Home Top News ବିଜେପିର ନୂତନ ସଂସଦୀୟ ବୋର୍ଡ ଗଠନ : ଗଡ଼କରୀ, ଚୌହାନ ବାହାର, ହେଲେ କାହିଁକି?

ବିଜେପିର ନୂତନ ସଂସଦୀୟ ବୋର୍ଡ ଗଠନ : ଗଡ଼କରୀ, ଚୌହାନ ବାହାର, ହେଲେ କାହିଁକି?

73

ବୁଧବାର ଅର୍ଥାତ୍ ଆଜି ବିଜେପି ନୂତନ ସଂସଦୀୟ ବୋର୍ଡ ଘୋଷଣା କରିଛି। ସଂସଦୀୟ ବୋର୍ଡରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ ଅମିତ ଶାହା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ସରବାନନ୍ଦ ସୋନୱାଲ, ବିଜେପି ସାଂସଦ କେ.ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ ଏବଂ ବି.ଏଲ୍ ସନ୍ତୋଷଙ୍କ ନାମ ରହିଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା ପୂର୍ବତନ ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ନିତିନ ଗଡ଼କରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ସଂସଦୀୟ ବୋର୍ଡରୁ ବାହାରକୁ ରାସ୍ତା ଦେଖାଇ ଦିଆଯାଇଛି। କେବଳ ଏତିକି ନୁହେଁ ଏକ ନୂତନ ନିର୍ବାଚନ କମିଟି ମଧ୍ୟ ଘୋଷଣା କରାଯାଇଛି। ନିର୍ବାଚନ କମିଟିରେ ମଧ୍ୟ ଏହି ଦୁଇ ବରିଷ୍ଠ ନେତାଙ୍କୁ ମଧ୍ୟ ସ୍ଥାନ ମିଳିନାହିଁ।

କେନ୍ଦ୍ରୀୟ ନିର୍ବାଚନ କମିଟିରେ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଜନାଥ ସିଂ, ଅମିତ ଶାହା, ବି.ଏସ୍ ୟେଦିୟୁରପ୍ପା, ସରବାନନ୍ଦ ସୋନୱାଲ, କେ.ଲକ୍ଷ୍ମଣ, ଇକବାଲ ସିଂ ଲାଲପୁରା, ସୁଧା ଯାଦବ, ସତ୍ୟନାରାୟଣ ଜଟିଆ, ଭୁପେନ୍ଦ୍ର ଯାଦବ, ଦେବେନ୍ଦ୍ର ଫଡନାଭିସ୍, ଓମ୍ ମାଥୁର, ବି.ଏଲ୍ ସନ୍ତୋଷ ଏବଂ ବନଥି ଶ୍ରୀନିବାସଙ୍କୁ ସ୍ଥାନ ଦିଆଯାଇଛି।

ତେବେ ଏଠାରେ ପ୍ରଶ୍ନ ଉଠିପାରେଯେ, ମୋଦି ସରକାରଙ୍କର ସବୁଠାରୁ ସଫଳ କେନ୍ଦ୍ରମନ୍ତ୍ରୀ ଭାବରେ ତଥା ନିଜ କଥାରେ ଅଟଳଥିବା ଏବଂ ଏପରିକି ବିରୋଧିଙ୍କର ପ୍ରଶଂସଯୋଗ୍ୟ ତଥା ଆରଏସ୍‌ଏସ୍‌ର ନିକଟତର ଏବଂ ବିଶ୍ୱସ୍ତ ଭାବରେ ଜଣାଶୁଣା ନିତିନ ଗଡ଼କରୀଙ୍କୁ କିନ୍ତୁ ଏଥିରୁ ବାଦ୍ ଦିଆଗଲା କାହିଁକି?

ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଗଲେ ଅନୁମାନ କରାଯାଇପାରେଯେ, ଗଡ଼କରୀ ସମୟ ସମୟରେ ନିଜ ସରକାରଙ୍କୁ ଆଇନା ଦେଖାଇବାକୁ କୁଣ୍ଠାବୋଧ କରନ୍ତି ନାହିଁ। ଏଠାରେ ଉଦାହରଣ ଦିଆଯାଇପାରେ, କିଛିଦିନ ତଳେ ଗଡ଼କରୀ କହିଥିଲେ ଯେ, ଦେଶର ରାଜନୀତି ଏତେ ଖରାପ ହୋଇଯାଇଛି ଯେ, ବେଳେବେଳେ ସେ ରାଜନୀତିରୁ ଅବସର ନେବାକୁ ପସନ୍ଦ କରିବେ। ଏପରିକି ଗଡକରୀ ଏହା ମଧ୍ୟ କହିଥିଲେ କି ବର୍ତ୍ତମାନର ପରିସ୍ଥିତିର ରାଜନୀତି ଏବଂ ମହାତ୍ମା ଗାନ୍ଧୀଙ୍କ ସମୟର ରାଜନୀତି ମଧ୍ୟରେ ବହୁତ ପାର୍ଥକ୍ୟ ରହିଛି।

ଗଡ଼କରୀ କହିଥିଲେ ଯେ, ଯେତେବେଳେ ଦେଶ ସ୍ୱାଧୀନ ହେଲା ସେତେବେଳେ ରାଜନୀତିରେ ଦେଶ, ବିକାଶ ଏବଂ ସମାଜ ବିଷୟରେ କଥାବାର୍ତ୍ତା ହେଉଥିଲା, କିନ୍ତୁ ଯଦି ଆମେ ଆଜିର ରାଜନୀତିର ସ୍ତରକୁ ଦେଖିବା, ତେବେ ଆମେ କେଉଁଠାରେ ପହଞ୍ଚିଛୁ ସେ ବିଷୟରେ ଚିନ୍ତା କରିବା ଆବଶ୍ୟକ। ଆଜିର ରାଜନୀତି କେବଳ କ୍ଷମତାରେ ରହିବା ପାଇଁ କରାଯାଉଛି। ଏପରିକି ଗଡ଼କରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଶଂସା କରିଥିଲେ।

ପୁନଃ ଯଦି ଅନ୍ୟ କିଛି ବିଷୟ ଉପରେ ଆଲୋକପାତ କରାଯାଏ, ତେବେ ଅନୁମାନ କରାଯାଇପାରେଯେ, ନିମ୍ନ ଲିଖିତ କାରଣ ହୋଇପାରେ ବୋଲି କୁହାଯାଇପାରେ

– ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଗଡ଼କରୀ କହିଥିଲେ ଯେ, ପରାଜୟର ଉତ୍ତରଦାୟୀତ୍ତ୍ୱ ମଧ୍ୟ ଗ୍ରହଣ କରିବା ଉଚିତ୍। ସେ ସମୟରେ ୨୦୧୮ ରେ ହୋଇଥିବା କିଛି ରାଜ୍ୟରେ ବିଜେପିର ପରାଜୟ ପାଇଁ ନରେନ୍ଦ୍ର ମୋଦୀ ଏବଂ ତତ୍କାଳୀନ ବିଜେପି ସଭାପତି ଅମିତ ଶାହାଙ୍କୁ ଟାରଗେଟ କରାଯାଇଥିବାର ଆଲୋଚନା ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଗଡକରୀ ସ୍ପଷ୍ଟ କରିଥିଲେଯେ, ତାଙ୍କ କଥାର ସମ୍ପୂର୍ଣ୍ଣ ଭୁଲ୍ ବ୍ୟାଖ୍ୟା କରାଯାଇଛି।

– ୨୦୧୮ ରେ, ଗଡ଼କରୀ ଚାକିରିର ସୁଯୋଗ ହ୍ରାସ ପାଉଛି ବୋଲି କହିଥିଲେ ଯାହା ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଥିଲା।

– ଜାନୁଆରୀ ୨୦୧୯ ରେ, ଗଡ଼କରୀ କହିଥିଲେ, ‘ଯେଉଁ ରାଜନେତାମାନେ ସ୍ୱପ୍ନ ଦେଖାନ୍ତି ସେମାନଙ୍କୁ ଲୋକମାନେ ପସନ୍ଦ କରନ୍ତି, କିନ୍ତୁ ଯଦି ଦେଖାଯାଇଥିବା ସ୍ୱପ୍ନ ପୂରଣ ହୁଏ ନାହିଁ, ତେବେ ଲୋକମାନେ ମଧ୍ୟ ସେମାନଙ୍କୁ ଛାଡ଼ନ୍ତି ନାହିଁ। ତେଣୁ କେବଳ ସେହି ସ୍ୱପ୍ନଗୁଡ଼ିକ ଦେଖାଇବା ଉଚିତ ଯାହା ପୂରଣ ହୋଇପାରିବ। ମୁଁ ସ୍ୱପ୍ନ ଦେଖାଉଥିବା ଲୋକମାନଙ୍କ ମଧ୍ୟରୁ ନୁହେଁ। ମୁଁ, ଯାହା କୁହେ, ତାହା ୧୦୦% ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରିଥାଏ।

