Home ଜିଲ୍ଲା ପରିକ୍ରମା ବାତ୍ୟା ପୂର୍ବରୁ ଏସ୍‌ଆର୍‌ସିଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ, ଲୋକଙ୍କୁ ଥଇଥାନ ପାଇଁ ୭୬୫ଟି କେନ୍ଦ୍ର ପ୍ରସ୍ତୁତ,...

ବାତ୍ୟା ପୂର୍ବରୁ ଏସ୍‌ଆର୍‌ସିଙ୍କ ପ୍ରସ୍ତୁତି ସମୀକ୍ଷା ବୈଠକ, ଲୋକଙ୍କୁ ଥଇଥାନ ପାଇଁ ୭୬୫ଟି କେନ୍ଦ୍ର ପ୍ରସ୍ତୁତ, ସ୍ଥାନାନ୍ତର ହେବେ ୩୬,୨୦୦ ଲୋକ

200

ଭଦ୍ରକ, ୨୩ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଅବପାତର ରୂପ ନେଇ ସାରିଛି । ଯାହା ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ଯାହାକୁ ନେଇ ଭଦ୍ରକ ଜିଲ୍ଳାରେ କିଭଳି ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ରହିଛି ସେ ନେଇ ଆଜି ସ୍ୱତନ୍ତ୍ର ରିଲିଫ୍ କମିଶନର ଏସ୍‌ଆର୍‌ସି ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦିପ କୁମାର ଜେନା ସମୀକ୍ଷା କରିଛନ୍ତି । ଜିଲ୍ଳାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ବାତ୍ୟା ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଭଦ୍ରକ ଜିଲ୍ଲାର ଉପକୂଳବର୍ତ୍ତୀ ବ୍ଲକ ଅଞ୍ଚଞ୍ଚଳ ଭାବେ ବାସୁଦେବପୁର ଓ ଚାନ୍ଦବାଲି ବିଶେଷ ପ୍ରଭାବିତ ହେବାର ଆଶଙ୍କା ଥିବା ବେଳେ ପ୍ରଶାସନ ପକ୍ଷରୁ ଜିଲ୍ଳାର ସମସ୍ତ ୭ଟି ଯାକ ବ୍ଲକ ଅଞ୍ଚଳରେ ବାତ୍ୟାକୁ ମୁକାବିଲା କରାଯିବା ନିମନ୍ତେ ପ୍ରସ୍ତୁତି ଜାରି ରହିଛି । ସବୁଠାରୁ ବଡକଥା ଯେ ବାତ୍ୟା ସମୟରେ କଚ୍ଚା ଘରେ କିମ୍ବା ବିପଦସଂକୁଳ ଭାବେ କୁଡିଆ ଘରେ ବସବାସ କରୁଥିବା ଲୋକଙ୍କୁ ଥଇଥାନ କରି ସୁରକ୍ଷିତ ସ୍ଥାନକୁ ଅଣାଯିବା । କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କୋଭିଡ଼ ଗାଇଡ଼ଲାଇନ ଅନୁପାଳନ ପୂର୍ବକ ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରି ସେମାନଙ୍କୁ ଥଇଥାନ କରାଯିବ । ସେଥିଲାଗି ୭ଟି ବ୍ଳକର ୮୪ଟି ବାତ୍ୟା ଆଶ୍ରୟସ୍ଥଳୀ, ୨୦ଟି ରେଡ୍‌କ୍ରସ ସେଲ୍‌ଟର ସେଣ୍ଟରକୁ ମିଶାଇ ମୋଟ ୭୬୫ଟି ଥଇଥାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏହି ସବୁ କେନ୍ଦ୍ରରେ ବିଦ୍ୟୁତ ସରବରାହକୁ ନିରବଚ୍ଛିନ୍ନ ରଖାଯିବାକୁ ପ୍ରସ୍ତୁତି ଜାରି ରହିଥିବା ବେଳେ ୧୨୫ଟି ଟାୱାର ଲାଇଟ, ୮୨ଟି ଜେନେରେଟର ମହଜୁଦ ରଖା ଯାଇଛି । ଆବଶ୍ୟକ ପଡ଼ିଲେ ଆହୁରି ଅଧିକ ଜେନେରେଟର ଭଡା ସୂତ୍ରରେ ଅଣାଯିବ ବୋଲି ଜିଲ୍ଳାପାଳ ସୂଚନା ଦେଇଛନ୍ତି । ଏହି ୭୬୫ଟି କେନ୍ଦ୍ରରେ ମୋଟ ୭୬ହଜାର ୩୮୪ଜଣଙ୍କୁ ଥଇଥାନ କରାଯିବାର କ୍ଷମତା ରହିଛି ।

