Home ଜିଲ୍ଲା ପରିକ୍ରମା ବିଜେପି ପକ୍ଷରୁ ହେବ ‘ମାଟି ସୁରକ୍ଷା’ ଅଭିଯାନ

ବିଜେପି ପକ୍ଷରୁ ହେବ ‘ମାଟି ସୁରକ୍ଷା’ ଅଭିଯାନ

27

ଭଦ୍ରକ, ୨୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଖୁଆପଦାରେ ବୈତରଣୀ ନଦୀର ବ୍ୟାରେଜ ନିର୍ମାଣ ଓ ଉପକୂଳବର୍ତ୍ତୀ ଗ୍ରାମଗୁଡିକକୁ ବନ୍ୟା ଦାଉରୁ ସୁରକ୍ଷା ନିମନ୍ତେ ଆବଶ୍ୟକ ବନ୍ଧବାଡ ନିର୍ମାଣ ଦାବିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ‘ମାଟି ସୁରକ୍ଷା’ ଅଭିଯାନ ବୁଧବାର ଠାରୁ ଆରମ୍ଭ ହେବ। ଏହି ଅଭିଯାନରେ ପଦଯାତ୍ରା ସହ ବ୍ୟାପକ ସ୍ୱାକ୍ଷର ସଂଗ୍ରହ କରାଯିବ। କୁମ୍ଭାରିଆ ହନୁମାନଜୀଉ ଛକଠାରେ ମଙ୍ଗଳବାର ଅନୁଷ୍ଠିତ ବଳଦେବଜୀଉ ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଏଥିନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମଣ୍ଡଳ ସଭାପତି ଶ୍ରୀଧର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରୀନାରାୟଣ ଧଳ ଯୋଗଦେଇ ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବ୍ୟାରେଜ ନିର୍ମାଣ ପାଇଁ ବିଜେପି ପକ୍ଷରୁ ବହୁ ବର୍ଷଧରି ଦାବି ହୋଇଆସୁଛି। ଉଭୟ ଜଳସେଚନ ପରିସର ଓ ପରିମାଣ ବୃଦ୍ଧି ସହ ବନ୍ୟାନିୟନ୍ତ୍ରଣ ପାଇଁ ଭିତ୍ତିଭୂମି ଥିବା ଆଖୁଆପଦା ଆନିକଟରେ ବ୍ୟାରେଜ ନିର୍ମାଣ ଜରୁରୀ ଆବଶ୍ୟକତା ରହିଛି। ମାତ୍ର ରାଜ୍ୟ ସରକାର ଏହି ବ୍ୟାରେଜ ନିର୍ମାଣ ପ୍ରତି ଉଦାସୀନତା ଦେଖାଇ ଆସୁଥିବାରୁ ଜନ ଅସନ୍ତୋଷ ତୀବ୍ରତର ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉପରେ ନୈତିକ ଚାପ ସୃଷ୍ଟି କରିବା ଉଦ୍ଦେଶ୍ୟରେ ରାଷ୍ଟ୍ରପତିଙ୍କୁ ଏହି ମର୍ମରେ ସ୍ମାରକପତ୍ର ପ୍ରଦାନ କରାଯିବା ସହ ଜନସଚେତନା ସୃଷ୍ଟି ପାଇଁ ଏହି ଅଭିଯାନ ଆରମ୍ଭ କରାଯିବ। ବୁଧବାର ସକାଳେ ଜଗନ୍ନାଥପ୍ରସାଦ ମା’ଖଡ୍ଗଧାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରାଯାଇ ବୈତରଣୀ ନଦୀ ବନ୍ଦାପନା କରାଯିବ। ଏହିଠାରୁ ଅଭିଯାନ ଆରମ୍ଭ ହେବ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନରନାରାୟଣ ପରିଡା, ଅବିନାଶ ନାୟକ, ସୁଶାନ୍ତ ପାତ୍ର, ଦେବାଶିଷ ପଣ୍ଡା, ଦଶରଥ ମଲ୍ଲିକ, ଗଙ୍ଗାଧର ସାମଲ, ଲଳିତ ନାୟକ, ବିଶ୍ୱନାଥ ଜେନା, ବ୍ରଜକିଶୋର ନାୟକ, ସୁଦର୍ଶନ ସାମଲ, ରଶ୍ମିରଞ୍ଜନ ମହାପାତ୍ର, ରାମକୃଷ୍ଣ ମହାପାତ୍ର, ପ୍ରପୁଲ୍ଲ ବରିକ, କେଦାର ସାହୁ ପ୍ରମୁଖ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.