Home Top News ବିଜେପିରୁ ବିଜୟୀ ହୋଇ ମିଶିଲେ ବିଜେଡିରେ

ବିଜେପିରୁ ବିଜୟୀ ହୋଇ ମିଶିଲେ ବିଜେଡିରେ

145

ଭଦ୍ରକ, ୭ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନିକଟରେ ସମାପ୍ତ ହୋଇଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏହି ନିର୍ବାଚନରେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥିମୀନେ ବିପୁଳ ସଂଖ୍ୟାରେ ବିଜୟୀ ହୋଇଛନ୍ତି। ତେଣୁ ଭଦ୍ରକ ପଂଚାୟତ ସମିତି ଦଖଲକରିବା ଦିଗରେ ରାଜନୈତିକ ମହଲର ପୂର୍ବାନୁମାନ ଅନୁଯାୟୀ ବିଜେଡି ପାଇଁ କୌଣସି ଅସୁବିଧା ନାହିଁ। କିନ୍ତୁ ଦୁଇ ବିରୋଧୀ ବିଜେପି, କଂଗ୍ରେସ ଦଳର ନେତୃମଣ୍ଡଳୀଙ୍କୁ ଏବେ ଲୋକହସା ହେବାକୁ ପଡୁଛି। କାରଣ ବିଜେପି ଓ କଂଗ୍ରେସ ସମର୍ଥନରେ ଗଠିତ ମଂଚ ବ୍ୟାନରରେ ନିର୍ବାଚିତ ଅଧିକାଂଶ ପ୍ରାର୍ଥୀ ଇତିମଧ୍ୟରେ ବିଜେଡିରେ ସାମିଲ ହୋଇସାରିଲେଣି। ସେହିପରି ସ୍ୱାଧୀନ ଭାବେ ନିର୍ବାଚିତ ପ୍ରାର୍ଥୀ ମଧ୍ୟ ଏବେ ବିଜେଡିରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କେନ୍ଦ୍ରରେ ଥିବା ବିଜେପି ସମର୍ଥନରେ ବିଜୟୀ କେତେକ ସମିତି ସଭ୍ୟ ମଧ୍ୟ ଇତିମଧ୍ୟରେ ବିଜେଡିର ଶରଣ ନେଇଛନ୍ତି। ଏକ ଜାତୀୟ ଦଳର ଜିଲା ନେତୃମଣ୍ଡଳୀ ଏହି ବିଜୟୀ ପ୍ରାର୍ଥୀଙ୍କୁ ଅଟକାଇ ପାରିନାହାଁନ୍ତି। ଯାହାକି ଜିଲା ବିଜେପି ନେତୃମଣ୍ଡଳୀୟଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ କଥା ସତ ସେ ଗତ ପଂଚାୟତ ନିର୍ବାଚନ ଅପେକ୍ଷା ଚଳିତବର୍ଷ ବିଜେପିକୁ ଅଧିକ ଭୋଟ ମିଳିଛି। ଗତ ନିର୍ବାଚନରେ ଖାତା ଖୋଲି ପାରିନଥିବା ବିଜେପି ଚଳିତ ନିର୍ବାଚନରେ ସାହାଡା, ଚଣ୍ଡିଗାଁ, ଅନ୍ନପାଳ, ବାଉଦପୁର ଭଳି ୪ଟି ପଂଚାୟତର ସରପଞ୍ଚ ପଦବୀ ଅକ୍ତିଆର କରିଛି। ଅନୁରୂପ ବେତଡା, ଅନ୍ନପାଳ, ବାଉଦପୁର, କାଉପୁର, ଦୈସିଂ ପଂଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଦଖଲ କରିଛି। ଭୋଟ ହାର ୪୩.୫ ରୁ ବଢି ୪୪ ପ୍ରତିଶତରେ ପହଞ୍ôଚଛି। ମାତ୍ର ଏ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରୁ କେତେକଙ୍କୁ ଦଳ ମଧ୍ୟରେ ଅଟକାଇବା ବିଜେପି ପାଇଁ ସମ୍ଭବ ହୋଇପାରିନି। ପଂଚାୟତ ନିର୍ବାଚନ ଅବସରରେ ବିଭିନ୍ନ ପଂଚାୟତରେ ଦେଖିବାକୁ ମିଳିଥିଲା ବହୁ ରୋଚକ ଦୃଶ୍ୟ। ଅର୍ଦ୍ଧାଧିକ ପଞ୍ଚାୟତରେ ମୁଖ୍ୟ ବିରୋଧୀ ବିଜେପି, କଂଗ୍ରେସ ଦଳ ଉଭୟ ସରପଞ୍ଚ ଓ ସମିସି ସଭ୍ୟ ପ୍ରାର୍ଥୀ ଦେଇପାରିନଥିଲେ।