ସ୍ଥାନାନ୍ତର ପାଇଁ ଯୋଗ୍ୟ ୯୦୫୯ଟି ପରିବାରର ମୋଟ ୩୬ହଜାର ୨୦୦ଜଣଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଚିହ୍ନଟ କରାଯାଇଛି । ଜିଲ୍ଲାର ୫୭୩ଜଣ ଦିବ୍ୟାଙ୍ଗଙ୍କୁ ମଧ୍ୟ ଥଇଥାନ ନିମନ୍ତେ ଚିହ୍ନଟ କରାଯାଇଛି । ତେବେ ଏହି ବାତ୍ୟାରେ ବାସୁଦେବପୁର ବ୍ଳକ ଓ ପୌରପାଳିକା ଏବଂ ଚାନ୍ଦବାଲି ବ୍ଳକ ବେଶି ପ୍ରଭାବିତ ହେବାର ସମ୍ଭାବନା ରହିଥିବାରୁ ଏହି ଅଞ୍ଚଳର ମୋଟ ୧୪ଟି ପଞ୍ଚାୟତର ୪୧ଟି ଗ୍ରାମର ୯୪ ହଜାର ୩୬୯ଜଣ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ସେହିଭଳି ବାତ୍ୟା ବେଳେ ଲୋକଙ୍କ ସୁବିଧା ପାଇଁ ଓ ତୁରନ୍ତ ଉଦ୍ଧାର କାର୍ଯ୍ୟ କରିବା ପାଇଁ ଧାମରା, ଚାନ୍ଦବାଲି, ବିଦେଇପୁର ଓ ତିହିଡ଼ିରେ ମୋଟ ୪ଟି ଏନ୍‌ଡିଆର୍‌ଏଫ୍ ଟିମ, ଚାନ୍ଦବାଲି, ବାସୁଦେବପୁର ଓ ଭଦ୍ରକରେ ମୋଟ ୩ଟି ଓଡ୍ରାଫ୍ ଟିମ୍‌, ଭଦ୍ରକ, ବନ୍ତ, ଧାମନଗର, ତିହିଡ଼ି, ବାସୁଦେବପୁର ଓ ଚାନ୍ଦବାଲିରେ ୧୨ଟି ଫାୟାର୍ ଟିମ୍‌କୁ ମୁତୟନ କରାଯାଇଛି । ଅଗ୍ନିଶମ ବିଭାଗ ପକ୍ଷରୁ ୯ଟି ଦମକଳ କେନ୍ଦ୍ରରେ ୨୧ଟି ଟାୱାର ଲାଇଟ, ୨ଟି ଜେନେରେଟର ଓ ୫୦ଟି ପାୱାର କଟର ରଖା ଯାଇଛି । ଲୋକଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ ୧ଲକ୍ଷ ୭୪ ହଜାର୯୮୯ କୁଇଣ୍ଟାଲ ଚାଉଳ, ୩୪୪ କୁଇଣ୍ଟାଲ ଚୂଡା, ୧୦୩ କୁଇଣ୍ଟାଲ ଗୁଡ଼ ରହିଛି । ପାନୀୟ ଜଳ ଯୋଗାଣ ନିମନ୍ତେ ୭୭ଟି ୱାଟର ଟ୍ୟାଙ୍କର ଓ ବିଭିନ୍ନ ପାନୀୟ ଜଳ ଯୋଗାଣ କେନ୍ଦ୍ରରେ ବିଦ୍ୟୁତ ବ୍ୟାହତ ସମୟରେ ପାଣି ଯୋଗାଇବା ପାଇଁ ୪୦ଟି ଜେନେରେଟର ବ୍ୟବସ୍ଥା ହୋଇଛି । ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୭ଟି ର‌୍ୟାପିଡ୍ ରେସ୍‌ପନ୍‌ସ ଟିମ୍‌, ୭ଟି ମୋବାଇଲ ହେଲ୍‌ଥ ୟୁନିଟ ସହିତ ପର୍ଯ୍ୟାପ୍ତ ଓଆର୍‌ଏସ୍‌, ହାଲୋଜିନ ବଟିକା, କୋଭିଡ଼ କେୟାର ସେଣ୍ଟର ପାଇଁ ପାୱାର ବ୍ୟାକ୍‌ଅପ୍‌, ଅକ୍ସିଜେନ ସିଲିଣ୍ଡର ରଖାଯାଇଥିବା ବେଳେ ମୋଟ ୪୨ଟି ଆମ୍ବୁଲାନ୍‌ସକୁ ପ୍ରସ୍ତୁତ ରଖାଯାଇଛି । ସେହିପରି ପଶୁ ସମ୍ପଦର ଉଦ୍ଧାର ଓ ଚିକିତ୍ସା ପାଇଁ ୧୩ଟି ର‌୍ୟାପିଡ୍ ରେସ୍‌ପନ୍‌ସ ଟିମ୍ ରଖାଯାଇଛି ।

