Home ଜିଲ୍ଲା ପରିକ୍ରମା ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମହାପ୍ରଭୁଙ୍କ ସଂପତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ପାଇଁ...

ବାରିପଦା ଶ୍ରୀ ଶ୍ରୀ ହରି ବଳଦେବ ମହାପ୍ରଭୁଙ୍କ ସଂପତିର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ପାଇଁ ସେବାୟତଙ୍କ ପଦଯାତ୍ରା, ଭଦ୍ରକରେ ସାମ୍ବାଦିକ ସମ୍ମିଳନୀରେ ସୁରକ୍ଷା ଓ ସ୍ୱାସ୍ଥ୍ୟବସ୍ଥାର ସୁବନ୍ଦୋବସ୍ତ ଦାବି

17

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ରାଜ୍ୟର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାର ଶ୍ରୀ ଶ୍ରୀ ହରି ବଳଦେବ ମହାପ୍ରଭୁଙ୍କ ସଂପତିର ପୁନରୁଦ୍ଧାର ପାଇଁ ଦେବୋତର ବିଭାଗ ଅଧୀନସ୍ଥ ମଠ ଓ ମନ୍ଦିର ସେବାୟତମାନେ ଗତ ୨୮ ତାରିଖରୁ ବାରିପଦା ବୁଲିଖମାରୀ ନିକଟରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ପାଇଁ ଭୁବନେଶ୍ୱର ଅଭିମୁଖେ ପଦଯାତ୍ରା ଆରମ୍ଭ କରିଛନ୍ତି। ସେମାନେ ଏହି ପଦଯାତ୍ରା ଅବସରରେ ଭଦ୍ରକରେ ପହଂଚିବା ପରେ ଆଜି ବାଇପାସ୍‌ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭଦ୍ରକର ବରିଷ୍ଠ ହିନ୍ଦୁ ସଂଗଠକ ତଥା ସମାଜସେବୀ ମାନସ ମହାନ୍ତିଙ୍କ ସଂଯୋଜନାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ସାମ୍ବାଦିକ ସମ୍ମିଳନୀରେ ପଦଯାତ୍ରାରେ ଆସୁଥିବା ସେବାୟତମାନଙ୍କ ମଧ୍ୟରେ ଅରୁଣ କୁମାର ମିଶ୍ର, ବିମଳ ଲୋଚନ ଦେଓଘରିଆ, କାମେଶ୍ୱର ତ୍ରିପାଠୀ ପ୍ରମୁଖ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ବାରିପଦା ଦେବୋତର ବିଭାଗ ଅଧୀନରେ ୧୦ ଗୋଟି ମଠ ଓ ମନ୍ଦିର ପରିଚାଳିତ ହୋଇଥାଏ। ଏଥିନିମନ୍ତେ ୪୪ ହଜାର ୭୦୦ ଏକର ଜମି ଖଂଜାଥିବା ସ୍ଥଳେ ପ୍ରାୟ ୪୦ ହଜାର ଜମି ବିଭିନ୍ନ ସରକାରୀ ସଂସ୍ଥା, ମୁଷ୍ଟିମେୟ ଲୋକଙ୍କ ଜବରଦଖଲ ସମେତ ବାରିପଦା ପୌର ପରିଷଦ ଅଧୀନକୁ ଚାଲିଯାଇଛି। ଫଳରେ ଉକ୍ତ ଜମିରୁ ରାଜସ୍ୱ ଆୟ ହୋଇପାରୁନାହିଁ। ଏଣୁ ଏହି ଜମିକୁ ଦେବୋତର ବିଭାଗ ଅଧୀନକୁ ଆଣି ମଠ ମନ୍ଦିର ପରିଚାଳନାରେ ସୁବ୍ୟବସ୍ଥା କରିବା ନିମିତ ସେମାନେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଅନୁରୂପ ଠାକୁରଙ୍କ ସୁନା ଓ ରୂପା ଗହଣା ଭାଂଗି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ତାହା ଠାକୁରଙ୍କ ସେବାରେ ଲାଗିପାରୁନାହିଁ। ପୂର୍ବରୁ ଠାକୁରଙ୍କର ସୁନା ମୁକୁଟ, ଗୋଡ ହାତ ଚୋରି ହୋଇଥିବା ଯୋଗୁଁ ତାଙ୍କର ନୀତି ଓ ବେଶ କରାଯିବାରେ ବାଧା