Home ଓଡ଼ିଶା ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ : ଅଧୁନା ବନ୍ୟା ପରିସ୍ଥିତି...

ବାଲେଶ୍ୱରର ବନ୍ୟା ସ୍ଥିତିକୁ ଦେଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ : ଅଧୁନା ବନ୍ୟା ପରିସ୍ଥିତି ମନୁଷ୍ୟକୃତ :- ଶରତ ପଟ୍ଟନାୟକ

42

ଭୁବନେଶ୍ୱର ୨୩/୦୮ (ଓଡ଼ିଆ ପୁଅ) : ସାରା ରାଜ୍ୟରେ ୧୫ ଜିଲ୍ଲାର ୧୫ ଲକ୍ଷରୁ ଅଧିକ ଲୋକ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ଦୀର୍ଘ ୧ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ମହାନଦୀ ଓ ତା’ର ଶାଖା ନଦୀରେ ବନ୍ୟାଜଳ ଆସିବାରୁ ଛୋଟ ଛୁଆଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ଗାଈ ଗୋରୁ, ଛେଳି, ମେଣ୍ଢା ଆଦି ସମସ୍ତେ ଜଳବନ୍ଦି ହୋଇ ରହିଛନ୍ତି। ଏହି ଅବସରରେ ଆଜି ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟାଂଚଳ ଗ୍ରସ୍ତ କରି ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ସରକାରଙ୍କ ଉପରେ ଅସନ୍ତୋଷ ଜାହିରି କରିଛନ୍ତି। ବନ୍ୟା ପରିଚାଳନାରେ ଘୋର ତୃଟି ଯୋଗୁଁ ବନ୍ୟା ନିୟନ୍ତ୍ରଣ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବିଶେଷ କରି ବାଲେଶ୍ୱର ଜିଲ୍ଲାର ଅଧିକାଂଶ ଅଂଚଳର ଗରୀବ ଲୋକମାନେ ୩ ଦିନ ଧରି ଚଳବନ୍ଦି ହୋଇ ରହିଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର ସେମାନଙ୍କ ପାଖରେ ପହଂଚି ପାରିନାହାନ୍ତି କିମ୍ବା ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାଲ, ପିଇବା ପାଣି ଓ ହାଲୋଜେନ୍ ବଟିକା ଇତ୍ୟାଦି ଅତି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚିପାରିନାହିଁ, ଯାହାକି ୨୨ ବର୍ଷର ବିଜେଡ଼ି ସରକାରଙ୍କ ଦକ୍ଷତା ଓ ବନ୍ୟା ଦୃର୍ଗତଙ୍କ ପାଇଁ ତାଙ୍କ ନିଷ୍ଠା ଓ ପାରିବାପଣିଆକୁ ସୂଚାଉଛି। ହଜାର ହଜାର ଏକର ଚାଷ ଜମି, ପରିବା ଚାଷ ଜମି ଓ ପାନ ବରଜ ବନ୍ୟାରେ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ରାଜ୍ୟ ସରକାର ଜିରୋ କାଜୁଆଲଟି କଥା କେବଳ ଗଣମାଧ୍ୟମରେ କହୁଛନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ୧୫ ରୁ ଅଧିକ ଲୋକ କାନ୍ଥ ଭୁଷୁଡ଼ିବା ଏବଂ ବନ୍ୟା ଜଳରେ ଭାସି ଯାଇ ମୃତ୍ୟୁବରଣ କରିଛନ୍ତି।
ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲ୍ଲାର ବାଲିଆପାଳ, ଜଳେଶ୍ୱର, ଭୋଗରାଇ ଓ ବସ୍ତା ଆଦି ଅଂଚଳର ବନ୍ୟା ବିପନ୍ନକୁ ଭେଟି ତାଙ୍କ ଦୁଃଖ ଦୁର୍ଦ୍ଦିଶା କଥା ବୁଝିଛନ୍ତି। ବାଲେଶ୍ୱର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକ ବାଲେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ସଂଜୀବ ଗିରୀଙ୍କ ତତ୍ୱାବଧାନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ବନ୍ୟା ପ୍ରପିଡ଼ିତଙ୍କୁ ଶୁଖିଲା ଖାଦ୍ୟ, ହାଲୋଜିନ୍ ବଟିକା, ପିଇବା ପାଣି, ପାଲ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ କରିଥିଲେ। ଏହି ଅବସରରେ ରାଜ୍ୟ ସରକାରଙ୍କୁ ଅତି କଟୁ ସମାଲୋଚନା କରି କହିଛନ୍ତି ଦୀର୍ଘ ୨୨ ବର୍ଷ ଧରି ରାଜ୍ୟରେ ଶାସନ କରୁଥିବା ବିଜେଡ଼ି ସରକାର ବନ୍ୟାଂଚଳ ପାଇଁ କୌଣସି ସ୍ଥାୟୀ ପ୍ରତିକାର ନ କରି ମିଛ ପ୍ରତିଶ୍ରୁତି ଦେଇ ସାଧାରଣ ଜନତାକୁ ପ୍ରତାରଣା କରିଚାଲିଛନ୍ତି। ଯାହାଫଳରେ ଏଭଳି ମନୁଷ୍ୟକୃତ ବନ୍ୟା ଦେଖାଦେଇଛି। ସୁବର୍ଣ୍ଣରେଖା ନଦୀର ବନ୍ୟାକୁ ସପୂର୍ଣ୍ଣ ରୂପେ ନିୟନ୍ତ୍ରଣ କରିବା ପାଇଁ କଂଗ୍ରେସ ସରକାର ସମୟରେ ଯୋଜନ ପ୍ରସ୍ତୁତ କରାଯାଇଥିଲା। କିନ୍ତୁ ଏହି ୨୨ ବର୍ଷର ସରକାର ଏହାକୁ କାର୍ଯ୍ୟକାରୀ କରାଇବାରେ ସାମାନ୍ୟତମ ନିଷ୍ଠା ଦେଖାଇଲେ ନାହିଁ। ଯଦି କଂଗ୍ରେସ ରାଜ୍ୟରେ ୨୦୨୪ରେ କ୍ଷମତାକୁ ଆସିବ ତାହାଲେ ସୁବର୍ଣ୍ଣରେଖାର ବନ୍ୟାକୁ ସଂପୂର୍ଣ୍ଣ ନିୟନ୍ତ୍ରଣ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ବାହାଘରବେଳେ ବାଇଗଣ ରୁଇଁଲା ପରି ବନ୍ୟା ବିପନ୍ନଙ୍କ ପାଇଁ ରାଜ୍ୟ ସରକାର ଯାହା କରୁଛନ୍ତି ତାହା ନ କହିବା ଭଲ। ଗରୀବ ଲୋକଙ୍କ ପାଇଁ ରାଜ୍ୟ ସରକାର ବିଜୁ କୁଡ଼ିଆ ଯୋଜନା, ବିଜୁ ପକ୍କା ଯୋଜନା ଇତ୍ୟାଦି କଲେ। କିନ୍ତୁ ଆଜି ହଜାର ହଜାର ଲୋକ ମାଟି ଘରେ ଅଛନ୍ତି। ତେଣୁ ଏହି ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ କାହିଁକି ବାଦ୍ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେ ଆହୁରି କହିଛନ୍ତି ଏ ରାଜ୍ୟ ସରକାର କେବଳ ଭୋଟ ହାତେଇବା ପାଇଁ ଯୋଜନାଗୁଡ଼ିକ ଘୋଷଣା କରିଛନ୍ତି। ହଜାର ହଜାର କୋଟି ଟଙ୍କା ନଦୀବନ୍ଧ ସୁରକ୍ଷା ମରାମତି ପାଇଁ ଖର୍ଚ୍ଚ କରାଯାଉଛି। କିନ୍ତୁ ଏତେ ଘାଇ କିପରି ହେଲା। ମୁଖ୍ୟମନ୍ତ୍ରୀ କେବଳ କାଚ ଘରେ ବସି ଏବଂ ଆକାଶମାର୍ଗରେ ଯାଇ ବନ୍ୟାଂଚଳ ବୁଲିଆସିଲେ ବନ୍ୟା ଦୁର୍ଗତଙ୍କ ଦୁଃଖ ସରିବ ନାହିଁ। ତେଣୁ ବନ୍ୟା ଦୁର୍ଗତଙ୍କ କଥା ଅଗ୍ରାଧିକାର କଥା ବୁଝନ୍ତୁ ଏବଂ ଆବଶ୍ୟକ ରିଲିଫ୍ ସାମଗ୍ରୀ ତୁରନ୍ତ ଯୋଗାଇବା ସହ ହାଲୋଜେନ ବଟିକା ଯୋଗାନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଏବେ ବି ବହୁ ଲୋକ ପାଣି ଘେରରେ ଅଛନ୍ତି। ତାଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ଅଣାଯିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ସହିତ ଆସନ୍ତା ଚାଷ ପାଇଁ କୃଷକ ମାନଙ୍କୁ ବିହନ ଓ ସାର ବିନାମୂଲ୍ୟରେ ଯୋଗାଇ ଦିଅନ୍ତୁ। ନଦୀରେ ସୃଷ୍ଟିରେ ହୋଇଥିବା ଘାଇକୁ ତୁରନ୍ତ ମରାମତି କରାଯାଉ। ଏ ସମୟରେ ବନ୍ୟାଂଚଳରେ ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୋଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ଜିଲ୍ଲା ସଭାପତି ସଂଜୀବ ଗିରୀ, ବିଧାୟକ ସୁଦର୍ଶନ ଦାସ, ସତ୍ୟସୁନ୍ଦର ଦାସ, ବିଜନ ନାୟକ, ରାଜ୍ୟ ସାମାଜିକ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅଭିଶେକ ମହାନନ୍ଦ ପ୍ରମୁଖ ବହୁ ଛାତ୍ର, ମହିଳା, ଯୁବ ଓ ନେତୃବର୍ଗମାନେ ବନ୍ୟାଂଚଳ ପରିଦର୍ଶନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.