ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ବିଏମ୍ ବାଗୁରାଇ ନୋଡାଲ ହାଇସ୍କୁଲ ଠାରେ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୫ (ରେଗୁଲାର ଓ ଏକ୍ସ ରେଗୁଲାର), ମଧ୍ୟମା ସଂସ୍କୃତ ପରୀକ୍ଷା ୨୦୨୫ ଏବଂ ଷ୍ଟେଟ୍ ଓପନ୍ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ୨୦୨୫ ର ସୁପରିଚାଳନା ନିମନ୍ତେ ସୁପରିଟେଣ୍ଡେଂଟ, ଅବଜରଭର ଏବଂ ଡେସ୍ପାଚ୍ ଟିମ୍ ମେମ୍ବରମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ଶିକ୍ଷାଧିକାରୀ ଅକ୍ରୁର ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲାପାଳ ଦିଲ୍ଲୀପ ରାଉତରାୟ, ଅତିରିକ୍ତ ଜିଲାପାଳ ଶାନ୍ତନୁ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଂଶୁମାନ ଦ୍ୱିବେଦୀ ଏବଂ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଡ. ଜଗବନ୍ଧୁ ସାହୁ ପ୍ରମୁଖ ଯୋଗଦେଇ ଆସନ୍ତା ତା ୨୧.୦୨.୨୫ ରିଖ ଠାରୁ ତା ୦୬.୦୩.୨୦୨୫ ରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାର ସୁପରିଚାଳନା ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ପରୀକ୍ଷାରେ ୨୦ ହଜାର ୯୪୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ଏହା ମଧ୍ୟରୁ ରେଗୁଲାର ୨୦ ହଜାର ୯୧୨ ଓ ଏକ୍ସ ରେଗୁଲାର ୩୧ ଜଣ ଅଛନ୍ତି । ମଧ୍ୟମାରେ ୨୮୪ ଏସ୍ଓଏସ୍ଇ ୬୨, କରେସପଣ୍ଡେନ୍ସ ୨୨ ଜଣ ପରୀକ୍ଷା ଦେଉଥିବାବେଳେ ୧୧୫ ଟି ପରୀକ୍ଷା କେନ୍ଦ୍ର, ୧୧ ଟି ନୋଡାଲ ପରୀକ୍ଷା କେନ୍ଦ୍ର, ସମୁଦାୟ ୩୧୮ ସ୍କୁଲରେ ଆୟୋଜିତ ହେଉଛି । ଏଥିରେ ୧୧୫ ଜଣ ସୁପରିଟେଣ୍ଡେଂଟ ଓ ୧୧୫ ଜଣ ଅବଜରଭର ଓ ୨୭ ଜଣ ଡେସ୍ପାଚ ଟିମ୍ ନିୟୋଜିତ ଅଛନ୍ତି । ଆଜିର ଏହି ବୈଠକରେ ଜିଲାପାଳ ଶ୍ରୀ ରାଉତରାୟ ସେଂଟର ସୁପରିଟେଣ୍ଡେଂଟମାନଙ୍କୁ ଶାନ୍ତିଶୃଙ୍ଖଳାର ସହ ପରୀକ୍ଷା ପରିଚାଳନା ନିମନ୍ତେ ନିର୍ଦ୍ଦେଶ ଦେଇଥିବାବେଳେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଦ୍ୱିବେଦୀ ପୁଲିସ୍ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସହଯୋଗ କରାଯିବା ନେଇ ପ୍ରତିଶ୍ରୁତି ଦେଇଥିଲେ । ଏହି ବୈଠକକୁ ଜିଲା ବିଜ୍ଞାନ ନିରୀକ୍ଷକ ହିମାଦ୍ରୀ ନନ୍ଦିନୀ ବିଶ୍ୱାଳ, ବିଏମ୍ ବାଗୁରାଇ ନୋଡାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ସାହୁ, ମିର୍ଜା ଇମ୍ତିଆଜ ବେଗ୍ ଓ ନରେଶ କୁମାର ଜେନା ସହଯୋଗ କରିଥିଲେ ।