ସୃଷ୍ଟି ହୋଇଛି। ଅନୁରୂପ ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ବାରିପଦାର ଏହି ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ଦୈନନ୍ଦିନ ନୀତି ପାଇଁ ଛତିଶା ନିଯୋଗ ସେବାର ବ୍ୟବସ୍ଥା ଥିଲେ ମଧ୍ୟ ସଠିକ୍ ପାଉଣା ନମିଳିବାରୁ ଶ୍ରୀ ଶ୍ରୀ ହରି ବଳଦେବ ମନ୍ଦିର ସହିତ ଅନ୍ୟାନ୍ୟ ମଠ ମନ୍ଦିରରୁ ସେବାୟତମାନେ ସେବା କାର୍ଯ୍ୟ ଛାଡି ପଳାଉଛନ୍ତି। ଏଣୁ ଏହାର ସୁପରିଚାଳନା ପାଇଁ ସେବାୟତମାନଙ୍କ ନିଯୁକ୍ତି ଏବଂ ରାଜ୍ୟର ଅନ୍ୟାନ୍ୟ ମନ୍ଦିର ଭଳି ଏହାର ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା ଠାକୁରଙ୍କ ଡଉଲ ଖାତାର ସଂଶୋଧନ, ଦେବୋତର ବିଭାଗ ପାଇଁ ସ୍ୱତନ୍ତ୍ର ଅଫିସର ନିଯୁକ୍ତି, ବାରିପଦା ସହରରେ ସେବାୟତଙ୍କୁ ଦୋକାନ ଗୃହ ପ୍ରଦାନ, ମାସିକ ଭତା ଦେବାର ଦାବି ନେଇ ସେମାନେ ଏହି ପଦଯାତ୍ରା ଆରମ୍ଭ କରିଛନ୍ତି। ଏବଂ ଏଠାରେ ସୂଚନାଯୋଗ୍ୟ ସେମାନେ ମନ୍ଦିରର ଏଭଳି ସମସ୍ୟା ଓ ଦାବି ନେଇ ପୂର୍ବ ବିଜେଡି ସରକାରଙ୍କ ସମୟରେ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଏବେ ରାଜ୍ୟପାଳ, ରାଜସ୍ୱ ମନ୍ତ୍ରୀ, ଆଇନ୍ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ଦେବୋତର ଆୟୁକ୍ତ, ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକ, ଜିଲାପାଳ, ଆରକ୍ଷୀ ଅଧୀକ୍ଷକ, ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ମୟୂରଭଂଜ ଉପଜିଲାପାଳଙ୍କ ସମେତ ଦେବୋତର ନିର୍ବାହୀ ଅଧିକାରୀଙ୍କ ଅବଗତି ନିମନ୍ତେ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କ ଜରିଆରେ ପ୍ରଦାନ କରିଛନ୍ତି। ତେବେ ସବୁଠାରୁ ପରିତାପର ବିଷୟ ଏହି ପଦଯାତ୍ରା ସମୟରେ ସେମାନଙ୍କ ସ୍ୱାସ୍ଥ୍ୟଅବସ୍ଥା ଓ ସୁରକ୍ଷା ଦୃଷ୍ଟିରୁ ମୟୂରଭଂଜ ଜିଲାପାଳଙ୍କ ପକ୍ଷରୁ ଆମ୍ବୁଲାନ୍ସ ଓ ପୁଲିସ୍‌ର ବ୍ୟବସ୍ଥା କରାଯାଇଥିବାବେଳେ ଜିଲାର ସୀମା ପରେ ଏହି ବ୍ୟବସ୍ଥା ଉଠାଇ ଦିଆଯାଇଛି। ଏପରି ସ୍ଥଳେ ଜଣେ ସେବାୟତ ଗୁରୁତର ହୋଇ ସୋରୋ ଠାରେ ଡାକ୍ତରଖାନାରେ ଚିକିତ୍ସିତ ହେବା ଘଟଣା ସମସ୍ତଙ୍କୁ ଚକିତ କରିଛି। ଏଣୁ ସେମାନଙ୍କ ଏହି ପଦଯାତ୍ରାରେ ଆବଶ୍ୟକ ସୁରକ୍ଷା ଓ ଚିକିତ୍ସା ସଂପର୍କିତ ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ହିନ୍ଦୁ ସଂଗଠନର ତପନ ମହାନ୍ତି, ଦଶରଥ ସାହୁ, ଧୀରେନ ନାୟକ, କ୍ଷୀତିଶ ରାଉତ, ସୁଶାନ୍ତ ସାହୁ, କାର୍ତିକ ସାହୁ, ରଜତ ଜେନା, ରାଜୀବ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.