Home ଜିଲ୍ଲା ପରିକ୍ରମା ବାଲ୍ୟ ବିବାହ ଏକ ବ୍ୟାଧି, ସଚେତନତା ହିଁ ଏହାର ଔଷଧ, ଫେଲୋସିପ୍ ସ୍ୱଧାର ଗୃହରେ ବାଲ୍ୟ...

ବାଲ୍ୟ ବିବାହ ଏକ ବ୍ୟାଧି, ସଚେତନତା ହିଁ ଏହାର ଔଷଧ, ଫେଲୋସିପ୍ ସ୍ୱଧାର ଗୃହରେ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା

36

ଭଦ୍ରକ, ୩୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହିଳା ଓ ବାଳିକା ହିଂସା ନିରୋଧ ସପ୍ତାହ ପାଳନ ଅବସରରେ ଆଜି ଅପରାହ୍ନରେ ଭଦ୍ରକ ଫେଲୋସିପ୍ ସ୍ୱଧାର ଗୃହରେ ବାଲ୍ୟ ବିବାହ ପ୍ରତିରୋଧ କର୍ମଶାଳା ଅନୁଷ୍ଠିତ ହୋଇଥିଲା । ଫେଲୋସିପ୍‌ର ଅଧ୍ୟକ୍ଷ ଲଲାଟେନ୍ଦୁ ମହାନ୍ତିଙ୍କ ସଯୋଜନାରେ ଅନୁଷ୍ଠିତ ଏହି କର୍ମଶାଳାରେ ସଭାପତି ପ୍ରାଧ୍ୟାପିକା ଝରଣା ପଟ୍ଟନାୟକ, ସମ୍ପାଦକ ଫାରୁକ୍ ଭାଇ, ଅତିଥି ଜୁଭେନାଇଲ ବୋର୍ଡର ସଦସ୍ୟ ଅଧିବକ୍ତା ଶିବ ପ୍ରସାଦ ମହାନ୍ତି, ପ୍ରାଧ୍ୟାପିକା ଡ. ରାଧାରାଣି ମହାପାତ୍ର, ସାମ୍ବାଦିକ ତପନ କୁମାର ମିଶ୍ର, ଛାତ୍ରୀ କଳ୍ପନା ନାୟକ ଯୋଗ ଦେଇଥିଲେ । ବାଲ୍ୟ ବିବାହ ହେଉଛି ଏକ ବିରାଟ ସାମାଜିକ ବ୍ୟାଧି । ଏହି ବ୍ୟାଧିର ମହୌଷଧି ହେଉଛି କେବଳ ସଚେତନତା । ଲୋକେ ଯେତେ ସଚେତନ ହେବେ ଏ ବ୍ୟାଧି ମୂଳପୋଛ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଅଧିବକ୍ତା ଶ୍ରୀଯୁକ୍ତ ମହାନ୍ତି ତାଙ୍କ ବକ୍ତବ୍ୟରେ ଜଣେ ୧୮ବର୍ଷରୁ କମ ବାଳିକା କିମ୍ବା ୨୧ ବର୍ଷର କମ୍ ବାଳକର ଶାରିରୀକ ଅଭିବୃଦ୍ଧି ଘଟିଥିଲେ ମଧ୍ୟ ମାନସିକ ସ୍ତରରେ ସେମାନେ ନିଜକୁ ଏକ ପରିବାର ଭାବେ ଗଢିବା ପାଇଁ ସକ୍ଷମ ହୋଇ ନ ଥାଆନ୍ତ ବୋଲି ମତ ପୋଷଣ କରିଥିବା ବେଳେ ସାମ୍ବାଦିକ ଶ୍ରୀଯୁକ୍ତ ମିଶ୍ର ଏହି ଆଇନରେ ପରିବର୍ତ୍ତନ ହେବା ଜରୁରୀ ବୋଲି କହିଥିଲେ । ଯେତେବେଳେ ଆଇନ ପ୍ରଣୟନ ହୋଇଥିଲା ସେତେବେଳର ପାରିପାଶ୍ୱିର୍କ ପରିସ୍ଥିତି ପରିବେଶକୁ ନେଇ ବାଳକ ବାଳିକାଙ୍କ ପାଇଁ ବୟସ ଧାର୍ଯ୍ୟ ହୋଇଥିଲା । ଏବେ ତାହାର ପରିବର୍ତ୍ତନ ହୋଇଥିବା କାରଣରୁ ବାଳକ ବାଳିକାଙ୍କ ବୟସ ଧାର୍ଯ୍ୟ କରାଯିବା ନେଇ ଶ୍ରୀଯୁକ୍ତ ମିଶ୍ର ମତ ପୋଷଣ କରିଥିଲେ । ତେବେ ବାଲ୍ୟ ବିବାହ କ୍ଷେତ୍ରରେ ଭଦ୍ରକ ଜିଲ୍ଲା ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଯଥେଷ୍ଟ ଭଲ ସ୍ଥିତିରେ ରହିଛି । ଅନ୍ୟ ଜିଲ୍ଲାମାନଙ୍କ ଠାରୁ ଭଦ୍ରକ ଜିଲ୍ଲା ବାଲ୍ୟ ବିବାହ ପରିସଂଖ୍ୟାନରେ ବହୁ ତଳେ ରହିଛି ବୋଲି ଶ୍ରୀଯୁକ୍ତ ମହାନ୍ତି କହିଥିଲେ । ଏହି ଅବସରରେ ସ୍ୱଧାର ଗୃହର ଅନ୍ତେବାସୀ ଛୋଟଛୋଟ ପିଲାମାନେ ବାଲ୍ୟ ବିବାହ କରିବା ଏକ ଅପରାଧ ଦର୍ଶାଇ ଏକ ନାଟିକା ପରିବେଷଣ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶିଶୁ ଯତ୍ନ କେନ୍ଦ୍ର ଓ ସ୍ୱଧାର ଗୃହ ଅଧ୍ୟକ୍ଷା ଯୋଗମାୟା ଚାନ୍ଦ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.