Home ଜିଲ୍ଲା ପରିକ୍ରମା ବିଧବା ମା’ ଓ ଝିଅଙ୍କଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଓ ସୁରକ୍ଷା ଦାବିରେ...

ବିଧବା ମା’ ଓ ଝିଅଙ୍କଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ, ଅଭିଯୁକ୍ତଙ୍କୁ ଗିରଫ ଓ ସୁରକ୍ଷା ଦାବିରେ ଏସ୍‌ପିଙ୍କ ଅଫିସ୍ ସମ୍ମୁଖରେ ଆମରଣ ଅନଶନ

40

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଦୀର୍ଘ ଦୁଇ ବର୍ଷ ହେବ ଭଦ୍ରକ ସହରାଞ୍ଚଳ ଥାନା ଅଧୀନରେ ଭଡାଘରେ ରହି ଦୁଃଖକଷ୍ଟରେ ଚଳିଆସୁଥିବା ଏହି ଜିଲାର ପୀରହାଟ ଥାନା ଅଧୀନସ୍ଥ ଅର୍ଜୁନବିନ୍ଧା ଗ୍ରାମନିବାସୀ ସ୍ୱର୍ଗତଃ ରଘୁନାଥ ବେହେରାଙ୍କ ୫୦ ବର୍ଷିୟା ବିଧବା ପତ୍ନୀ କନକଲତା ଓ ତାଙ୍କ କନ୍ୟାଙ୍କୁ କେତେକ ବ୍ୟକ୍ତି ମରଣାନ୍ତକ ଆକ୍ରମଣ କରିବା ପରେ ସେମାନେ ଥାନାର ଦ୍ୱାରସ୍ଥ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇ ପରବର୍ତ୍ତୀ ସମୟରେ ପ୍ରତିପକ୍ଷଙ୍କ ଆକ୍ରମଣର ସମ୍ମୁଖୀନ ହେବା ଓ ଏ ଦିଗରେ ପୁଲିସ୍‌ର କୌଣସି କାର୍ଯ୍ୟାନୁଷ୍ଠାନ ନହେବା ପ୍ରତିବାଦରେ ଆଜି ଜିଲା ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏ ସଂପର୍କରେ କନକଲତା ଗତ ୧ ତାରିଖ ଦିନ ସହରାଞ୍ଚଳ ଥାନାରେ ଦେଇଥିବା ଅଭିଯୋଗ ପତ୍ର ମୂଳେ ଅଭିଯୁକ୍ତ ରଞ୍ଜନ ପଣ୍ଡା ଓ ଅର୍ଜୁନବିନ୍ଧା ଗ୍ରାମନିବାସୀ ପଦୁର ପୁତ୍ର ବାବୁ ଓ ଅନ୍ୟ ଜଣେ ଅଜଣା ଯୁବକଙ୍କ ନାମରେ କେଶ୍ ନଂ ୨୫୩, ଦଫା ୨୯୪ / ୩୪୧ / ୩୨୩ / ୩୫୪ / ୪୨୭ / ୩୭୯ / ୫୦୬ /୩୪ ଆଇପିସି ମୂଳେ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ଅଭିଯୋଗ ପତ୍ର ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀମତୀ ବେହେରା ଦେଇଥିବା ଅଭିଯୋଗ ପତ୍ର ମୂଳେ ଗତ ୧ ତାରିଖ ଦିନ ଉଭୟ ମା’ ଓ ଝିଅ ନଳାଙ୍ଗସ୍ଥିତ କୋର୍ଟରୁ ଦିନ ୩ଟା ବେଳେ ପୁରୁଣା କୋର୍ଟକୁ ଫେରି ଚାଲି ଚାଲି ଆସୁଥିବାବେଳେ ମା’ କନକ ଝିଅକୁ ବସାଇଦେଇ ଶୌଚ ପାଇଁ ଯାଇଥିଲେ । ଏହି ସମୟରେ ଅର୍ଜୁନବିନ୍ଧା ଗ୍ରାମନିବାସୀ ପଦୁଙ୍କ ସାନପୁଅ ବାବୁ (୪୦) ସେଠାରେ ବସିଥିବା ଝିଅକୁ କେଉଁଠି ରହୁଛୁ ବୋଲି ପଚାରିଥିଲା । ତେବେ ଝିଅଟି ତାକୁ ଚିହ୍ନିନଥିବାରୁ କୌଣସି ଉତ୍ତର ନଦେବାକୁ ନେଇ ଯୁବକ ଜଣକ ତା ପ୍ରତି ଅଶ୍ଳୀଳ ଭାଷା ପ୍ରୟୋଗ ପୂର୍ବକ ଓଡି-୨୨-ଡବ୍ଲ୍ୟୁ-୦୪୭୨ ନମ୍ବରର ବାଇକ୍‌ରେ ପଳାଇ ଯାଇଥିଲା ।

