Home ଜିଲ୍ଲା ପରିକ୍ରମା ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ଓ ପରବର୍ତୀ ଜଳମଗ୍ନ ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା କଲେ...

ବାତ୍ୟା ଜନିତ କ୍ଷୟକ୍ଷତି ଆକଳନ ଓ ପରବର୍ତୀ ଜଳମଗ୍ନ ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କ୍ଷୟକ୍ଷତି ଆକଳନରେ ନିରପେକ୍ଷତା ପାଇଁ ନିର୍ଦ୍ଦେଶ, ଜଳବନ୍ଦୀ ଓ ଆଶ୍ରୟ ସ୍ଥଳୀରେ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ପ୍ରଦାନ ଜାରି

6

ଭଦ୍ରକ, ୨୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଦାନା’ ଯୋଗୁଁ ଅଧିକ ପ୍ରଭାବିତ ହୋଇଥିବା ଭଦ୍ରକ ଜିଲ୍ଲାର କ୍ଷୟକ୍ଷତି ଆକଳନ ତଥା ବାତ୍ୟା ପରବର୍ତୀ ବର୍ଷା ଦ୍ୱାରା ସୃଷ୍ଟ ଜଳମଗ୍ନ ଓ ବନ୍ୟା ଜନିତ ପରିସ୍ଥିତି ର ସୁଧାର ପାଇଁ ପ୍ରଶାସନିକ ପରିଚାଳନାକୁ ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା, ଯୁବ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଜିଲ୍ଲାପାଳ ଦିଲୀପ ରାଉତରାଏ, ବାତ୍ୟା ପାଇଁ ଜିଲ୍ଲାର ପର୍ଯ୍ୟବେକ୍ଷକ ଥିବା ଇପିକଲର ପରିଚାଳନା ନିର୍ଦ୍ଦେଶକ ଆଇ.ଏ.ଏସ୍‌. ଅଧିକାରୀ ଭୂପିନ୍ଦର ସିଂ ପୁନିଆ, ପ୍ରମୁଖ ମଧ୍ୟ ଏହି ସମୀକ୍ଷାରେ ଉପସ୍ଥିତ ରହି ମତାମତ ରଖିଥିଲେ। କ୍ଷୟକ୍ଷତି ଆକଳନରେ କୌଣସି ଜାତି, ଧର୍ମ, ବର୍ଣ୍ଣ, ଦଳକୁ ଗୁରୁତ୍ୱ ନ ଦେଇ ଗରିବ ଓ ପୀଡ଼ିତଙ୍କ ପ୍ରତିନ୍ୟାୟ ପ୍ରଦାନ ଦିଗରେ ଯତ୍ନବାନ୍ ହେବାକୁ ସଂପୃକ୍ତ ପ୍ରଶାସନିକ ଅଧିକାରୀ ମାନଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଆବଶ୍ୟକ ମତେ ଆଶ୍ରୟ ସ୍ଥଳୀରେ ରହିଥିବା ଲୋକ ଏବଂ ବାତ୍ୟା ପରବର୍ତୀ ବର୍ଷାଦ୍ୱାରା ସୃଷ୍ଟ ଜଳମଗ୍ନ ବା ବନ୍ୟା ଯୋଗୁଁ ଜଳବନ୍ଦୀ ଥିବା ଅଂଚଳର ଲୋକଙ୍କୁ ଶୁଖିଲା ଓ ରନ୍ଧାଖାଦ୍ୟ ପ୍ରଦାନଜାରି ରଖିବାକୁ ବି.ଡ଼ି.ଓ. ଓ ତହସିଲଦାର ମାନଙ୍କୁ କୁହାଯାଇଛି। ସୂଚନା ଯୋଗ୍ୟକି ୨୭ ତାରିଖ ରବିବାର ସୁଦ୍ଧା ଆଶ୍ରୟ ସ୍ଥଳୀରେ ସମୁଦାୟ ୨୫,୭୦୯ ଜଣ ଲୋକ ରହିଛନ୍ତି। ଏହି ପରିପ୍ରେକ୍ଷୀରେ ଜାରି ରହିଥିବା ବର୍ଷା ଯୋଗୁଁ ସମ୍ଭାବ୍ୟ ଜଳମଗ୍ନ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୂନ ମୃତ୍ୟୁ ଆଭିମୁଖ୍ୟରେ ବିପଦ ସଙ୍କୁଳ ଓ କଚା ଘରେ ରହୁଥିବା ଲୋକମାନଙ୍କୁ ନିକଟସ୍ଥ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବାତ୍ୟା ପୂର୍ବ ଓ ବାତ୍ୟା ସମୟରେ ଜିଲ୍ଲା ପ୍ରଶାସନ ସହିତ ସମସ୍ତଙ୍କ ସହଯୋଗରେ ସଫଳ ମୁକାବିଲା ହୋଇଥିବା, କୌଣସି ଧନଜୀବନ ହାନି ନ ହୋଇଥିବା ନେଇ ମନ୍ତ୍ରୀ ସୂଚନା ପ୍ରଦାନ କରିଥିଲେ। ୭୦ ହଜାର ହେକ୍ଟରରୁ ଅଧିକ ଚାଷଜମି ପ୍ରଭାବିତ ହୋଇଥିବା ସୂଚନା ଦେଇଥିଲେ। ଜିଲ୍ଲାର ୨୧୮ ଟି ପଂଚାୟତକୁ ରାସ୍ତା ପରିଷ୍କାର ହୋଇଥିବା ୧୯୧ ଟି ଜି.