Home ଜିଲ୍ଲା ପରିକ୍ରମା ବିପର୍ଯ୍ୟସ୍ତ ଅବସ୍ଥାରେ ଧାମନଗର ଶିଶୁ ବିଭାଗ, ଶତାଧିକ ଅଙ୍ଗନବାଡ଼ି କେନ୍ଦ୍ରର ଘର ନାହିଁ, ଦାଣ୍ଡରେ ବାଡିରେ...

ବିପର୍ଯ୍ୟସ୍ତ ଅବସ୍ଥାରେ ଧାମନଗର ଶିଶୁ ବିଭାଗ, ଶତାଧିକ ଅଙ୍ଗନବାଡ଼ି କେନ୍ଦ୍ରର ଘର ନାହିଁ, ଦାଣ୍ଡରେ ବାଡିରେ ଓ କମ୍ୟୁନିଟି ସେଂଟର ରେ ପିଲା ପଡୁଛନ୍ତି

12

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ବ୍ଲକରେ ଶିଶୁ ବିକାଶ କାର୍ଯ୍ୟକ୍ରମ ବିପର୍ଯ୍ୟସ୍ତ ଅବସ୍ଥାରେ ଚାଲିଛି। ନା ଅଛି ଭିତିଭୂମି ନା ମିଳୁଛି ଆନୁସଙ୍ଗିକ ସୁବିଧା। ବ୍ଲକରେ ମୋଟ ୩୫୩ଟି ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର ରହିଛି। ତା ଭିତରୁ ୧୨୮ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ନାହିଁ। ଏସବୁ ଅଙ୍ଗନବାଡ଼ି କାହା ଘରେ ତ କାହା ପିଣ୍ଢା ରେ ଚାଲିଛି। କିଛି ଅଙ୍ଗନବାଡ଼ି ର କର୍ମୀ ନିଜ ଘରେ ଚଲାଉଛନ୍ତି ତ କିଏ ଗାଁ ଠାକୁର ଘର ପିଣ୍ଢାରେ ପିଲାଙ୍କୁ ପଢ଼ାଉଛନ୍ତି। ସୁଚନା ଥାଉ କି ୧୭୬ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ୱ ଘର ରହିଛି। ବିଭିନ୍ନ ପଞ୍ଚାୟତରେ ୪୫ ଟି କେନ୍ଦ୍ର ନିର୍ମାଣାଧିନ ଅବସ୍ଥାରେ ଥିଲାବେଳେ ୪ ଟି ତିଆରି ସରିଥିଲେ ବି ବିଲ୍ ହୋଇନଥିବାରୁ ଠିକାଦାର ତାହାକୁ ହସ୍ତାନ୍ତର କରିନାହାନ୍ତି ଚାବି ପକାଇ ରଖିଛନ୍ତି। ବ୍ଲକରେ ଏବେ ୬ ଟି ଅଙ୍ଗନବାଡ଼ି କେନ୍ଦ୍ର ଭଡ଼ାଘରେ ଓ ୪୪ ଟି କେନ୍ଦ୍ର ସ୍କୁଲରେ ଚାଲିଛି। ବାକି ୧୨୭ଟି ଅଙ୍ଗନବାଡ଼ି କେନ୍ଦ୍ର ଗାଁରେ ଥିବା କମ୍ୟୁନିଟି ସେଂଟର ରେ କାର୍ଯ୍ୟ କରୁଛି। ଭଡ଼ାଘର ଓ କମ୍ୟୁନିଟି ସେଂଟର ରେ ଚାଲୁଥିବା ଅଙ୍ଗନବାଡ଼ି କେନ୍ଦ୍ରର କର୍ମୀ ଓ ପିଲାମାନେ ହଇରାଣ ହେଉଛନ୍ତି। ପିଇବା ପାଣିର ସୁବିଧା ନାହିଁ କି ଶୌଚାଳୟ ବ୍ୟବସ୍ଥା ନାହିଁ। ଏଣୁ ପିଲାଙ୍କୁ ରନ୍ଧା ଖାଦ୍ୟ ଦେବା କାଠିକର ପାଠ ହୋଇଯାଉଛି। ନିଜସ୍ୱ ଘର ନଥିବାରୁ ଟେକ୍ ହୋମ୍ ରାସନ ବା ଟିଏଚ୍‌ଆର ସାମଗ୍ରୀ ରଖିବାରେ ସମସ୍ୟା ଦେଖାଦେଉଛି। ମାସକୁ ମାସ ଆସୁଥିବା ଚାଉଳ, ଛତୁଆ, ଅଣ୍ଡା ଓ ଲଡୁ ସାଇତି ରଖି ପାରୁନାହାନ୍ତି କର୍ମୀ। ଯାହାକୁ ନେଇ କର୍ମୀ ଓ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ମେ ମାସର ସୂଚନା ଅନୁସାରେ ୬ ମାସରୁ ୩ ବର୍ଷ ମଧ୍ୟରେ ୬୫୨୯, ୩ ବର୍ଷରୁ ୫ ବର୍ଷ ମଧ୍ୟରେ ୫୩୫୪ ଓ ୫ ବର୍ଷରୁ ୬ ବର୍ଷ ମଧ୍ୟରେ ୮୩୮ ଜଣ ଶିଶୁ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜୀକରଣ ହୋଇଛନ୍ତି। ଧାମନଗର ଅଂଚଳରେ ଏବେ ଝାଡ଼ାବାନ୍ତି ବ୍ୟାପିଥିବାରୁ ଘର ନଥିବା ଅଙ୍ଗନବାଡ଼ି କେନ୍ଦ୍ରର ପିଲାଙ୍କ ପାଇଁ ବିପଦ ରହିଛି। ଘର ନଥିବାରୁ ବିଶୁଦ୍ଧ ପାନୀୟ ଜଳର ସୁବିଧା ମଧ୍ୟ ନାହିଁ। ଏ ଦିଗରେ ଧାମନଗର ବିଧାୟକ ତଥା ରାଜ୍ୟ ସରକାର ଙ୍କ ଉଚ୍ଚଶିକ୍ଷା ତଥା ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଦୃଷ୍ଟି ଦେବାସହ ଶିଶୁ ବିଭାଗ ର ବିଭିନ୍ନ ଅସୁବିଧା କୁ ପୂରଣ କରିବା ପାଇଁ ବିଭିନ୍ନ ମହଲ ରୁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.