ମା’ କନକ ଫେରିବା ପରେ ଉଭୟ ସେଠାରୁ ଯାଇ ଉକ୍ତ ଯୁବକ ଜଣକ ରଂଜନ ପଣ୍ଡା ଓ ଲାଲ ସାର୍ଟ ପିନ୍ଧିଥିବା ଅନ୍ୟଜଣେ ଯୁବକଙ୍କ ନିକଟରେ ଠିଆ ହୋଇଥିବାର ଦେଖି ଉଭୟ କାହିଁକି ଅଶ୍ଳୀଳ ଭାଷା ପ୍ରୟୋଗ କଲେ ବୋଲି ପଚାରିଥିଲେ । ଏହି ଘଟଣାରେ ସେଠାରେ ଉପସ୍ଥିତ ଥିବା ରଞ୍ଜନ ପଣ୍ଡା, ବାବୁ ଓ ଅନ୍ୟ ଯୁବକ ଜଣକ ମା’ ଝିଅଙ୍କୁ ଅର୍ଦ୍ଧ ଉଲଗ୍ନ କରି ଗଡାଇ ପଡାଇ ମାଡମାରି ମୋବାଇଲଟିକୁ ଭାଙ୍ଗି ଦେଇଥିଲୁ । ଏବଂ ସେଠାରେ ବେଶି ସମୟ ରହିଲେ ଲୋକ ଲଗାଇ ଏସିଡ୍ ଛାଟି ହତ୍ୟା କରିବାର ଧମକ ଦେଇଥିଲେ । ଏବଂ ସେମାନଙ୍କ ନିକଟରେ ଥିବା ଘଣ୍ଟା ଓ ୭ ହଜାର ଟଙ୍କା ଛଡାଇ ନେଇଥିବାର ଅଭିଯୋଗ ହୋଇଛି । ଏହି ଘଟଣା ପରେ କନକ ଝିଅ ସହ ସହରାଞ୍ଚଳ ଥାନାରେ ପହଞ୍ôଚ ଅଭିଯୁକ୍ତଙ୍କ ନାମରେ ଏକ ମାମଲା ରୁଜୁ କରିବା ପରେ ପୁଲିସ୍‌ଙ୍କ କହିବା ମୂଳେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇ ଦୁଇଦିନ ଚିକିତ୍ସିତ ହୋଇଥିଲେ । ତେବେ ଅଭିଯୁକ୍ତମାନଙ୍କ ନାମରେ ସଂଗୀନ ଦଫାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୁଲିସ୍ ଉକ୍ତ ଘଟଣାର ତଦନ୍ତ କରି ସେମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ଉଭୟ ମା’ ଓ ଝିଅ ପ୍ରତିପକ୍ଷଙ୍କ ଆକ୍ରମଣ ଭୟରେ ଭଡାଘରକୁ ନଯାଇ ରେଳଷ୍ଟେସନରେ ରାତ୍ରି ଯାପନ କରିଥିଲେ । ଏଣୁ ଗତକାଲି ସକାଳୁ ଷ୍ଟେସନରୁ ଗାଡି ଯୋଗେ ଆସି ଭଦ୍ରକ କଲେଜ ପୋଲ ନିକଟ ମାଛ ମାର୍କେଟ୍ ଦେଇ ଘରକୁ ଫେରୁଥିବାବେଳେ ପ୍ରତିପକ୍ଷ ପୁନର୍ବାର ସେମାନଙ୍କ ପ୍ରତି ଆକ୍ରମଣ ପୂର୍ବକ ମୋବାଇଲ୍ ଛଡାଇ ନେଇଥିଲେ । ଏ ସଂପର୍କରେ ଉଭୟ ପୁନର୍ବାର ସହରାଞ୍ଚଳ ଥାନାରେ ଜଣାଇବା ପରେ ପୁଲିସ୍ ପ୍ରତିପକ୍ଷଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ସେମାନଙ୍କୁ ଥାନାରେ ସକାଳୁ ଦିନ ୩ଟା ପର୍ଯ୍ୟନ୍ତ ଅଟକ ରଖିଥିଲା ।

