, ରଙ୍ଗଣୀପାଟଣା, ରଣପୁର, ବାଉଁଶିଆପଡ଼ା, ଲାଠିପଡ଼ା ଠାରେ ତାଲିମ କେନ୍ଦ୍ରମାନ ଖୋଲିଲା।୧୯୫୫ ମସିହାରେ ନୂତନ ଧରଣର ଟେକପ୍ ତନ୍ତ ଆସିବାରୁ କାରିଗରମାନେ ଆଗ ଅପେକ୍ଷା ଅତି ସହଜରେ ଲୁଗା ବୁଣି ପାରିଲେ। ଟେକପ୍ ତନ୍ତ ଆସିବାରୁ ହସ୍ତତନ୍ତ ବହୁ ପରିମାଣରେ କମିଗଲା। ଟେକାପ୍ ତନ୍ତରେ କମ୍ ସମୟରେ ଅଧିକ ଉତ୍ପାଦନ ହେଲା। ଏପରିକି ରଙ୍ଗୀନ ଲୁଗା, ଗାମୁଛା, ଲୁଙ୍ଗି ଆଦି ବିଭିନ୍ନ ପଶୁ, ପକ୍ଷୀ ଓ ଡାଳିରେ ବୁଣାଯାଇ ଆକର୍ଷଣୀୟ ହୋଇ ଲୋକମାନଙ୍କ ମନମୋହିଲା। ୧୯୫୮ ମସିହା ବେଳକୁ ସବୁଠୁ ଦାମି ଧୋତି ୩ଟଙ୍କା ଥିଲାବେଳେ ଶାଢୀର ଦାମ୍ ୩ରୁ ୫ଟଙ୍କା ଭିତରେ ଥିଲା। ୧୯୬୪ ମସିହାରେ ବଜାରକୁ ମସରାଇଜ ମିଙ୍ଗଲ୍ ସୁତା ଡବଲ ସୁତା ଆସିଲା। ତନ୍ତରୁ ବହୁ ସଂଖ୍ୟାରେ ମସରାଇଜ୍ ଲୁଙ୍ଗି ଓ ଶାଢୀ ବାହାରିଲା। ଶାଢୀ, ଲୁଙ୍ଗି ଓ ଗାମୁଛା ଆଦିରେ ହାତୀ, ଘୋଡ଼ା, ବାଘ, ଶୁଆ, ଶାରୀ ଆଦି ପଶୁ ପକ୍ଷୀ ଶୋଭିତ କଳାକୃତି ଯୋଗୁଁ ବଜାରରେ ଚାହିଦା ବଢିଲା। ଯାହାକି ଶାଢୀର ଦାମ୍ ୩୦ ଟଙ୍କା ଓ ଧୋତିର ଦାମ୍ ୨୫ ଟଙ୍କାରେ ବଜାରରେ ବିକ୍ରି ହେଲା। ଚାହିଦା ଯୋଗୁଁ ବୁଣାକାରମାନଙ୍କର ଭଲ ଦି’ପଇସା ମିଳିବା ସହ ତନ୍ତବୁଣାର ଅଗ୍ରଗତି ମଧ୍ୟ ହେଲା। ନୟାଗଡ଼ ମସ୍‌ରାଇଜ୍ ବସ୍ତ୍ର ମୟୁରଭଞ୍ଜ, ବାରିପଦା, ନବରଙ୍ଗପୁର ଆଦି ବିଭିନ୍ନ ସ୍ଥାନରେ ଆଦର ଲାଭ କରି ବିକୟ୍ର ପ୍ରସାର ହେଲା। ଟେକାପ୍ ତନ୍ତ ସମୟରେ ଇଟାମାଟି, ଜଟଣୀ, କଟକ ଓ କଲିକତାରୁ ସୁତା ଅଣାଯାଉଥିଲା। ୧୯୭୮ ମସିହା ବେଳକୁ ନୟାଗଡ଼ ତନ୍ତଶିଳ୍ପର ପ୍ରସାର ଘଟି ସାରିଥିଲା। ଏଥିପାଇଁ ବୁଣାକାରମାନଙ୍କୁ ନେଇ ନିଜ ନିଜ ଅଂଚଳରେ ତନ୍ତୁବାୟ ସମିତିମାନ ଗଢାହେଲା। ଏହି ସମିତି ମାଧ୍ୟମରେ ସୁତା, ତନ୍ତ ସରଞ୍ଜାମ ଆଦି ଯୋଗାଇ ଦିଆଗଲା। ଯାହାଫଳରେ ଦିନକୁ ଦିନ ଉତ୍ପାଦନ ଦ୍ରବ୍ୟ ବଢିଲା। ଜିଲ୍ଲାର କେବଳ ନୂଆଗାଁ ବ୍ଳକକୁ ଛାଡ଼ିଦେଲେ ଆଉ ୭ଟି ବ୍ଳକରେ ତନ୍ତୁ ସମବାୟ ସମିତି ବିଭିନ୍ନ ସ୍ଥାନରେ ଗଢି ଉଠିଲା। ନୟାଗଡ଼, ଗୋବିନ୍ଦପୁ.