Home ଜିଲ୍ଲା ପରିକ୍ରମା ବିଧାନସଭାରେ ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ଉତ୍‌ଥାପିତ କଲେ ବିଧାୟକ

ବିଧାନସଭାରେ ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ଉତ୍‌ଥାପିତ କଲେ ବିଧାୟକ

9

ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଜନିତ ସମସ୍ୟା ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ବିଧାନସଭାରେ ଉଥଥାପିତ ହୋଇଛି। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଏ ସମ୍ପର୍କରେ ବାଚସ୍ପତିଙ୍କ ଜରିଆରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ସମସ୍ୟାର ସମାଧାନ ଲାଗି ଦାବି କରିଛନ୍ତି। ବିଧାନସଭାରେ ବିଧାୟକ ଶ୍ରୀ ମହାପାତ୍ର କହିଛନ୍ତି ଯେ: ଭଦ୍ରକରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛନ୍ତି। ଜିଲା ମୁଖ୍ୟ ଚିକିତ୍ସାସାଳୟରେ ଡାକ୍ତର ଅଭାବ ଯୋଗୁ ଜନସାଧାରଣ ଘୋର ସମସ୍ୟା ସୃଷ୍ଟି ହେଉଛି। ମୁଖ୍ୟ ଚକିିତ୍ସାଳୟରେ ଡାକ୍ତର ଅଭାବ ଯୋଗୁ ରୋଗୀ ମରୁଥିବା ନେଇ ଗଣମାଧ୍ୟମରେ ନିୟମିତ ଖବର ପ୍ରକାଶ ପାଉଛି। ଛୋଟ ଛୋଟ ଦୁର୍ଘଟଣାରେ ଆହତଙ୍କୁ ଏପରିକି ଥଣ୍ଡାଜ୍ୱର ରୋଗୀଙ୍କୁ ବି ଭଦ୍ରକରୁ କଟକ ରେଫର କରାଯାଉଛି। ସେହିଭଳି ମେଡିକାଲ କଲେଜ ପ୍ରସଙ୍ଗ ଉତଥପାନ କରି ବିଧାୟକ ଶ୍ରୀ ମହାପାତ୍ର କହିଥିଲେ ଯେ: ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି। ବିଗତ ସରକାର ଅମଳରେ ଏଥିପ୍ରତି ଅବହେଳା କରାଯାଇଛି। ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡା, ଯାଜପୁର ଆଦି ଜିଲାର ମଧ୍ୟସ୍ଥଳରେ ଭଦ୍ରକର ଅବସ୍ଥିତି। ଏଠାରେ ମେଡିକାଲ କଲେଜ ସ୍ଥାପନ ହେଲେ ୪ଟି ଜିଲାର ସୀମାନ୍ତବର୍ତୀ ଅଂଚଳର ଜନସାଧାରଣ ବି ଉପକୃତ ହେବେ। ଏଣୁ ଜିଲାରେ ତୁରନ୍ତ ଡାକ୍ତରପଦ ପୂରଣ ଓ ମେଡିକାଲ କଲେଜ ସ୍ଥାପନ ହେବା ଉଚିତ ବୋଲି ବିଧାୟକ ଶ୍ରୀ ମହାପାତ୍ର ଗୃହରେ ଦାବି ରଖିଛନ୍ତି। ସୂଚନାଥାଉକି; ଜିଲାରେ ମଞ୍ଜୁରପ୍ରାପ୍ତ ୩୫୦ଟି ଡାକ୍ତର ପଦ ପଧ୍ୟରୁ ୨୧୨ ଟି ପଦ ଖାଲି ପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ କେବଳ ୧୦୦ଡାକ୍ତର ଓ ବିଶେଷଜ୍ଞ ପଦ ଖାଲି ପଡିଛି। ୧୪୧ ଡାକ୍ତରଙ୍କ ବଦଳରେ ଏଠାରେ କାର୍ଯ୍ୟ କରୁଛନ୍ତି ମାତ୍ର ୪୧ ଡାକ୍ତର। ଗ୍ରାମାଂଚଳର ପାଖାପାଖି ୩୦ଟି ସ୍ୱାସ୍ଥ୍ୟକେନ୍ଦ୍ର ବିନା ଡାକ୍ତରରେ ଚାଲୁଛି। ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ତେବେ ଚଳିତ ବିଧାନସଭା ଅଧିବେଶନରେ ବିରୋଧୀ ଦଳର ବିଧାୟକ ସଂଜୀବ ମଲ୍ଲିକ ମେଡିକାଲ କଲେଜ ସ୍ଥାପନ ପ୍ରସଙ୍ଗ ଉତଥାପନ କରି ସାରିଛନ୍ତି। ଏବେ ଶାସକ ଦଳର ବିଧାୟକ ବିଧାନସଭାରେ ଏହି ପ୍ରସଙ୍ଗ ଉତଥାପନ କରିବା ପରେ ସରକାର ଡାକ୍ତର ଅଭାବ ସମସ୍ୟା ପୂରଣ ଦିଗରେ କି ପଦକ୍ଷେପ ନେଉଛନ୍ତି ଓ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟ କ’ଣ ରହୁଛି ତାହା ଲକ୍ଷ୍ୟ କରିବାର କଥା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.