Home ଜିଲ୍ଲା ପରିକ୍ରମା ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

ବାଲେଶ୍ୱରରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

60

ବାଲେଶ୍ୱର, ୨୦-୬ (ଓଡ଼ିଆ ପୁଅ/ଅଭୟ ଦାସ) : ସଦର ବ୍ଲକ ଅନ୍ତର୍ଗତ ପଦମପୁର ଗ୍ରାମ ପଂଚାୟତର ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ଶୁକ୍ରବାରଦିନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ କେ-ସୁଦର୍ଶନ ଚକ୍ରବର୍ତ୍ତୀ ମକଡ୍ରିଲକୁ ଉଦଘାଟନ କରିଥିଲେ। କୋଭିଡ-୧୯ ମାର୍ଗଦର୍ଶିକା ଅନୁଯାୟୀ ମକଡ୍ରିଲ ସମୟରେ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପିନ୍ଧିବା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ସେହିପରି ମକଡ୍ରିଲ ପୂର୍ବରୁ ଏବଂ ପରେ ଆଶ୍ରୟସ୍ଥଳୀଗୁଡିକର ବିଶୋଧନ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜନସାଧାରଣଙ୍କୁ ଏ ଦିଗରେ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସମଗ୍ର ରାଜ୍ୟରେ ମକଡ୍ରିଲ ହୋଇଥିବା ବେଳେ ବାଲେଶ୍ୱର ଜିଲ୍ଲାର ସମସ୍ତ ବ୍ଲକ ତଥା ୧୪୦ଟି ବନ୍ୟା/ବାତ୍ୟା ଆଶ୍ରୟସ୍ଥଳୀରେ ଅନୁରୂପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜିଲ୍ଲା ଜରୁରୀକାଳୀନ ବିଭାଗ ପକ୍ଷରୁ କୁହାଯାଇଛି। ବଡକିଆ ବାତ୍ୟା ଆଶ୍ରୟସ୍ଥଳୀରେ ଏହି ଜିଲ୍ଲାସ୍ତରୀୟ ମକଡ୍ରିଲରେ ଏନଡିଆରଏଫ୍ ଓ ଅଗ୍ନିଶମ ବିଭାଗର ଅଧିକାରୀ ତତା କର୍ମଚାରୀମାନଙ୍କ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିଭଳି ଉଦ୍ଧାର କରାଯାଇଥାଏ, ସେ ସମ୍ପର୍କିତ କୌଶଳ ପ୍ରଦର୍ଶିତ ହୋଇଥିଲା। ଏଥି ସହିତ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ଉପକରଣ ପ୍ରଦର୍ଶନ ସହ ସେ ଗୁଡିକର କାର୍ଯ୍ୟକ୍ଷମତା ବାବଦରେ ଅବଗତ କରାଯାଇଥିଲା। ଓସଡାମା ସହଯୋଗରେ ଅନୁଷ୍ଠିତ ଏହି ମକଡ୍ରିଲରେ ସ୍ଥାନୀୟ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ୱର ଉପ-ଜିଲ୍ଲାପାଳ ନୀଲୁ ମହାପାତ୍ର, ସଦର ବିଡିଓ ନରେନ୍ଦ୍ର ଖମାରୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଥିବା ବିଭିନ୍ନ ଉପକରଣ ଓ ଯନ୍ତ୍ରପାତିଗୁଡିକର ସ୍ଥିତି ସଂପର୍କରେ ସଠିକ ତଥ୍ୟ ହାସଲ କରିବା ଲାଗି ମକଡ୍ରିଲ ସହାୟକ ହୋଇଥାଏ ବୋଲି ଅଧିକାରୀମାନେ ପ୍ରକାଶ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ଜନସାଧାରଣ ସର୍ବଦା ପ୍ରସ୍ତୁତ ହୋଇ ରହିବାକୁ ଏହି ଅବସରରେ ଆହ୍ୱାନ ଦିଆଯାଇଥିଲା। ବାଲେଶ୍ୱର ଜିଲ୍ଲା ଜରୁରୀକାଳୀନ ଅଧିକାରୀ ରିଜୱାନା କଅକବ, ଏନ-ଡି-ଆର-ଏଫ- ଟିମ କମାଣ୍ଡର, ଅଗ୍ନିଶମ ବିଭାଗୀୟ ଅଧିକାରୀ, କର୍ମଚାରୀ, ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଜନସାଧାରଣଙ୍କୁ ସୂଚନା ଦେଇଥିଲେ। ଜିଲ୍ଲା ପ୍ରକଳ୍ପ ସଂଯୋଜକ(ଓସଡାମା) ଅବନୀକାନ୍ତ ଭୂୟାଁ, କମ୍ୟୁନିଟି ମୋବିଲାଇଜର ଆନନ୍ଦ କୁମାର ବେହେରା ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.