ର , ସୋଲପଟା, ଡିମିସର, ଲାଠିପଡ଼ା, ପଂଚରିଡ଼ା ମାନପୁର, ଭାଲିଆଡିହି, ଆଡ଼ଚେର, ହରିଡ଼ାବନ୍ଧ, ରାଜପାଟଣା, ଗୋଡ଼ିପଡ଼ା, କବଁଫୁଲିଆ, କୁରୁତଙ୍ଗ, ଇଟାମାଟି.ବଡ଼ପଣ୍ଡୁସର, କଂଟାବଣିଆ, ଶରଧାପୁର, ବାଲୁଗାଁ, ମୟୂରଝାଲିଆ, ରାଜସୁନାଖଳା, ବଧୂପାଟଣା, ଉଆସପାଟଣା, ଦର୍ପନାରାୟଣପୁର, ବାଇଗୁଣିଆ, ଖଣ୍ଡପଡ଼ା, ଖଳିସାହି, ଢୋଲମରା ଆଦି ବିଭିନ୍ନ ସ୍ଥାନରେ ଏହି ସମିତିମାନ ଖୋଲିଲା। ଜିଲ୍ଲାରେ ଅନେକ ତନ୍ତୁ ସମବାୟ ଖୋଲିବାରୁ ୧୯୮୨ ମସିହାରେ ନୟାଗଡ଼ରେ ସ୍ୱତନ୍ତ୍ର ଏକ ସହକାରୀ ବୟନଶିଳ୍ପ ନିର୍ଦ୍ଦେଶକ କାର୍ଯ୍ୟାଳୟ ସ୍ଥାପିତ ହେଲା। ଏହି କାର୍ଯ୍ୟାଳୟରେ ବିଭିନ୍ନ ସ୍ଥାନରେ ଗଢି ଉଠିଥିବା ସମିତିମାନ ପଂଜିକୃତ ହେଲେ। ବୟନଶିଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ମାର୍ଫତରେ ସରକାରଙ୍କର ବିଭିନ୍ନ ଯୋଜନା ବୁୁଣାକାରମାନଙ୍କୁ ଯୋଗାଇ ଦିଆଗଲା। ବୁଣାକାରମାନେ ସରକାରୀ ସୁବିଧା ପାଇ ଉତ୍ସାହିତ ହେବା ସହିତ ଭଲ ରୋଜଗାର କରିପାରିଲେ। ନୟାଗଡ଼ର ଉଚ୍ଚମାନର ବସ୍ତ୍ର ଜାତୀୟସ୍ତରରେ ଉଚ୍ଚ ପ୍ରଶଂସିତ ହୋଇପାରିଲା। ୧୯୭୮ ମସିହାରେ ଗଢିଥିବା ଗୋବିନ୍ଦପୁର ସହଯୋଗ ସମିତି ଅଧିନସ୍ଥ ଗଦାଧରପ୍ରସାଦ ଗ୍ରାମର ଜଣେ ବୁଣାକାର ୧୯୯୨ ମସିହାରେ କୁସୁମୀ ଶାଢୀ ବୁଣି ଜାତୀୟ ସ୍ତରରେ ପୁରସ୍କାର ପାଇ ଏଜିଲ୍ଲାକୁ ଗୌରବାନ୍ନିତ କରିଥିଲେ। ଖାଲି ସେତିକି ନୁହେଁ ୧୯୯୦ ମସିହାରେ ଗୋବିନ୍ଦପୁର ସମିତି ବାର୍ଷିକ ୧୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କାରବାର କରିବା ସହିତ ଦାମିକା ଦାମିକା ବମ୍‌କେଇ ପାଟ ଶାଢୀ ଉତ୍ପାଦନ କରି ଜାତୀୟସ୍ତରରେ ନାଁ କରୁଥିଲା। ହେଲେ ଜାତୀୟସ୍ତରରେ ନାଁ କରୁଥିବା ନୟାଗଡ଼ ତନ୍ତଶିଳ୍ପ ଏବେ ରୁଗ୍‌ଣ ଅବସ୍ଥାରେ ପଡ଼ି ରହିଛି। ହୃତଗୌରବ ଫେରାଇବା ପାଇଁ ବିଭାଗୀୟ ଆନ୍ତରିକତା ନଥିବା ଅଭିଯୋଗ ହେଉଥିବାବେଳେ ବିଲୁପ୍ତର ଦ୍ୱାର ଦେଶର ଥିବା ତନ୍ତଶିଳ୍ପର ପୁନରୁଦ୍ଧାର କରାଗଲେ ଏହାର ବିକାଶ ତଥା ପ୍ରସାର ଅଧିକ ହୋଇପାରିବ ବୋଲି ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.