Home Top News ବିକ୍ଷୋଭ ବେଳେ ବିଜେପିର ଅସଲ ଚେହେରା ଦେଖିଲା ଓଡ଼ିଶା : ବିଜେଡି

ବିକ୍ଷୋଭ ବେଳେ ବିଜେପିର ଅସଲ ଚେହେରା ଦେଖିଲା ଓଡ଼ିଶା : ବିଜେଡି

132

ବିଜେପି ଯୁବମୋର୍ଚ୍ଚାର ହିଂସାତ୍ମକ ଆଚରଣ ଓ ଗୁଣ୍ଡାଗର୍ଦ୍ଦି ପୁଲିସକୁ ବାଡେଇଲେ, ଗାଡ଼ି ଭାଙ୍ଗିଦେଲେ
ସାମ୍ବାଦିକଙ୍କୁ ବି ଛାଡ଼ିଲେନି, ଢେଲାମାଡ଼ରେ ଅନେକ ଆହତ
ଭୁବନେଶ୍ୱର, ୦୯/୧୨ (ଓଡ଼ିଆ ପୁଅ) : ମମିତା ମେହେର ହତ୍ୟାକୁ ପ୍ରସଙ୍ଗ କରି ଆଜି ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ନାଁରେ ବିଜେପି ଯୁବମୋର୍ଚ୍ଚା ଗୁଣ୍ଡାଗର୍ଦ୍ଦି ଓ ବ୍ୟାପକ ହିଂସାକାଣ୍ଡ ଘଟାଇଛି। ଆଜିର ଘଟଣାରେ ଓଡିଶାବାସୀ ବିଜେପିର ଅସଲ ଚେହେରା ଦେଖିବାକୁ ପାଇଥିବା କହିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ।

ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି ଯେ ଯୁବମୋର୍ଚ୍ଚା କର୍ମୀଙ୍କ ମାଡ଼ରେ ଅନେକ ପୁଲିସ ଆହତ ହୋଇଥିବାବେଳେ ସାମ୍ବାଦିକ ମଧ୍ୟ ବାଦ୍ ପଡିନାହାନ୍ତି। କାହାର ମୁଣ୍ଡ ଫାଟିଯାଇଛି ତ ଆଉ କାହାର ହାତ ଭାଙ୍ଗିଛି। ରକ୍ତମୁଖା ହୋଇ ସେମାନେ ପୁଲିସ ଗାଡ଼ିକୁ ମଧ୍ୟ ବାଡେଇ ଭାଙ୍ଗି ଦେଇଛନ୍ତି। ମମିତାଙ୍କୁ ନ୍ୟାୟ ଦେବା ନାଁରେ ରାଜରାସ୍ତାରେ ହିଂସାକୁ ଆପଣାଇ ବିଜେପି କେମିତି ହୀନ ରାଜନୀତି କରୁଛି, ଆଜି ପୁଣି ତାହା ପଦାରେ ପଡିଯାଇଛି। କେବଳ ହିଂସାରେ ବିଶ୍ୱାସ କରୁଥିବା ବିଜେପି ଯୁବମୋର୍ଚ୍ଚାର ଅସଲ ଚରିତ୍ର ଓ ଚେହେରା ସାଢ଼େ ଚାରି କୋଟି ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି।

କେବଳ ସେତିକି ନୁହେଁ, ଶୋଭାଯାତ୍ରାରେ ଆଜି ବିଜେପି କର୍ମୀମାନେ ଧରିଥିବା ପ୍ଲାକାର୍ଡରେ ମୃତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଯେଭଳି ଚିତ୍ରଣ କଲେ, ତାହା ଅତ୍ୟନ୍ତ ନିନ୍ଦନୀୟ। ମମିତାଙ୍କ ବାପା ମା’ ତାଙ୍କ ଝିଅର ଚରିତ୍ର ସଂହାର ନ କରିବାକୁ ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରିଥିଲେ। ମାତ୍ର ଏହାକୁ ବେଖାତିର କରି ବିଜେପି ନେତାମାନେ ତାଙ୍କର ଯେଉଁ ଫଟୋକୁ ଅତ୍ୟନ୍ତ ଅଶୋଭନୀୟ ଭାବେ ଚିତ୍ରଣ କଲେ, ତାହା ସେମାନଙ୍କ ସମ୍ବେଦନହୀନତା ଓ ହୀନ ରାଜନୈତିକ ମନୋଭାବକୁ ପଦାରେ ପକାଇଛି।

ଆମେ ପୂର୍ବରୁ ବି କହିଥିଲୁ, ଆଜି ବିକ୍ଷୋଭର ନେତୃତ୍ୱ ନେଉଥିବା ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଜଣେ ଗୁଣ୍ଡା ପ୍ରକୃତିର ଏବଂ ଅପରାଧ ପ୍ରବଣ ବ୍ୟକ୍ତି। ତାଙ୍କ ନାମରେ ହତ୍ୟା ଓ ହତ୍ୟା ଉଦ୍ୟମ ଭଳି ସଂଗୀନ ମାମଲା ରହିଛି। ପୂର୍ବରୁ ବରଗଡ଼ବାସୀ ତାଙ୍କର ହିଂସାତ୍ମକ ଆଚରଣର ଝଲକ ଦେଖିଥିଲେ। ପୁରୀରେ ମଧ୍ୟ ଅନେକ ବାର ଗୁଣ୍ଡା ଗର୍ଦ୍ଦି କରିଥିବାରୁ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି। ଆଜି ରାଜଧାନୀର ରାଜରାସ୍ତାରେ ପୂରା ଓଡ଼ିଶା ତାଙ୍କ ହିଂସାର ତାଣ୍ଡବ ଦେଖିଲା। ଶାନ୍ତିପ୍ରିୟ ଓଡ଼ିଶାବାସୀ କେବେ ବି ଏଭଳି ହିଂସାକୁ ପସନ୍ଦ କରନ୍ତି ନାହିଁ। ତେଣୁ ଆଗାମୀ ଦିନରେ ଓଡ଼ିଶାର ଜନସାଧାରଣ ଏହାର ଉଚିତ ଜବାବ ଦେବେ। ବିଜେପି ଶୀର୍ଷ ନେତାମାନେ ମଧ୍ୟ ଏଭଳି ଚରିତ୍ରର ବ୍ୟକ୍ତିକୁ ଦଳରେ ପ୍ରଶ୍ରୟ ଦିଅନ୍ତୁ ନାହିଁ। ନ ହେଲେ ଓଡ଼ିଶାବାସୀ ସେମାନଙ୍କୁ ମଧ୍ୟ କ୍ଷମା ଦେବେ ନାହିଁ ବୋଲି ଶ୍ରୀ ଦେବ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.