Home ଜିଲ୍ଲା ପରିକ୍ରମା ବିକାଶ ଅଟକିବ ନାହିଁ, ଡବଲ ଇଞ୍ଜିନ ସରକାର ଦ୍ୱାରା ହେବ ଚାରିଗୁଣା, ଜିଲାସ୍ତରୀୟ ବିକାଶ ମେଳାରେ...

ବିକାଶ ଅଟକିବ ନାହିଁ, ଡବଲ ଇଞ୍ଜିନ ସରକାର ଦ୍ୱାରା ହେବ ଚାରିଗୁଣା, ଜିଲାସ୍ତରୀୟ ବିକାଶ ମେଳାରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

7

ଭଦ୍ରକ, ୧୭ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଏକବର୍ଷ ପୂର୍ତି ପାଳନ ଅବସରରେ ଗତ ୧୨ ତାରିଖରୁ ଭଦ୍ରକ ନେହେରୁ ଷ୍ଟାଡିୟମ୍ ପରିସରରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ବିକାଶ ମେଳା ଓ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବ ୨୦୨୫ର ୬ଷ୍ଠ ଦିନରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିକଶିତ ଓଡ଼ିଶା ଓ ବିକଶିତ ଭଦ୍ରକ ଗଠନରେ ସରକାରଙ୍କ ଆଭିମୁଖ୍ୟ ଓ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ବକ୍ତବ୍ୟ ରଖିôଥଲେ। ମୋହନ ସରକାରଙ୍କ ଦ୍ୱାରା ବିକାଶର ଧାରା ଆରମ୍ଭ ହୋଇସାରିଛି। କୌଣସି ପରିସ୍ଥିତିରେ କେହି ଏହାକୁ ରୋକିପାରିବେ ନାହିଁ। ଦୁଇଟି ଇଞ୍ଜିନରେ ଥିବା ଲୋକଙ୍କ ବିକାଶର ଗତି ବଢିବ। ଏହି ବିକାଶରେ ମହିଳାମାନଙ୍କ ଭାଗୀଦାରୀ ଅନନ୍ୟ। କାରଣ ମହିଳାମାନେ ହିଁ ଅଧିକ ପ୍ରତିଶ୍ରୁତିବଦ୍ଧତା। ସେମାନଙ୍କ ଶକ୍ତିକୁ ମା’ ସୁଭଦ୍ରାଙ୍କ ଶକ୍ତିରେ ରୂପାୟନ କରାଯିବ। ଗାଁ ଗାଁରୁ ଲକ୍ଷପତି ଦିଦିମାନଙ୍କ ସଂଖ୍ୟା ବହୁଗୁଣରେ ବଢିବ। ବିକଶିତ ଗାଁ, ବିକଶିତ ଓଡ଼ିଶା ଯୋଜନାରେ ପ୍ରତି ବ୍ଲକ୍‌ରେ ଷ୍ଟାଡିୟମ୍ ନିର୍ମାଣ, ପ୍ରତି ବ୍ଲକ୍‌କୁ ରାସ୍ତା, ପାନୀୟଜଳ, ଶ୍ମଶାନ ନିର୍ମାଣ ପାଇଁ ବ୍ୟୟବରାଦ, ଅସ୍ମିତା ସରକାରଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ମହିଳାଙ୍କ ହାତତିଆରି ରାଜ୍ୟସ୍ତରୀୟ ପାରମ୍ପରିକ ଖାଦ୍ୟମେଳାର ବିଜେତାଙ୍କୁ ହୋଟେଲ ଖୋଲିବାର ସୁଯୋଗ ପ୍ରଧାନ ଆଦି ସମ୍ବନ୍ଧରେ ସୁବିସ୍ତୃତ ସୂଚନା ପ୍ରଦାନ କରିବା ସହିତ ଭଦ୍ରକ ଜିଲାର ବିକାଶ ପାଇଁ ପ୍ରଦତ ବିଭିନ୍ନ ଆବଂଟନ ସମ୍ବନ୍ଧରେ ଅବଗତ କରାଇଥିଲେ। ବାବା ଆଖଣ୍ଡଳମଣିଙ୍କ ପୀଠ ଆରଡି ପାଇଁ ୧୦ କୋଟି, ଗୋହିରାଟିକିରୀ କନଭେନସନ ସେଂଟର ଓ ମୁକୁନ୍ଦଦେବ ମେମୋରିଆଲ ପାର୍କ ପାଇଁ ୧୦ କୋଟି, ପାଳିଆର ବିରଂଚି ନାରାୟଣ ମନ୍ଦିର ପାଇଁ ୫୦ ଲକ୍ଷ, ସ୍ମୃତିପୀଠ ଇରମ ପାଇଁ ୧ କୋଟି, ମା’ ଭଦ୍ରକାଳୀ ପୀଠ ପାଇଁ ୨ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଥିବାର ସେ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ଏ ବର୍ଷ ଗାଁ ଗଣ୍ଡାରେ ଯେତେ ମା’ ଙ୍କ ଶକ୍ତିପୀଠ ଅଛି, ସେଗୁଡିକୁ ପର୍ଯ୍ୟଟନ ବିଭାଗ ଦ୍ୱାରା ଉନ୍ନତି କରାଯାଇ ଶକ୍ତି କରିଡରରେ ପରିଣତ କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଥିଲେ। ଭଦ୍ରକ ଜିଲାରେ ୨ ଲକ୍ଷ ୪୫ ହଜାର ୧୦୯ ଜଣ ସିଏମ୍ କିଶାନ, ୨ ଲକ୍ଷ ୧ ହଜାର ୭୨୯ ପିଏମ୍ କିଶାନରେ ଅନ୍ତର୍ଭୁକ୍ତ ହେବା, ୪ ଲକ୍ଷ ୨୭ ହଜାର୫୪ ଜଣ ସୁଭଦ୍ରା ପାଇଥିବା, ଜିଲାର ୮୬ ହଜାର ୫୬୩ ଜଣ ଧାର୍ଯ୍ୟଲକ୍ଷ୍ୟରୁ ୮୩ ହଜାର ୭୩୭ ଜଣ ଲକ୍ଷପତି ଦିଦି ହୋଇସାରିଥିବା ସମ୍ବନ୍ଧରେ ମଧ୍ୟ ସେ ସୂଚନା ପ୍ରଦାନ କରିଥିଲେ। ଜିଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ‘ବର୍ଷ ଏକ ଉପଲବ୍ôଧ ଅନେକ’, ଜିଲାସ୍ତରୀୟ ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ସବୁ ଦିଗରେ ବିକାଶ ହିଁ ବିକାଶ ମେଳା ବୋଲି ପ୍ରକାଶ କରିଥିଲେ। ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନିଜ ବକ୍ତବ୍ୟରେ ସରକାରଙ୍କ ଏକବର୍ଷ ମଧ୍ୟରେ ପୂରଣ ହୋଇସାରିଥିବା ସମସ୍ତ ଉପଲବ୍ôଧ ଗୁଡିକର ଅବତାରଣ କରିଥିଲେ। ଏହି ମେଳା ପରିପ୍ରେକ୍ଷୀରେ ଜିଲାପାଳଙ୍କ ପରାମର୍ଶରେ ଅବସରପ୍ରାପ୍ତ ଅଧ୍ୟକ୍ଷ ସାହିତ୍ୟିକ ପବିତ୍ର ପାଣିଗ୍ରାହୀଙ୍କ ସଂପାଦନାରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ପ୍ରକାଶିତ ବିକାଶ ଆଧାରିତ ପୁସ୍ତିକା ‘ବିକାଶ ପଥେ ଭଦ୍ରକ – ପ୍ରଗତି ପ୍ରବାହର ଏକବର୍ଷ’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ବୃହତ୍ ନିଯୁକ୍ତି ମେଳାରେ ମନୋନୀତ ଯୁବ ପ୍ରତିଭାମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବା ସହିତ ଜିଲାସ୍ତରୀୟ ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟିକ ଗୋଷ୍ଠୀମାନଙ୍କ ମଧ୍ୟରୁ ବିଜେତା ହୋଇଥିବା ଗୋଷ୍ଠୀଙ୍କୁ ଅର୍ଥ ପୁରଷ୍କାର, ଲକ୍ଷପତି ଦିଦି, ଶିକ୍ଷା ବିଭାଗ, ସ୍ୱଳ୍ପ ସଂଚୟ ବିଭାଗ, ଜିଲା ସାମାଜିକ ସୁରକ୍ଷା ବିଭାଗ, ଜିଲା ଶ୍ରମ ବିଭାଗ, ଜିଲା ସମାଜ ମଂଗଳ ବିଭାଗ, ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ସ୍ଥିରୀକୃତ ହିତାଧିକାରୀ ପ୍ରତିଭା ଓ ନିର୍ଦ୍ଧାରିତ ବ୍ୟକ୍ତିମାନଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରଷ୍କାର ବିତରଣ କରାଯାଇଥିଲା। ବସୁନ୍ଧରା ଯୋଜନାରେ ହିତାଧିକାରୀ ଜମିପଟ୍ଟା, ସାମାଜିକ ସୁରକ୍ଷା ଯୋଜନାରେ ସିଆରଏସଆର ଆନୁକୂଲ୍ୟରେ ୫ ଜଣ ଦିବ୍ୟାଙ୍ଗଙ୍କୁ ମୁଖ୍ୟ ଅତିଥି ମୋଟରାଇଜଡ୍ ଟ୍ରାଇ ସାଇକେଲ୍ ବଂଟନ କରିଥିଲେ। ବନ୍ତ ବ୍ଲକ୍‌ର