ଏଠାରେ କୁହାଯାଇପାରେଯେ, ଗଡ଼କରୀ ନିଜେ ରାଷ୍ଟ୍ରୀୟ ସଭାପତି ରହିସାରିଛନ୍ତି। ତାଙ୍କର ନିଜର ଏକ ବଡ ରାଜନୈତିକ ପରାକାଷ୍ଠା ମଧ୍ୟ ରହିଛି ତେଣୁ ସେ ମୋଦୀ-ଶାହାଙ୍କ ସାମ୍ନାରେ ଦୃଢ଼ ଭାବରେ ଠିଆ ହେବାର କ୍ଷମତା ରହିଛି।

ଏଠାରେ ଏହା ମଧ୍ୟ ଆଲୋଚନା ହେଉଛିଯେ, ୨୦୧୪ ପରଠାରୁ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ଗୁଡ୍‌ବୁକ୍‌ରେ ଥିବା ବ୍ୟକ୍ତିହିଁ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଆଗକୁ ବଢ଼େଇପାରିବେ। ତେଣୁ ବାଛିବାଛି ସେହିପରି ବ୍ୟକ୍ତିମାନଙ୍କୁ ନିଆଯାଉଛି।

ଏଠାରେ ଏହା ମଧ୍ୟ ଆଲୋଚନା ହେଉଛିଯେ, ମହାରାଷ୍ଟ୍ରରୁ ଦେବେନ୍ଦ୍ର ଫଡଣ୍ଣାଭିସ୍‌ଙ୍କୁ ସ୍ଥାନ ଦିଆଯାଇଛି। ସୂଚନାଯୋଗ୍ୟଯେ, ଗଡକରୀ ଏବଂ ଦେବେନ୍ଦ୍ର ଫଡଣ୍ଣାଭିସ୍‌ ଉଭୟ ମହାରାଷ୍ଟ୍ରରୁ ଆସନ୍ତି। ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ନିର୍ଦ୍ଦେଶରେ ଦେବେନ୍ଦ୍ର ଫଡନାଭିସ୍‌ଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରାଯାଇଥିଲା ଏବଂ ଏହା ପରେ ଧିରେ ଧିରେ ଗଡକରୀଙ୍କ ଘନିଷ୍ଠ ବନ୍ଧୁମାନଙ୍କର ରାଜନୈତିକ ଶକ୍ତି ହ୍ରାସ କରାଯାଇଥିଲା। ତେଣୁ ରାଜନୀତିରେ ଗଡକରୀଙ୍କ ପାଇଁ ଫଡନାଭିସ୍ ବହୁତ ଜୁନିଅର ହେଲେ ମଧ୍ୟ ଗଡ଼କରିଙ୍କୁ ବାଦ ଦିଆଯାଇ ଫଡଣ୍ଣାଭିସ୍‌ଙ୍କୁ ସ୍ଥାନ ଦିଆଯାଇଛି।

ନିଶ୍ଚିତ ଭାବରେ ଗଡକରୀଙ୍କୁ ସଂସଦୀୟ ବୋର୍ଡରୁ ବହିଷ୍କାର କରିବାର ନିଷ୍ପତ୍ତି ଆଗାମୀ ଦିନରେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହେବ। ସଂଘର ନିର୍ଭରଯୋଗ୍ୟ ଏବଂ ଭଲ ଟ୍ରାକ୍ ରେକର୍ଡ ଥିବା ବରିଷ୍ଠ ମନ୍ତ୍ରୀଙ୍କ ମଧ୍ୟରେ ଥିବା ଗଡକରୀ ଥିଲେ ମଧ୍ୟ ସଂସଦୀୟ ବୋର୍ଡରେ କାହିଁକି ସ୍ଥାନ ଦିଆଗଲା ନାହିଁ ସେ ବିଷୟରେ ଅନେକ ଆଲୋଚନା ହୋଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.