ଭଦ୍ରକ, ୨୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଧୀନ ବାହାବଳପୁର ପଂଚାୟତର ମା’ ଶୁଭଦ୍ରା ସ୍ୱୟଂ ସହାୟକ ଗୋଷ୍ଠୀ ଧାନମଣ୍ଡିରେ ୨୦୦୦ କୁଇଣ୍ଟାଲରୁ ଅଧିକ ଧାନ ବର୍ଷାରେ ଭିଜୁଛି। ଜିଲାପାଳ ଧାନ କିଣିବାକୁ ରୋକ ଲଗାଇଥିଲେ ମଧ୍ୟ ପୂର୍ବରୁ ପଡ଼ି ରହିଥିବା ଧାନ ମିଲର ନ ଉଠାଇବାରୁ ବର୍ଷାରେ ଧାନବସ୍ତା ଭିଜି ନଷ୍ଟ ହେଉଛି। ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଯାହାଫଳରେ ଧାନ ବସ୍ତା ଗୁଡ଼ିକୁ ମଣ୍ଡି ଦାୟିତ୍ୱରେ ଥିବା ମହିଳା ଗୋଷ୍ଠୀର ସଦସ୍ୟମାନେ ଅଇତ କରିବାକୁ ଚେଷ୍ଟା କରି ମଧ୍ୟ ବିଫଳ ହେବା ସମ୍ଭାବନା ରହିଛି। ଗତ ୪ଦିନ ଧରି ପବନ ସାଙ୍ଗକୁ କୁଆପଥର ବର୍ଷା ଲାଗି ରହିଛି। ମଣ୍ଡିରେ ପଡ଼ି ରହିଥିବା ଧାନକୁ ପାଲ ସାହଯ୍ୟରେ ଢାଙ୍କିଥିଲେ ମଧ୍ୟ ପବନରେ ପାଲ ଉଡ଼ିଯିବା ପରେ ଧାନ ବସ୍ତା ବର୍ଷାରେ ଭିଜୁଛି। ଏପରିକି ପବନରେ ପାଲ ନଉଡ଼ିବା ପାଇଁ ଧାନଗଦା ଉପରେ ପଡ଼ିଥିବା ପାଲରେ ଲୋକମାନେ ଶୋଇ ରହି ପାଲ ଉଡ଼ିବାରୁ ରକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ମହିଳା ସ୍ୱୟଂ ସାହାୟକ ଗୋଷ୍ଠୀ ପକ୍ଷରୁ ଜିଲା ଯୋଗାଣ ବିଭାଗ ରାଇସ ମିଲ୍ଙ୍କୁ ଗାଡ଼ି ପଠାଇବା ପାଇଁ କହିଥିଲେ ମଧ୍ୟ ସେମାନେ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି। ଯାହାଫଳରେ ଧାନ ବସ୍ତା ଭିଜିବା ନିଶ୍ଚିତ ହୋଇଛି। ତେବେ ତୁରନ୍ତ ସମସ୍ୟାର ସମାଧାନ ପ୍ରତି ଜିଲାପାଳ ଦୃଷ୍ଟି ଦେବାକୁ ମହିଳା ଗୋଷ୍ଠୀର ସଭାନେତ୍ରୀ ବାସନ୍ତୀ ବେହେରା, ସମ୍ପାଦିକା ଶକୁନ୍ତଳା ବେହେରା, ସଦସ୍ୟା ମାତାଜୀ ବେହେରା, ଶାନ୍ତିଲତା ବେହେରା ଓ ଦମୟନ୍ତୀ ବେହେରା ପ୍ରମୁଖ ଦାବି କରିଛନ୍ତି। ମହିଳା ଗୋଷ୍ଠୀରେ ୪୦୪ଜଣ ଚାଷୀ ପଞ୍ଜୀକୃତ ହୋଇଥିଲେ। ଏବେ ସୁଦ୍ଧା ମଣ୍ଡିକୁ ଧାନ କିଣିବା ପାଇଁ ୧୫୪୨୪ କୁଇଣ୍ଟାଲ ଟାର୍ଗେଟ ମିଳିଛି। ତନ୍ମଧ୍ୟରୁ ୧୦୯୫୨ କୁଇଂଟାଲ ଧାନ କିଣି ସାରିଥିବା ଜଣାପଡ଼ିଛି।
Home ଜିଲ୍ଲା ପରିକ୍ରମା ବାହାବଳପୁର ମା’ ସୁଭଦ୍ରା ସ୍ୱୟଂ ସାହାୟକ ଗୋଷ୍ଠୀ ଧାନମଣ୍ଡିରେ ୨ ହଜାର କୁଇଂଟାଲ ଧାନ ବର୍ଷାରେ...