ଭଦ୍ରକ, ୧୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତିହିଡି ବ୍ଲକ୍ର ତିଆଡି ସାହି ଗାଁର ବାସନ୍ତୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଛାତ୍ରଛାତ୍ରୀମାନେ ଆଜି ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି । ଛାତ୍ରଛାତ୍ରୀମାନଙ୍କର ଅଭିଯୋଗ ଥିଲା ବିଦ୍ୟାଳୟରେ କମ୍ପ୍ୟୁଟର ଶିକ୍ଷକ ଓ ପିଅନ ପଦବୀ ପୂରଣ କରିବା, ନୂଆ ସ୍ମାର୍ଟ ଶ୍ରେଣୀଗୃହ ନିର୍ମାଣ, ଅଡିଟୋରିୟମ୍ ନିର୍ମାଣ, ଉନ୍ନତମାନର ମଧ୍ୟାହ୍ନ ଭୋଜନ ପ୍ରଦାନ, ରୋଷେଇ ଘର ନିର୍ମାଣ ଓ ଖାଇବା ପାଇଁ ଡାଇନିଂ ରୁମ୍ ନିର୍ମାଣ ସହ ଗୁଣାତ୍ମକ ଶିକ୍ଷାଦାନ ଆଦି ଦାବିଗୁଡିକ ଛାତ୍ରଛାତ୍ରୀମାନେ ଉପସ୍ଥାପନ କରି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଛାତ୍ରଛାତ୍ରୀମାନଙ୍କ କହିବା ଅନୁସାରେ ବାସନ୍ତୀ ନୋଡାଲ ସ୍କୁଲ ଉଚ୍ଚ ବିଦ୍ୟାଳୟରେ ମୋଟ ୩ ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଦଶମ ଶ୍ରେଣୀର ୫୮ ଜଣ ଓ ନବମ ଶ୍ରେଣୀରେ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୫ଟି ପକ୍ଷରୁ ନିର୍ମାଣ ହୋଇଥିବା ଶ୍ରେଣୀଗୃହ ୨ଟିରେ ମାତ୍ର ୭୦ ଜଣ ଲେଖାଏଁ ଛାତ୍ରଛାତ୍ରୀଙ୍କ ବସିବା ପାଇଁ ସ୍ଥାନ ରହିଛି । ସ୍ଥାନ ଅଭାବରୁ ଅନ୍ୟ ପିଲାମାନେ ଛିଡା ହୋଇ କେତେବେଳେ ତଳେ ବସି ପାଠ ପଢୁଛନ୍ତି । ପିଅନ ନଥିବାରୁ ପ୍ରତି ପିରିୟଡ୍ ଶେଷରେ ଘଣ୍ଟା ବାଜିବା ସମ୍ଭବ ହୋଇପାରୁନାହିଁ । ବିଦ୍ୟାଳୟରେ ଶ୍ରେଣୀଗୃହ ଓ ବିଦ୍ୟାଳୟ ପରିସରକୁ ଛାତ୍ରଛାତ୍ରୀମାନେ ପ୍ରତ୍ୟେକ ଦିନ ସଫା କରୁଛନ୍ତି । କମ୍ପ୍ୟୁଟର ଶିକ୍ଷକ ପଦବୀ ବହୁଦିନରୁ ଫାଙ୍କା ପଡିଛି । ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନର କୌଣସି ଅର୍ଥ ଏହି ବିଦ୍ୟାଳୟକୁ ମିଳିନାହିଁ । ବିଦ୍ୟାଳୟର ଭତ୍ତିଭୂମିର ବିକାଶ ପାଇଁ ସେଭଳି କିଛି ଆଖିଦୃଶିଆ ଅନୁଦାନ ମିଳିନାହିଁ । ଛାତ୍ରଛାତ୍ରୀମାନଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ଦାବୀଗୁଡିକୁ ଏସଏଫ୍ଆଇ ରାଜ୍ୟ ସାଂଗଠନିକ କମିଟି ସଭ୍ୟ ବିକ।। ନାଥ, ଜିଲା ଆବାହକ ଦାସୀନାଥ ଭୋଇ ସମର୍ଥନ କରିଛନ୍ତି । ଏହି ଆନ୍ଦୋଳନରେ ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରମଣ ରଂଜନ ମହାନ୍ତି, ଛାତ୍ର ରାଜଦୀପ ମହାପାତ୍ର, ସୁଧାଂଶୁ ବାରିକ, ପ୍ରଜ୍ଞା ପରମିତା ସାହୁ, ଗୀତାରାଣୀ ମହାନ୍ତି, ଦେବସ୍ମିତା ପରିଡା, ମୌସୁମୀ ମହାନ୍ତି, ଗାୟତ୍ରୀ ସାହୁ, ମାନସୀ ସାହୁ ପ୍ରମୁଖ ସାମିଲ ଥିଲେ ।
Home ଜିଲ୍ଲା ପରିକ୍ରମା ବାସନ୍ତୀ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ପ୍ରଶାସନର ଦ୍ୱାରସ୍ଥ