Home ଓଡ଼ିଶା ବାତ୍ୟା ‘ୟଶ୍’ର ମୁକାବିଲା ପାଇଁ ଓଡିଶାକୁ ତତ୍କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ...

ବାତ୍ୟା ‘ୟଶ୍’ର ମୁକାବିଲା ପାଇଁ ଓଡିଶାକୁ ତତ୍କାଳୀନ ୫୦୦ କୋଟି ସହାୟତା ଦେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ – ଧର୍ମେନ୍ଦ୍ର ପ୍ରଧାନ

65

ପ୍ରଧାନମନ୍ତ୍ରୀଙ୍କ ସହ ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

– ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି ପ୍ରଧାନମନ୍ତ୍ରୀ
– ଏହି ସହାୟତା ରାଶି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ
– ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ କେନ୍ଦ୍ର ସରକାର
– ବିପର୍ଯ୍ୟୟ ମୁକାବିଲା ପାଇଁ କେନ୍ଦ୍ର ରାଜ୍ୟ ସହ ମିଳିତ ଭାବରେ କାର୍ଯ୍ୟ କରିବ
– ବାତ୍ୟା ମୁକାବିଲା ଦିଗରେ ଓଡିଶାବାସୀଙ୍କ ମନୋବଳ ଓ ସାହାସକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
– ବାତ୍ୟାଂଚଳକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ସମସ୍ତେ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ

ଭୁବନେଶ୍ୱର, ମଇ ୨୮ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ୟଶ୍’ ପରିସ୍ଥିତିର ସମୀକ୍ଷା ଏବଂ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ ପରେ ଓଡିଶାକୁ ତତ୍କାଳୀନ ୫୦୦ କୋଟିର ସହାୟତା ଯୋଗାଇ ଦେବା ପାଇଁ ଘୋଷଣା କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ସହାୟତା ରାଶି ରିଲିଫ୍ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ ଏବଂ ପରେ ଆକାଶମାର୍ଗରୁ ବାତ୍ୟାଂଚଳ ପରିଦର୍ଶନ କରିବା ପରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିପଦ ସମୟରେ ସବୁବେଳେ ଓଡ଼ିଶାର ଲୋକଙ୍କ ସାଥୀରେ ଦୃଢ଼ତାର ସହ ଠିଆ ହୋଇଛନ୍ତି। କେନ୍ଦ୍ର ସରକାର ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବକୁ ହ୍ରାସ କରିବା ପାଇଁ ସବୁପ୍ରକାର ସାହାଯ୍ୟ କରିବେ। ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତିକୁ ଅଧିକ ସୁଦୃଢ଼ କରାଯିବ ତଥା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ଓଡ଼ିଶାକୁ ନିର୍ମାଣ କରାଯିବା ଦିଗରେ ଆମ ସରକାର ମିଳିତ ଭାବରେ କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଶ୍ୱାସନା ଦେଇଛନ୍ତି।

ସମୀକ୍ଷା ବୈଠକରେ ବାତ୍ୟା ‘ୟଶ୍’ ଦ୍ୱାରା ଉତ୍ପନ୍ନ ହୋଇଥିବା ଆହ୍ୱାନର ମୁକାବିଲା ଏବଂ ସମାଧାନ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ସଂସ୍ଥାନର ସକ୍ରିୟ ଭୂମିକା ଏବଂ ଓଡ଼ିଶାବାସୀଙ୍କ ଦୃଢ଼ ମନୋବଳ ଏବଂ ସାହାସକୁ ପ୍ରଧାନମନ୍ତ୍ରୀ ମୋଦି ପ୍ରଶଂସା କରିଛନ୍ତି। ବିଶେଷ ଭାବରେ ସବୁଠୁ ବିପଦ ସମୟରେ ସର୍ବଦା ଓଡ଼ିଶାର ଲୋକଙ୍କ ସହ ଦୃଢ଼ତାର ସହ ଠିଆ ହୋଇଛନ୍ତି। ଓଡ଼ିଶାର ବାତ୍ୟା ପ୍ରଭାବିତ ଅଂଚଳରେ ଜୀବନକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବାକୁ ପ୍ରତିଶ୍ରୁତିବଦ୍ଧ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଏବଂ ଅନୁଧ୍ୟାନ ପରେ ଓଡିଶାକୁ ୫୦୦ କୋଟିର ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ବାତ୍ୟା ‘ୟଶ୍’ ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୨ ଲକ୍ଷ ଓ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଥିବା ବେଳେ ପ୍ରଭାବିତ ରାଜ୍ୟ ଗୁଡ଼ିକ ପାଇଁ ବାତ୍ୟାର କ୍ଷୟକ୍ଷତି ଆକଳନ ନିମନ୍ତେ ଅନ୍ତଃ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ ହୋଇଛି। ମୁଁ ଦୃଢ଼ ନିଶ୍ଚିତ ଯେ ବିସ୍ତୁତ କ୍ଷୟକ୍ଷତିର ତଥ୍ୟ ଆସିବା ପରେ ଆବଶ୍ୟକ ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରକୁ ଭାରତ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ। ଓଡ଼ିଶାକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା କରିବା ପାଇଁ ସରକାରଙ୍କ ମିଳିତ ଉଦ୍ୟମରେ ଯୋଜନା କରାଯିବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ବାତ୍ୟା ‘ୟଶ୍’ର ପ୍ରଭାବ ତଥା ପ୍ରଭାବିତ ଅଂଚଳରେ ରିଲିଫ୍, ପୁନରୁଦ୍ଧାର ଏବଂ ଜୀବନଜୀବିକାର ପୁନଃସ୍ଥାପନ କରିବା ପାଇଁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଥମେ ସମୀକ୍ଷା କରିଥିଲେ। ଏହା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଂଚଳ ଭଦ୍ରକ ଏବଂ ବାଲେଶ୍ୱର ପରିଦର୍ଶନ କରିବା ସହ ସ୍ଥିତି ପରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.