ଭଦ୍ରକ, ୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଅନ୍ତର୍ଗତ ୨୯ ନଂ ୱାର୍ଡ ଗରଦପୁର ସ୍ଥିତ ସତ୍ୟସାଇ ବିଷ୍ଣୁମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ଜମି ଅଧିଗ୍ରହଣ ନିମନ୍ତେ ସରକାରୀ ଚିଠି ହୋଇଥିଲେ ବି ପ୍ରଶାସନିକ ମନ୍ଥରତା ଗ୍ରାମବାସୀଙ୍କ ଅସନ୍ତୋଷର କାରଣ ହୋଇଛି। ଏ ନେଇ ଗ୍ରାମାବସୀ ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରକାଶ ଯେ ଉକ୍ତ ବିଦ୍ୟାଳୟ ସୀମିତ ଜମି ୁପରେ ରହିଥିବାରୁ ଏହାର ଉନ୍ନତିକରଣ ସମ୍ଭବ ହୋଇ ପାରୁନାହିଁ। ଆଗାମୀ ଦିନରେ ଉକ୍ତ ଉଚ୍ଚ ବିଦ୍ୟାଳୟ ଯୁକ୍ତ ୨ ଶ୍ରେଣୀ ଖୋଲାଯିବାର ସରକାରୀ ପ୍ରସ୍ତାବ ରହିଥିବାରୁ ସ୍ଥାନ ଅଭାବରୁ ତାହା ହୋଇ ପାରୁ ନାହିଁ। ଉକ୍ତ ବିଦ୍ୟାଳୟ ପାଇଁ ପୂର୍ବରୁ ଜମିଦାନ କରିଥିବା ବ୍ୟକ୍ତିଙ୍କର ଉତରାଧିକାରୀ ଏହାର ପାଶ୍ୱର୍ବର୍ତୀ ଜମିର ମାଲିକ ହୋଇଥିଲେ ମଧ୍ୟ ବିଦ୍ୟାଳୟ ପାଇଁ ଉକ୍ତ ଜମିର ଆବଶ୍ୟକତା ଥିବାରୁ ଗ୍ରାମବାସୀଙ୍କ ଦାବିକୁ ହୃଦୟଙ୍ଗମ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଉକ୍ତ ଜମି ଅଧିଗ୍ରହଣ ପାଇଁ ଜିଲ୍ଳା ଜମି ଅଧିଗ୍ରହଣ ଅଧିକାରୀ ଚିଠି ସଂଖ୍ୟା-୨୨୯୦/ଏ୍ଲ.ଏ, ତା୧୫.୦୩.୨୦୨୩ରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି କରିଥିଲେ। ମାତ୍ର ପରବର୍ତୀ ସମୟରେ ଏ ଦିଗରେ ପ୍ରଶାସନିକ ତତ୍ପରତା ନଥିବାରୁ ଏହା ଫାଇଲ୍ ଭିତରେ ଚାପି ହୋଇ ରହିଯାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରି ଜମି ଅଧିଗ୍ରହଣ କରିବା ପାଇଁ ଗ୍ରାମବାସୀ ରବିନାରାୟଣ ଜେନା, ପ୍ରଫୁଲ୍ଲ ଗୁମାର ଦାସ, ଅଶୋକ କୁମାର ଦାସ, ସୁଜିତ କୁମାର ସେନଗୁପ୍ତା, ଲକ୍ଷ୍ମଣ କୁମାର ମହାନ୍ତି, ବିଜୟ କୁମାର ଅଗସ୍ତି, ହରିହର ମହାନ୍ତି, ପ୍ରଦ୍ୟୋତନ ସୁଆର, ହୃଷିକେଶ ମହାନ୍ତି, ନରେନ୍ଦ୍ର ମହାପାତ୍ର, ନିତ୍ୟାନନ୍ଦ ମିଶ୍ର, ରାମଚନ୍ଦ୍ର କର, ମଧୁସୂଦନ ତ୍ରିପାଠୀ ପ୍ରମୁଖ ଦାବି ଜଣାଇଛନ୍ତି।