କାଦବରାଙ୍ଗରେ ଗ୍ରାମୀଣ ଉଦ୍ୟୋଗ ପାର୍କ ଠାରେ କାର୍ଯ୍ୟ କରୁଥିବା ମା’ ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ବିବିଧ ଶସ୍ୟରୁ ପ୍ରସ୍ତୁତ ପୁଷ୍ଟିକର ଅଟା ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ବିକଶିତ ଓଡ଼ିଶା ପାଇଁ ବିକଶିତ ଜିଲା ଶୀର୍ଷକ ଉପରେ ଆୟୋଜିତ ହେବାକୁ ଥିବା କର୍ମଶାଳାକୁ ଆନୁଷ୍ଠାନିକ ଭାବେ ମୁଖ୍ୟଅତିଥି ମଂଚରେ ଘୋଷଣା କରିଥିଲେ। ଜିଲାପାଳ କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିବାବେଳେ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଡେପୁଟି କଲେକ୍ଟର ତଥା ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳ ମଂଚରେ ଆୟୋଜିତ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଉଦ୍‌ଘୋଷିକା ଜୟଶ୍ରୀ ପତି ଉଦ୍‌ଘୋଷଣ ଦାୟିତ୍ୱ ତୁଲାଇଥିଲେ। ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଏହି ମେଳାରେ ଓରମାସ ଓ ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ଅନୁଷ୍ଠିତ ପ୍ରଦର୍ଶନୀ ମେଳାକୁ ଉପମୁଖ୍ୟମନ୍ତ୍ରୀ ପରିଦର୍ଶନ କରି ଜିଲା ଶ୍ରମ ବିଭାଗ ଦ୍ୱାରା ପ୍ରସ୍ତୁତ ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଦ୍ୱାରା ସମ୍ମାନ ଓ ସ୍ମୃତି ଓ ପ୍ରତୀକ ଭାବରେ ଭଦ୍ରକ ଜିଲାର କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ଏକ ଗଣେଶ କଳାକୃତି ମୂର୍ତି ପ୍ରଦାନ କରାଯାଇଥିଲା। ଅତିରିକ୍ତ ଜିଲାପାଳ ସରୋଜ କୁମାର ଦତ, ଅତିରିକ୍ତ ଜିଲା ଆରକ୍ଷୀ ଅଧୀକ୍ଷକ ଅରୂପ ଅଭିଷେକ ବେହେରା, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର କୁମାର ସାମଲ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆନୁସଙ୍ଗିକ ଦାୟିତ୍ୱ ନିର୍ବାହ କରିଥିଲେ। ପ୍ରତିକୂଳ ପାଗ ସତ୍ୱେ ସହସ୍ରାଧିକ ସଂଖ୍ୟାରେ ଜିଲାବାସୀ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ। ଓରମାସର ଭାଗ୍ୟଲକ୍ଷ୍ମୀ ରାଉତ, ମିଶନ ଶକ୍ତି, ଡିପିସି ଅଭିକ ନାରାୟିନ, ଜିଲା ଶ୍ରମ ଅଧିକାରୀ ପ୍ରେମମଂଜରୀ ନାୟକ, ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଜିଲା ଦକ୍ଷତା ଓ ନିୟୋଜନ ଅଧିକାରୀ ଅନିତା ନାୟକ, ଜିଲା ସମାଜ ମଂଗଳ ଅଧିକାରୀ ରୂପାଲି ମିତ୍ରଙ୍କ ସମେତ ସମସ୍ତ ଜିଲାସ୍ତରୀୟ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଆନୁସଙ୍ଗିକ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.