ଇତିମଧ୍ୟରେ ରଂଜନ ଥାନାକୁ ଆସି ପୁଲିସ୍ ସମ୍ମୁଖରେ ମା’ ଝିଅଙ୍କ ପ୍ରତି ଅଶାଳୀନ ବ୍ୟବହାର ପ୍ରଦର୍ଶନ ପୂର୍ବକ ସେମାନେ ଚିହ୍ନିନଥିବା ପୂର୍ଣ୍ଣିମା ସାହୁ ନାମକ ମହିଳାଙ୍କ ଦ୍ୱାରା ଏକ ଅଭିଯୋଗ ଦେଇଥିଲେ । ତେବେ ପୁଲିସ୍ ୩ ଦିନ ତଳେ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ନାମରେ ଗୁରୁତର ଦଫାରେ ମାମଲା ରୁଜୁ କରିଥିଲେ ମଧ୍ୟ ଏବଂ ପ୍ରତିପକ୍ଷ ୩ ଦିନ ପରେ ଥାନାକୁ ଆସି ସେମାନଙ୍କ ନାମରେ ମିଥ୍ୟା ଅଭିଯୋଗ ଦେବା ପରେ ପୁଲିସ୍ ପୂର୍ବ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇ ମା’ ଝିଅଙ୍କୁ ଥାନାରେ ଅଟକ ରଖିବା ଘଟଣା ବିରୁଦ୍ଧରେ ଉଭୟ ଥାନାଧିକାରୀଙ୍କୁ ଅବଗତ କରାଇବାକୁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ସେଠାରେ ଉପସ୍ଥିତ ଅଧିକାରୀମାନେ ତାହା କରାଇଦେଇନଥିଲେ । ଏପରିକି ସେମାନଙ୍କୁ ଅଟକ ମୁଦାଲାଙ୍କୁ ଦିଆଯାଉଥିବା ଭାତ ଯାଚି ମୁଖ୍ୟ ଅଭିଯୁକ୍ତଙ୍କୁ ଚେୟାରରେ ବସାଇଥିଲେ ବୋଲି କନକଲତା ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏବଂ ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ସହ ସହରାଞ୍ଚଳ ଥାନା ଓ ପୁରୁଣା କୋର୍ଟ ପରିସରରେ ଥିବା ତହସିଲ କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ମୂଳେ ଅଭିଯୁକ୍ତଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣର ଦାବି ସହ ନିଜର ଓ ଝିଅର ସୁରକ୍ଷା ପାଇଁ ଗୁହାରି କରିଥିଲେ । ଏଠାରେ ସୂଚନାଯୋଗ୍ୟ ଏହି ଘଟଣାରେ ଉଭୟ ପକ୍ଷଙ୍କ ପକ୍ଷରୁ ପୃଥକ୍ ପୃଥକ୍ ଦୁଇଟି ମାମଲା ରୁଜୁ ହୋଇଛି । ଏହି ଘଟଣା ପରେ ଏସ୍‌ପିଙ୍କ ଅନୁପସ୍ଥିତିରେ ଡିଆଇବି ଡିଏସ୍‌ପି କମଳଲୋଚନ ଭୂୟାଁ ସେମାନଙ୍କୁ ଅତିରିକ୍ତ ଏସ୍‌ପି ବିଜୟ ରଂଜନ କେରକେଟାଙ୍କୁ ସାକ୍ଷାତ୍ କରାଇ ଆଜିସୁଦ୍ଧା ଘଟଣାର ତଦନ୍ତ କରାଯିବାର ପ୍ରତିଶ୍ର୍ରୁତି ଦେବା ପରେ ମା’ ଝିଅଙ୍କ ଆମରଣ ଅନଶନ ପ୍ରତ୍ୟାହୃତ ହୋଇଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.