ପି. ବିଦ୍ୟୁତ କ୍ଷତି ଜନିତ ପୁନଃ ଉଦ୍ଧାର, ୨୧୨ ଟି ଜି.ପି.କୁ ପାନୀୟ ଜଳ ପୂର୍ବବତ୍ ଯୋଗାଣ କରାଯାଉଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି। ସାମୂହିକ ବା ବ୍ୟକ୍ତିଗତ କ୍ଷୟକ୍ଷତି ଆକଳନ ତ୍ୱରିତ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷ କରି ସାଳନ୍ଦୀ, ନାଳିଆ, ଯଅ, ରେବ, କପାଳି ନଦୀରେ ପାଣି ଆସିବା ଯୋଗୁଁ ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ଭଦ୍ରକ ବ୍ଲକର ଅନେକ ଅଂଚଳ ବୁଡ଼ି ପ୍ରଭାବିତ ହୋଇଥିବାରୁ ସରକାରୀ ସାହାଯ୍ୟ ପ୍ରଦାନ ଅବ୍ୟାହତ ରହିଛି। ପ୍ରଭାବିତ ପ୍ରାଣୀ ସମ୍ପଦ ପାଇଁ ଆଗୁଆ ପ୍ରତି ପଂଚାୟତକୁ ଗୋଖାଦ୍ୟ ପ୍ରେରଣ କରାଯାଇଥିବା ଓ ବର୍ତମାନ ମଧ୍ୟ ତ୍ୱରିତ୍ ଯୋଗାଇବା ପାଇଁ ପଦକ୍ଷେପ ପାଇଁ ନିର୍ଦ୍ଦେଶ ପ୍ରଦାନ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ। ବର୍ତମାନ ବି ବିପଦ ଟଳିନାହିଁ। ଶେଷ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ ସହ ମୁକାବିଲାରେ ସଫଳତା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। ବନ୍ୟା ଓ ଜଳମଗ୍ନ ଅଂଚଳରେ, ପାଣିରେ ବୁଡ଼ିଥିବା ପୋଲ ଉପରେ ପିଲା, ବୃଦ୍ଧ ବା ଅନ୍ୟ କେହି ବୁଲାବୁଲି କି ପାଣିସହ ଖେଳିବା, ଅସାବଧାନତା ଅବଲମ୍ବନ କରିବାକୁ ସଚେତନ କରାଇବା ଦିଗରେ ମଧ୍ୟ ସେ ପ୍ରାଧାନ୍ୟ ଦେଇଥିଲେ। କାରଣ ଶୂନ ମୃତ୍ୟୁ ଆଭିମୁଖ୍ୟ ହାସଲ ପାଇଁ ଏବେ ବି ଆମ ସମସ୍ତଙ୍କ ଉପରେ ଦାୟିତ୍ୱ ଅଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ। ବାତ୍ୟା ସମୟରେ ଭ୍ରାମ୍ୟମାଣ ଚିକିତ୍ସା ପ୍ରଦାନ ପାଇଁ ୨୫ ଟି ମେଡ଼ିକାଲଟିମ୍ ଓ ୭ଟି ପ୍ରାଣୀଚିକିତ୍ସା ଟିମ୍ ମୂତୟନ କରାଯାଇଥିଲା। ଜୁମ୍ ଜରିଆରେ ଅନୁଷ୍ଠିତ ଏହି ବୈଠକ ସହ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି, ମୁଖ୍ୟ ଉନ୍ନୟନ ଅଧିକାରୀ ସରୋଜ କୁମାର ଦତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଡ଼ି ହୋଇ ଆଲୋଚନାରେ ମତାମତ ରଖିଥିଲେ। ଅତିରିକ୍ତ ଉପଜିଲ୍ଲାପାଳ ଶ୍ୟାମଳ ରାୟ, ଉପଜିଲ୍ଲାପାଳ ଝାରସୁଗୁଡ଼ା ସବ୍ୟସାଚୀ ପଣ୍ଡା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତନ୍ମିତା କର ପ୍ରମୁଖ ୱସ୍‌ୱାନ୍ ହଲ୍‌ରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.