ଭଦ୍ରକ, ୧୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାପାଳ ଓ.ଏସ୍.ପି.ଙ୍କ ମିଳିତ ଜନଶୁଣାଣି ଶିବିର ଆୟୋଜନ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୧୧ ସୋମବାର ଦିନ ବାସୁଦେବପୁର ବ୍ଲକ୍ ରେ ଅନୁଷ୍ଠିତ ହୋଇଯାଇଛି। ଟାଉନ୍ହଲ, ବାସୁଦେବପୁରରେ ଆୟୋଜିତ ଏହି ଶିବିରରେ ଯୋଗଦେଇ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାଏ ଓ ଭଦ୍ରକ ଏସ୍.ପି. ମାଡ଼କର ସନ୍ଦୀପ ସମ୍ପତ ସମୁଦାୟ ୨୧୩ ଟି ଅଭିଯୋଗର ଶୁଣାଣି କରିଥିଲେ। ସେଥି ମଧ୍ୟରେ ୧୯୮ ଟି ବ୍ୟକ୍ତିଗତ ଓ ୧୫ଟି ସାମୂହିକ ସମସ୍ୟା ଭିତିକ ଅଭିଯୋଗ ଥିଲା। ଏଥି ମଧ୍ୟରେ ରେଡ୍କ୍ରସ୍ ସମ୍ବନ୍ଧୀୟ ଜଣେ ଆବେଦନକାରୀଙ୍କୁ ୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ, ବାସୁଦେବପୁର ବି.ଡ଼ି.ଓ. ସଂଜିବ୍ କୁମାର ସାହୁ ପ୍ରମୁଖ ଏହି ଶିବିରରେ ଯୋଗ ଦେଇ ଶୁଣାଣି କାର୍ଯ୍ୟରେ ଜିଲ୍ଲାପାଳଙ୍କୁ ସହଯୋଗ କରିଥିଲେ। ଡେପୁଟୀ କଲେକ୍ଟର ତନ୍ମୟ କୁମାର ଜେନା, ବାସୁଦେବପୁର ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା, ବାସୁଦେବପୁର ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସମୀର ରଞ୍ଜନ ଦାସ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ଉପସ୍ଥାପନା ଓ ଶିବିର ପରିଚାଳନାରେ ଆନୁସଙ୍ଗିକ ସହଯୋଗ କରିଥିଲେ। ଜିଲ୍ଲାସ୍ତରୀୟ ଏବଂ ଉକ୍ତ ବ୍ଲକ୍ ସ୍ତରୀୟ ଅଧିକାରୀମାନେ ମଧ୍ୟ ଏହି ଶିବିରରେ ଉପସ୍ଥିତ ରହି ଅଭିଯୋଗ ସବୁ ସମାଧାନ ନେଇ ଆବଶ୍ୟକ ମତେ ଜିଲ୍ଲାପାଳଙ୍କ ଠାରେ ତଥ୍ୟ ଉପସ୍ଥାପନ କରିଥିଲେ। ଆବାସ ଯୋଜନା, ବିଭିନ୍ନ ଭତା ମଞ୍ଜୁରୀ, ବାତ୍ୟାରେ ଘର ଭାଙ୍ଗିବା, ଜମିଜମା ଆଦି ସଂକ୍ରାନ୍ତୀୟ ବିଭିନ୍ନ ବିଭାଗ ସଂପୃକ୍ତ ଅଭିଯୋଗର ନିୟମାନୁଯାୟୀ ସମାଧାନ ପାଇଁ ଜିଲ୍ଲାପାଳ ଶିବିରରେ ଉପସ୍ଥିତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ।