Home ଜିଲ୍ଲା ପରିକ୍ରମା ବିଧବା ମହିଳାଙ୍କୁ ଶ୍ୱଶୁରଘର ଲୋକଙ୍କ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

ବିଧବା ମହିଳାଙ୍କୁ ଶ୍ୱଶୁରଘର ଲୋକଙ୍କ ମରଣାନ୍ତକ ଆକ୍ରମଣ, ଥାନାରେ ଅଭିଯୋଗ

157

ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ଷାଟିବାଟି ଗ୍ରାମର ଶ୍ୱଶୁରଘର ଲୋକଙ୍କ ଦ୍ୱାରା ନିର୍ଯ୍ୟାତିତା ବିଧବା ମହିଳା ବିଜୟଲକ୍ଷ୍ମୀ ଆଚାର୍ଯ୍ୟ ଓରଫ ପଣ୍ଡା ଅଭିଯୁକ୍ତମାନଙ୍କ ସହ ଥାନାରେ ଆପୋଷ ସମାଧାନ କରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଭଦ୍ରକାଳୀ ସାହି ନିବାସୀ ନିଜ ଭାଇ ରାଜେନ୍ଦ୍ର ସହ ବାଇକ୍‌ରେ ଆସୁଥିବାବେଳେ ସଂପୃକ୍ତ ଅଭିଯୁକ୍ତମାନେ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଗୁରୁତର କରିଥିବା ନେଇ ଆଜି ତିହିଡି ଥାନାରେ ଅଭିଯୋଗ ହୋଇଛି । ତେବେ ଗୁରୁତର ବିଜୟଲକ୍ଷ୍ମୀ ପ୍ରଥମେ ତିହିଡି ଓ ଏବେ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ଭାଇ ରାଜେନ୍ଦ୍ରର ଅଭିଯୋଗ ପତ୍ର ମୂଳେ ତିହିଡି ଥାନା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ପ୍ରାପ୍ତ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଭଦ୍ରକାଳୀ ସାହି ନିବାସୀ ରତ୍ନାକର ପଣ୍ଡାଙ୍କ କନ୍ୟା ବିଜୟଲକ୍ଷ୍ମୀ ସହ ତିହିଡି ଥାନା ଅଧୀନସ୍ଥ ଷାଟିବାଟି ଗ୍ରାମର ତପନ ଆଚାର୍ଯ୍ୟଙ୍କ ସହ ବିବାହ ହୋଇଥିଲା । ତେବେ ବିବାହ ପରେ ତପନଙ୍କୁ ଚକ୍ରାନ୍ତ କରି ତାର ପରିବାର ଲୋକେ ମାରିଦେଇଥିବା ବିଷୟ ଅଭିଯୋଗ ପତ୍ରରେ ଉଲ୍ଲିଖିତ ଅଛି । ଏହାପରେ ବିଧବା ବିଜୟଲକ୍ଷ୍ମୀ ନିଜ ଘରେ କିଛିଦିନ ରହି ତାର ଶ୍ୱଶୁରଘରକୁ ଗତ ୨୦ ତାରିଖରେ ଯାଇଥିବାବେଳେ କାହ୍ନୁଆ ଦାସ ଓ ତାର ମା’ ଓ ଭାଇ ତାକୁ ମାଡ ମାରି ତାର ସୁନାଗହଣା ଓ ଆସବାବ ପତ୍ର ଛଡାଇ ନେଇଯାଇଥିଲେ । ଏ ସଂପର୍କରେ ତିହିଡି ଥାନାରେ ଅଭିଯୋଗ ପରେ ଗତକାଲି ଅଭିଯୁକ୍ତମାନେ ଥାନାରେ ନିଜର ଭୁଲ୍ ସ୍ୱୀକାର ପୂର୍ବକ ଘଟଣାର ଆପୋଷ ସମାଧାନ କରିଥିଲେ । ମାତ୍ର ବିଜୟଲକ୍ଷ୍ମୀ ଥାନାରୁ ନିଜ ଭାଇ ରାଜେନ୍ଦ୍ର ସହ ଘରକୁ ଫେରୁଥିବାବେଳେ ତିହିଡି ତହସିଲ ରୋଡ୍ ନିକଟରେ ସୁଶାନ୍ତ ମଳିକ, କାହ୍ନୁଆ ଦାସ, ତା ସାନଭାଇ, ବିଜୟଲକ୍ଷ୍ମୀଙ୍କ ଦିଅର ଓ ତାଙ୍କର କିଛି ସହଯୋଗୀ ୨/୩ଟି ବାଇକ୍‌ରେ ଆସି ସେମାନଙ୍କ ଗାଡି ଅଟକାଇ ଏକ ଭୁଜାଲି ଦ୍ୱାରା ବିଜୟଲକ୍ଷ୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏପରିକି ଆକ୍ରମଣ ସମୟରେ ତାଙ୍କୁ ଅର୍ଦ୍ଧ ଉଲଗ୍ନ କରି ସେ ପିନ୍ଧିଥିବା ସୁନାଗହଣା ଛିଣ୍ଡାଇ ନେଇଥିଲେ । ରାଜେନ୍ଦ୍ର ଏହି ଘଟଣା ସଂପର୍କରେ ପୁଲିସ୍‌କୁ ଫୋନ୍ କରି ଭଉଣୀ ବିଜୟଲକ୍ଷ୍ମୀଙ୍କୁ ପ୍ରଥମେ ତିହିଡି ଓ ପରେ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ଡାକ୍ତରଖାନା ଆଣିଥିଲେ । ଏବେ ବିଜୟଲକ୍ଷ୍ମୀଙ୍କ ଅବସ୍ଥା ସଂକଟାପନ୍ନ ଥିବାବେଳେ ତାକୁ ଆକ୍ରମଣ କରିଥିବା ଓ ତାଙ୍କ ସ୍ୱାମୀଙ୍କୁ ଚକ୍ରାନ୍ତପୂର୍ଣ୍ଣ ଭାବେ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ ପଦକ୍ଷେପ ନେବାକୁ ରାଜେନ୍ଦ୍ର ଥାନାରେ ଅଭିଯୋଗ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.