ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ୟାସ୍ ସିନା ଚାଲିଗଲା, କିନ୍ତୁ ଛାଡିଦେଇଗଲା ତାର ଚିହ୍ନ ଓ ଦେଇଗଲା କିଛି ଲୋକଙ୍କୁ ଅସହ୍ୟ ଦୁଃଖ, କଷ୍ଟ ଓ ଯନ୍ତ୍ରଣା । ଏହି ବାତ୍ୟା ଜନିତ ବନ୍ୟାଜଳରେ ତିହିଡି ବ୍ଲକ୍ର କେତେକ ପଂଚାୟତ ଆଜି ମଧ୍ୟ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇରହିଛନ୍ତି । ତେବେ ତିହିଡି ଯୁବମଂଚ ତରଫରୁ ବିଚ୍ଛିନ୍ନ ହୋଇପଡିଥିବା ସୟା ପଂଚାୟତ ଅଧୀନସ୍ଥ ବାହାକୁଲା ଗ୍ରାମରେ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି । ଶୁଖିଲା ଖାଦ୍ୟ ସାମଗ୍ରୀ, ମହମବତୀ, ଦିଆସିଲି ଓ ଜରୁରୀ ଔଷଧ ଭଳି ସାମଗ୍ରୀମାନ ପ୍ରଦାନ କରାଯାଇଛି । ସଂଗଠନ ପକ୍ଷରୁ ସଭାପତି କୈଳାସ ବେହେରା, ସଂପାଦକ ଅନୀଲ ନାୟକ, ଉପସଭାପତି ପ୍ରିୟବ୍ରତ ପାଢୀ, ସୋସିଆଲ ମିଡିଆ ସଂଯୋଜକ ନିରଂଜନ ବାରିକ, ସଦସ୍ୟ ଅଭିଜିତ୍ ନାୟକ, ସୁମନ ଦୀକ୍ଷିତ୍, ସତ୍ୟବାଦୀ କୁଣ୍ଡୁ ପ୍ରମୁଖ ବନ୍ୟା ପାଣିରେ ନିଜ ଜୀବନକୁ ବିପନ୍ନ କରି ରିଲିଫ୍ ସାମଗ୍ରୀ ଦେବା ଘଟଣାକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।