୭ଟି ମୋବାଇଲ ଭ୍ୟାନ ରହିଛି । ଲାଇନ୍ ଡିପାର୍ଟମେଣ୍ଟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ପାଇଁ ଜେସିବି ୩୨ଟି, ଟ୍ରାକ୍ଟର ୪୭ଟି, ଟ୍ରକ ୧୭ଟି, ଟିପ୍ପର ୧୬ଟି ଓ ଅନ୍ୟାନ ବାହନ ୯ଟି ରଖାଯାଇଛି । ନେସ୍କୋ ପକ୍ଷରୁ ବିଭିନ୍ନ ସ୍ଥାନରେ ୩୮୦ଟି ବିଦ୍ୟୁତ୍ ଖୁଣ୍ଟ, ୩୩ଟି ୧୦ଜଣିଆ ଗ୍ୟାଙ୍ଗ ଏବଂ ଆନୁସଂଗିକ ଯନ୍ତ୍ରପାତି ବିଦ୍ୟୁତ ସରବରାହକୁ ପୁନଃ କାର୍ଯ୍ୟକ୍ଷମ କରାଯିବା ପାଇଁ ପ୍ରସ୍ତୁତ ରଖାଯାଇଛି । ଏହି ସମ୍ଭାବ୍ୟ ବାତ୍ୟାର ମୁକାବିଲା କରିବା ଦିଗରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଓଡ୍ରାଫ ଟିମ୍ ଏହି ଜିଲାର ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା ଠାରେ ମୁତୟନ କରାଯାଇଛି । ମୋଟ ୨୨୭୭ ରୋଲ୍ ପଲିଥିନ୍ ବିଭିନ୍ନ ତହସିଲରେ ରହିଥିବା ଜିଲ୍ଲାପାଳ ସୂଚନା ଦେଇଥିଲେ । ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ମଧୁସୂଦନ ଦାସ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅରୁଣ କୁମାର ମହାପାତ୍ର, ଏସ୍‌ପି ଚରଣ ସିଂ ମୀନା, ପିଡି ଡିଆର୍‌ଡିଏ ଇନ୍ଦ୍ରମଣି ନାୟକ, ସିଡିଏମଓ ଡାକ୍ତର ସନ୍ତୋଷ ପାତ୍ର, ଉପଜିଲ୍ଲାପାଳ ପୀତାମ୍ବର ସାମଲ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିବା ବେଳେ ର୍ଭଚୁଆଲ ମୋଡ୍ ମାଧ୍ୟମରେ ସମସ୍ତ ବିଡ଼ିଓ, ତହସିଲଦାର, ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ତଥା ଅନ୍ୟାନ୍ୟ କ୍ଷେତ୍ରୀୟ ଅଧିକାରୀମାନେ ଯୋଡି ହୋଇ ଭାଗ ନେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.