ଏହି ଦୁଇ ଦଳର ଏକମାତ୍ର ଏଜେଣ୍ଡା ଥିଲା ବିଜେଡିକୁ ହରାଇବା। ତେଣୁ ଏହି ଦୁଇ ଦଳ ନିଜର ସାଙ୍ଗଠନିକ ଶକ୍ତିକୁ ବୃଦ୍ଧି କରିବା ପରିବର୍ତ୍ତେ କେତେକ ସ୍ତାନରେ ଅସନ୍ତୁଷ୍ଟ ବିଜେଡି କର୍ମୀଙ୍କୁ ନେଇ ମଞ୍ଚ ଗଠନ କରିଥିଲେ। କେତେକ ସ୍ଥାନରେ ମଧ୍ୟ ଅସନ୍ତୁଷ୍ଟ ବିଦ୍ରୋହୀ ବିଜେଡି ପ୍ରାର୍ଥୀଙ୍କୁ ନେପଥ୍ୟ ସମର୍ଥନ ଦେଇଥିଲେ। ତେଣୁ ଅର୍ଦ୍ଧାଧିକ ପଂଚାୟତରେ ଦେଖିବାକୁ ମିଳିଥିଲା ବିଜେଡି ସମର୍ଥିତ ପ୍ରାର୍ଥୀ ବନାମ ବିଜେଡି ଅସନ୍ତୁଷ୍ଟ, ମଂଚ ବନା ବିଜେଡି ଓ ବିଜେଡି ବନାମ ମୁଖ୍ୟ ଦୁଇ ବିରୋଧୀ ଦଳ। ତେବେ ନିର୍ବାଚନ ପୂର୍ବରୁ ବିରୋଧୀ ଦଳ ବିଶେଷତଃ ବିଜେପିକୁ ମାନସିକ ସ୍ତରରେ ଦୁର୍ବଳ କରିବାକୁ ଏକ ବିଧିବଦ୍ଧ ରଣନୀତି ଆପଣେଇଥିଲା ବିଜେଡି। ନିର୍ବାଚନର ୧୫ଦିନ ପୂର୍ବରୁ ପ୍ରତ୍ୟେକ ଦିନ ବିଜେପିର କିଛି କର୍ମୀ ବିଭିନ୍ନ ପଂଚାୟତରୁ ଆସି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ବିଜେଡିରେ ଯୋଗଦେଇ ଚାଲିଥିଲେ। ଏପରିକି ପ୍ରଚାର ସମୟରେ ମଧ୍ୟ କେତେକ ପଞ୍ଚାୟତରେ ମିଶ୍ରଣ ପର୍ବ ଚାଲିଥିଲା। ଯାହାକି ଗଣମାଧ୍ୟମରେ ପ୍ରକାଶିତ ହୋଇ ଚାଲିଥିଲା। ବିଧାୟକ ଶ୍ରୀ ମଲ୍ଲିକ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ବିଜେଡି ସମସ୍ତ ୩୬ ପଞ୍ଚାୟତରେ ବିଜୟୀ ହେବ। ଏପରିକି ଯିଏ ଜିତିବ, ସେ ବିଜେଡିର ହେବ ବୋଲି ନିର୍ବାଚନ ପୂର୍ବରୁ କୁହାଯାଇଥିଲା। ତେଣୁ ସମ୍ଭବତଃ ବିଜେଡି ପକ୍ଷରୁ ବିଦ୍ରୋହୀ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ନେତୃମଣ୍ଡଳୀଙ୍କ ବିରୋଧରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ତେବେ ବିଧାୟକ ଶ୍ରୀ ମଲ୍ଲିକଙ୍କ ଦୃଢୋକ୍ତି ଏବେ ସତ୍ୟରେ ପରିଣତ ହେବାରେ ଲାଗିଛି। କାରଣ ଇତିମଧ୍ୟରେ ବହୁ ମଂଚ, ସ୍ୱାଧୀନ ପ୍ରାର୍ଥୀ, ଏପରିକି ବିଜେପି ନେତାଙ୍କ ସହ ବିଜୟ ଉତ୍ସବ ପାଳନ କରିଥିବା କେତେକ ବିଜୟୀ ପ୍ରାର୍ଥୀ ବିଜେଡିରେ ମିଶି ସାରିଛନ୍ତି। ଆଗାମୀ ଦିନରେ ଅବଶିଷ୍ଟ ମଧ୍ୟ ମିଶିବେ ବୋଲି ଅନୁମାନ କରାଯାଉଛି। ତେଣୁ ଏ ସମସ୍ତ ଘଟଣା କ୍ରମ ବିଜେପି ନେତୃମଣ୍ଡଳୀଙ୍କ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.