Home ଜିଲ୍ଲା ପରିକ୍ରମା ବିଧାୟକ-ପୌରାଧ୍ୟକ୍ଷାଙ୍କ ବିବାଦ ତେଜୁଛି : ବିକାଶ କମୁଛି

ବିଧାୟକ-ପୌରାଧ୍ୟକ୍ଷାଙ୍କ ବିବାଦ ତେଜୁଛି : ବିକାଶ କମୁଛି

53

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୨୦୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଧାୟକ ଓ ପୌରାଧ୍ୟକ୍ଷାଙ୍କ ବିବାଦ ସେତିକି ତେଜୁଛି । କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଜନସାଧାରଣଙ୍କ ଦ୍ୱାରା ସିଧାସଳଖ ଭାବେ ନିର୍ବାଚିତ ହୋଇଥିବା ଦୁଇ ପ୍ରତିନିଧିଙ୍କ ବିବାଦ ଭଦ୍ରକ ସହରରେ ହାଟରେ ପଡି ଦାଣ୍ଡରେ ଗଡୁଛି । ଦୁଇ ପ୍ରତିନିଧି ନିଜ ଜିଦ୍‌ରେ ଅଟଳ । କେହି କାହାରିକୁ ଛାଡିବାରେ ନାହିଁ । ସବୁକ୍ଷେତ୍ରରେ ଛକାପଞ୍ଝା ଟଣାଓଟରା । ବିକାଶରେ, ମଂଚରେ କିମ୍ବା ସମ୍ବର୍ଦ୍ଧନା ସଭାରେ ହେଉ ସବୁଠି ଟଣାଓଟରା । “ସଭାକୁ ସେ ଗଲେ ମୁଁ ଯିବିନାହିଁ ।” ପିଲାଙ୍କ କଳି ଭଳି ଦୁଇ ପ୍ରତିନିଧିଙ୍କ ମଧ୍ୟରେ ପାଖାପାଖି ଦୁଇବର୍ଷ ଧରି ଲାଗିରହିଛି । ସହରରେ ବିକାଶ ଠପ୍ ହୋଇଯାଇଛି । ପ୍ରଶାସନ ଏଣୁ ମାରିଲେ ଗୋ ହତ୍ୟା, ସେଣୁ ମାରିଲେ ବ୍ରହ୍ମହତ୍ୟା ପରିସ୍ଥିତିରେ ପଡିଛି । କିଂ କର୍ତ୍ତବ୍ୟ ମୁଢ ହୋଇ ଉଚିତ୍ ପଦକ୍ଷେପ ନେଇପାରୁନାହିଁ । ବିଭିନ୍ନ ପ୍ରସଙ୍ଗକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଛି । ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ସୃଷ୍ଟି ହୋଇ ପୌରପାଳିକାର କାଉନସିଲ ବୈଠକ ଗୁଡିକରେ ଅଚଳାବସ୍ଥା ସୃଷ୍ଟି ହେଉଛି । କୋଟି କୋଟି ଟଙ୍କାର ବାର୍ଷିକ ଅନୁଦାନ ବିକାଶରେ ବିନିଯୋଗ ନହୋଇ ପଡିରହିଛି ।

ଦୁର୍ଦ୍ଦଶା ଭୋଗୁଛନ୍ତି ସହରବାସୀ । ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ବିକାଶ ବାଧାପ୍ରାପ୍ତ ଘଟିଛି । ରାସ୍ତାଘାଟ ଗୁଡିକର ଅବସ୍ଥା ଶୋଚନୀୟ ହୋଇପଡିଲାଣି । ପରିମଳ ବ୍ୟବସ୍ଥା ନକହିବା ଭଲ । ଦୁଇଗୋଷ୍ଠୀ ମଧ୍ୟରେ ମତଭେଦ ଏତେ ତଳସ୍ତରକୁ ଗଲାଣି ଯେ ଗତ ମହମ୍ମଦଙ୍କ ଜୟନ୍ତୀ ଉତ୍ସବରେ ଜୁଲୁସ ଶୋଭାଯାତ୍ରାର ପ୍ରତିଫଳିତ ହୋଇଛି । ଜୁଲୁସ୍ କିମ୍ବା ରାମନବମୀ ଶୋଭାଯାତ୍ରା ସମୟରେ ସହର ପରିକ୍ରମା କରୁଥିବା ଶୋଭାଯାତ୍ରାର ଭକ୍ତମାନଙ୍କୁ ସହରର ବିଭିନ୍ନ ଛକମାନଙ୍କରେ ଉଭୟ ସଂପ୍ରଦାୟର ଅନୁଷ୍ଠାନ, କ୍ଲବ୍ ପକ୍ଷରୁ ଅସ୍ଥାୟୀ କ୍ୟାମ୍ପ କରାଯାଇ ଶ୍ରଦ୍ଧାଳୁମାନଙ୍କୁ ଥଣ୍ଡା ପାନୀୟର ବ୍ୟବସ୍ଥା ଦେବାର ପରମ୍ପରା ରହିଛି । ତେବେ ଏଥର ଜୁଲୁସ ଶୋଭାଯାତ୍ରା ସମୟରେ ସହୀଦ ସ୍ମୃତି ଭବନ (ଟାଉନ୍ ହଲ) ଠାରେ ଶ୍ରଦ୍ଧାଳୁଙ୍କୁ ଖାଦ୍ୟପାନୀୟର ବ୍ୟବସ୍ଥା ପାଇଁ କ୍ୟାମ୍ପକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଟଣାଓଟରା ସହରବାସୀଙ୍କ ମୁଖ୍ୟ ଚର୍ଚ୍ଚାର ବିଷୟ ସାଜିଥିଲା । ପୁଲିସ୍ ପ୍ରଶାସନର ହସ୍ତକ୍ଷେପ ଫଳରେ ଦୁଇଟି କ୍ୟାମ୍ପ ଭିନ୍ନ ଭିନ୍ନ ଜାଗାରେ କରାଯାଇ ଶ୍ରଦ୍ଧାଳୁଙ୍କୁ ଥଣ୍ଡା ପାନୀୟର ବ୍ୟବସ୍ଥା କରାଯାଇଥିଲା । ଭଦ୍ରକ ପୌରପାଳିକା ହେବାଦିନ ଠାରୁ ଏଭଳି ପରିସ୍ଥିତି କେବେ ଦେଖାଯାଇନଥିଲା । ଦୁଇଗୋଷ୍ଠୀ ମଧ୍ୟରେ ଏହି ବିବାଦ ଆସନ୍ତା ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି ପୂର୍ବତନ କାଉନ୍‌ସିଲର ତଥା ସିପିଏମ୍ ଜିଲା ସଂପାଦକ ଦିବ୍ୟସିଂହ ନାୟକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.