Home Top News ବିଜୟଙ୍କ ଯୋଗଦାନ – ଆଶୀର୍ବାଦ ନା ଅଭିଶାପ

ବିଜୟଙ୍କ ଯୋଗଦାନ – ଆଶୀର୍ବାଦ ନା ଅଭିଶାପ

157

ଓଡ଼ିଶାର ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି। ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଗୋଟିଏ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ସେ ହାତ ଧରିଛନ୍ତି। କଂଗ୍ରେସ ସାଧାରଣ ସମ୍ପାଦକ କେ. ସି. ବେନୁଗୋପାଳ, ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତରେ ସେ ଦଳରେ ଯୋଗ ଦେଇଛନ୍ତି। କିଛି ଦିନ ତଳେ ଚର୍ଚ୍ଚା ହେଉଥିଲା ସେ କଂଗ୍ରେସରେ ଯୋଗଦେବେ। ଦିଲ୍ଲୀରେ କଂଗ୍ରେସ ଜାତୀୟ ସଭାପତି ମଲିକର୍ଜୁନ ଖଡକେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେବେ। ମାତ୍ର ସେମିତି କିଛି ଘଟଣା ଘଟିଲା ନାହିଁ।

ଏବେ ପ୍ରଶ୍ନ ଉଠୁଛି ବିଜୟ କଂଗ୍ରେସରେ ଯୋଗ ଦେଲାପରେ ତାଙ୍କ ଗୁରୁତ୍ୱ କଣ ରହିବ ଦଳ ଭିତରେ। ଏ କଥା ସତ୍ୟ ଯେ ପ୍ରଶାସନିକ କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତ ରହିଛି। ମାତ୍ର ରାଜନୀତିରେ ଏହା କେତେଦୂର ଫଳପ୍ରଦ ହେବ ତାହା ଗୋଟିଏ ପ୍ରଶ୍ନବାଚୀ। ତା ଛଡା ବିଜୟ ପଟ୍ଟନାୟକ ବିଜେଡି ସରକାର ବିଶେଷ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଅତି ଖାସ ପ୍ରଶାସନିକ ଅଧିକାରୀ ଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଥିଲେ। ମୁଖ୍ୟ ଶାସନ ସଚିବ ହେଲେ। ଅବସର ପରେ ସରକାର ତାଙ୍କୁ ଷ୍ଟାଫ ସିଲେକସନ କମିଶନ ଓ ମାନବାଧିକାର କମିଶନରେ ମଧ୍ୟ ଅବସ୍ଥାପିତ କରିଥିଲେ। ତେବେ କଣ ଅସୁବିଧା ହେଲା ଯେ ସେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ। ପୂର୍ବରୁ ପ୍ରତିଥର ରାଜ୍ୟସଭା ନିର୍ବାଚନ ସମୟରର ତାଙ୍କ ନାମ ଚର୍ଚ୍ଚାକୁ ଆସେ। ଯେହେତୁ ସେ ବିଜେଡି ସରକାରର ଖାସ ଅଫିସର ଥିଲେ ତେଣୁ ତାଙ୍କ ନାମ ଆସିବାଟା ସ୍ୱାଭାବିକ। ମାତ୍ର କିଛି ଫଳପ୍ରଦ ହୁଏନାହିଁ। ତେଣୁ ବିଜେଡି ସରକାର ଠାରୁ ସେ ଦୁରେଇ ଗଲେ ନା ସରକାର ତାଙ୍କୁ ଦୁରେଇ ଦେଲା ତାହା ଗୋଟିଏ ପ୍ରଶ୍ନବାଚୀ। କଂଗ୍ରେସରେ ଯୋଗ ଦେଲା ପରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। କହିଛନ୍ତି ଏ ସରକାର ଦୁର୍ନୀତିରେ ଲିପ୍ତ। ଗଣତନ୍ତ୍ର ଭୁଶୁଡି ପଡିଛି। ଏଠାରେ ପ୍ରଶ୍ନ ଉଠୁଛି ସେ ଯେତେବେଳେ ବିଜେଡି ସରକାରର ଗେଲହା ପୁଅ ଥିଲେ ଏ ବାବଦରେ ତାଙ୍କୁ କଣ ଜଣା ନ ଥିଲା ? ତଥ୍ୟ କହୁଛି ତୃତୀୟ ମହଲାର ପ୍ରଭାବଶାଳୀ ଅଫିସର ଙ୍କ ସହିତ ତାଙ୍କର ସମ୍ପର୍କ ଉତ୍ତମ ରହିଲା ନାହିଁ। ତେଣୁ ତାଙ୍କର ବିଜେଡି ତରଫରୁ ରାଜନୈତିକ ଅଭିଳାଷ ପୂରଣ ହେବାରେ ପ୍ରତିବନ୍ଧକ ସୃଷ୍ଟି ହେଲା।

ଓଡ଼ିଶାରେ ଅବସର ପରେ ଅନେକ ପ୍ରଶାସନିକ ଅଧିକାରୀ ସିଧାସଳଖ ରାଜନୀତିରେ ସେମାନଙ୍କ ଭାଗ୍ୟ ପରୀକ୍ଷା କରି ପରାଜୟବରଣ କରିସାରିଛନ୍ତି। ତେଣୁ ବିଜୟ ପଟ୍ଟନାୟକ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିସାରିଛନ୍ତି। କେତେ ସଫଳତା ପାଇବେ ୨୦୨୪ କହିବ। ମାତ୍ର ବିଜେଡିର ରଣନୀତିକୁ ପାର କରିବା ଭାରି କଠିକର ପାଠ ହେବ ତାଙ୍କ ପାଇଁ। ତା ଛଡା ଓଡ଼ିଶାରେ କଂଗ୍ରେସ ନିଜ ସ୍ଥାୟିତ୍ୱ ପାଇଁ ଲଢେଇ କରୁଛି। ଏପରି ସ୍ଥଳେ କଂଗ୍ରେସରେ ଯୋଗଦାନ ବିଜୟଙ୍କ ପାଇଁ ଆଶୀର୍ବାଦ ହବ ନା ଅଭିଶାପ ହେବ ତାହା ଭବିଷ୍ୟତ କହିବ। ବିଜେଡି ସରକାରରେ ଥାଇ ବିଜେଡି ବିରୁଦ୍ଧରେ ଲଢ଼ିଲେ ତାଙ୍କୁ ହରାଇବା ପାଇଁ ସବୁ କୌଶଳ ପ୍ରୟୋଗ କରିବ ବିଜେଡି। ଭୁବନେଶ୍ୱର କ୍ଲବ ସଭାପତି ନିର୍ବାଚନରେ ପରାଜୟ ବରଣ କରିଥିବା ବିଜୟ ବାବୁ କିପରି ରାଜନୀତିରେ ସଫଳତା ପାଉଛନ୍ତି ତାହା ଓଡ଼ିଶାବାସୀ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି।

ପ୍ରିୟ ରଞ୍ଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.