ଭଦ୍ରକ, ୧୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ଅଧୀନ ବାରସର ସମବାୟ ସମିତି ମଣ୍ଡିର ଧାନ କ୍ରୟ ଅଧିକାରୀଙ୍କ ଅବହେଳା ପାଇଁ ସମିତିର ୨ଜଣ ଚାଷୀ ସମିତି ଧାନ କ୍ରୟ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଥିବା ଜଣାଯାଇଛି।ସମିତିର ଅବହେଳା ପାଇଁ ଧାନ କିଣାରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ସମିତି ଅଧିନ ତିଆଡ଼ିସାହି ଗ୍ରାମର ଚାଷୀ ପ୍ରଦୀପ୍ତ କୁମାର ମିଶ୍ର ଧାନ ଦେଇ ଆଇସ୍କାନ ହୋଇପାରିନଥିବା ବେଳେ ତାଙ୍କ ଟୋକନର ମିଆଦ ପୁରି ଯିବାରୁ ଧାନ ବିକ୍ରିଟଙ୍କା ପାଇବା ଆଶା କ୍ଷୀଣ ହୋଇଯାଇଛି।ସେହିପରି ବାଗସାହିପାଳ ଗ୍ରାମର ଚାଷୀ ସନ୍ତୋଷ କୁମାର ସାହୁଙ୍କର ସମିତିର ଅବହେଳା ପାଇଁ ତାଙ୍କ ଟୋକନ ମିଆଦ ସାରିଯିବାରୁ ସେ ଧାନ ଦେଇ ପାରୁ ନାହାଁନ୍ତି।ଫଳରେ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଧାରଣାରେ ବସିଛନ୍ତି। ତିଆଡ଼ିସାହି ଗ୍ରାମର ପ୍ରଦୀପ୍ତ ଦର୍ଶାଇଥିଲେ ଯେ ସମିତି ମଣ୍ଡିରେ ଜାନୁଆରୀ ୨୩ତାରିଖରୁ ଫେବୃଆରୀ ୨୧ତାରିଖ ମଧ୍ୟରେ ଧାନ ଦେବାକୁ ଟୋକନର ମିଆଦ ଥିଲା। ଗତ ମାସ ୧୯ତାରିଖରେ ସେ ମଣ୍ଡିରେ ୭୫କୁଇଂଟାଲ ଧାନ ଦେଇଥିଲେ । ମାତ୍ର ତାଙ୍କର ଆଖି ସ୍କାନ କରା ନଯିବାରୁ ସେ ପ୍ରାପ୍ୟ ପାଇପାରି ନାହାଁନ୍ତି । ସେହିପରି ବାଗସାହିପାଳ ଗ୍ରାମର ଚାଷୀ ସନ୍ତୋଷ ସାହୁ ଦର୍ଶାଇଥିଲେ ଯେ ,ତାଙ୍କ ବାପା ସୁବାସ ସମିତିରେ ଧାନ ବିକିବାକୁ ପଞ୍ଜିକରଣ କରିଥିଲେ । ତାଙ୍କୁ ମିଳିଥିବା ଟୋକନରେ ଜାନୁଆରୀ ୧୨ରୁ ଫେବୃଆରୀ ୧୦ତାରିଖ ମଧ୍ୟରେ ଧାନ ବିକିବାକୁ ଉଲ୍ଲେଖ ଥିଲା । ମାତ୍ର ସମିତିରେ ଧାନ ବିକିବା ତାରିଖ ଭୁଲ କ୍ରମେ ଫେବୃଆରୀ ମାସ ୧୨ତାରିଖ ଲେଖାଯାଇଥିଲା । ସମିତିର ଧାନ କ୍ରୟ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ଟୋକନ ଅବଧି ସରିଯିବାରୁ ସେ ଧାନ ବିକି ପାରି ନଥିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଦୀପ୍ତଙ୍କୁ ପ୍ରାପ୍ୟ ମିଳିବା ଏବଂ ସନ୍ତୋଷଙ୍କ ଧାନ କ୍ରୟ କରାଯିବା ଦିଗରେ ପଦକ୍ଷେପ ନିଆଯିବାକୁ ଉଭୟ ଚାଷୀ ଦାବି କରି ଧାରଣା ଦେଇଥିଲେ । ତେବେ ଏହି ଧାରଣା ପରେ ସମିତି କାର୍ଯ୍ୟାଳୟରେ ସମିତି ସଭାପତି ମାନସ ରଞ୍ଜନ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ପୂର୍ବତନ ସଭାପତି ନୃସିଂହ ମହାକୁଡ଼, ଶ୍ରୀଧର ମଲିକ, ପୂର୍ବତନ ସରପଂଚ ମାନସ ସାହୁ, ପୂର୍ବତନ ସମିତିସଭ୍ୟ ଲଷ୍ମୀକାନ୍ତ ବଳ,ଧାନ କ୍ରୟ କମିଟି ସଦସ୍ୟ ଦୀନବନ୍ଧୁ ମହାକୁଡ଼,ସୁରେଶ ଦାସ, ବିପିନ ରାଉତ, ଉପେନ୍ଦ୍ର ରାଉତ, ଶଙ୍କର୍ଷଣ ମହାକୁଡ଼,ଗୋପୀନାଥ ବାରିକ,ଗୋବିନ୍ଦ ଚନ୍ଦ୍ର ରାଉତ,ଅଲେଖ ଦାସ,ନୀଳମଣି ମାଝୀ ପ୍ରମୁଖ ଉପସ୍ଥିତ ରହି ଏହି ସମସ୍ୟାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ଉଭୟ ଚାଷୀଙ୍କ ସମସ୍ୟାର ସମାଧାନ ଦିଗରେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର ଧାରଣାକାରୀଙ୍କୁ ପ୍ରତିଶ୍ରୁତି ଦିଆଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
Home ଜିଲ୍ଲା ପରିକ୍ରମା ବାରସର ସମିତି ମଣ୍ଡିର ଧାନକ୍ରୟ ଅଧିକାରୀଙ୍କ ଅବହେଳାର ପ୍ରତିବାଦ, ଚାଷୀଙ୍କ ଟୋକନ ମିଆଦ ସରିବା ଅଭିଯୋଗ,...








