Home ଜିଲ୍ଲା ପରିକ୍ରମା ବାତ୍ୟା ଗଲା, ଦୁର୍ଦ୍ଦଶା ବଢାଇଲା ଲଗାଣ ବର୍ଷା, ଜଳ ବନ୍ଦୀରେ ଗୋହିରା,ଧୋବାସାହି,କନ୍ତିଆ ଓ ପୋଡାପାଟଣା ଗାଁ

ବାତ୍ୟା ଗଲା, ଦୁର୍ଦ୍ଦଶା ବଢାଇଲା ଲଗାଣ ବର୍ଷା, ଜଳ ବନ୍ଦୀରେ ଗୋହିରା,ଧୋବାସାହି,କନ୍ତିଆ ଓ ପୋଡାପାଟଣା ଗାଁ

3

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଦାନା’ପ୍ରଭାବରେ ବନ୍ତ ବ୍ଲକରେ ଲଗାଣ ବର୍ଷା ଜାରି ରହିଛି । ଏହି ବ୍ଲକରେ ଥିବା ୨୫ ଗୋଟି ପଂଚାୟତରେ ପବନ ସାଙ୍ଗକୁ ଲଗାଣ ବର୍ଷାରେ କଚା ଘର,ବିଦ୍ୟୁତ୍ ଖୁଂଟ,ବଡ ବଡ ଗଛ ଆଦି ପଡି ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସୁଧା ଓଡଙ୍ଗ ପଂଚାୟତରେ ଗୋହିରା ଗାଁ,ଟିଲୋ ପଂଚାୟତର ପୋଡା ପାଟଣା ଗାଁ, ବି.ଟିପୁର ପଂଚାୟତର ଧୋବାସାହି,ଗଣିଜାଙ୍ଗ ପଂଚାୟତର କନ୍ତିଆ ଗାଁ ପାଣି ଘେରରେ ଥିବା ବେଳେ ଅଧିକାଶଂ କଚା ଘର ଗୁଡିକ ଭାଙ୍ଗି ଯାଇଥିବା ଦେଖାଯାଇଛି । ବିଦ୍ୟୁତ ବିଭାଗ ଓ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଛିଣ୍ଡି ଯାଇଥିବା ତାର ଗୁଡିକ ଯୋଡାଯାଉଥିବା ବେଳେ ଭାଙ୍ଗି ପଡିଥିବା ଗଛ କଟାଯାଇ ସ୍ୱାଭାବିକ କରାଯାଉଛି । ଏହି ବ୍ଲକରେ ଥିବା ଓଡଙ୍ଗ ପଂଚାୟତ ଗୋହିରା ଗ୍ରାମରେ ବର୍ଷାଜଳ ନିଷ୍କାସନ ନହେବା ଯୋଗୁଁ ଗ୍ରାମର ୩୦ ଘର ପାଣି ଘେରରେ ରହିଛନ୍ତି । ରବିନ୍ଦ୍ର ଜେନା ଓ ସୁବାଷ ଜେନାଙ୍କ କଚା ଘର ଭାଙ୍ଗି ଯାଇଥିବା ବେଳେ ସତୁରା ଜେନା,ବଙ୍ଗାଳି ଜେନା,ରମେଶ ଜେନା ,ଅଭି ଜେନା, ବାଙ୍କୁ ଜେନା,କାଳିଆ ଜେନା ଓ ଲକ୍ଷ୍ମୀଧର ଜେନାଙ୍କ ଘର ପାଣି ଘେରରେ ଥିବା ଖବର ପାଇ କଂଗ୍ରେସ ଯୁବ ନେତା ଦେବଦତ ଜଗତଜିତ୍ ଜେନା ବିପନ୍ନ ପରିବାରଙ୍କୁ ପାଣି ଓ ଶିଖିଲା ଖାଦ୍ୟ ବାଂଟିଛନ୍ତି । ଟିଲୋ ପଂଚାୟତ ସଖିପାଟଣା ଗ୍ରାମ୍ୟ ଉନ୍ନୟନ ଛକଠାରୁ ପୋଡାପାଟଣା କପାଳି ପୋଲ ପର୍ଯ୍ୟନ୍ତ ୭ଶହ ମିଟର ରାସ୍ତା ପାଣିରେ ବୁଡି ରହିବା ଫଳରେ ସେଠୀ ସାହି,ବେହେରା ସାହିର ସନାତନ ଜେନା,ଗଦାଧର ଜେନା,କାହ୍ନା ବେହେରା,କାକଟ ଜେନା,ପ୍ରଫୁଲ୍ଲ ବେହେରା,ସନାତନ ବେହେରାଙ୍କ ଘର ଆଶିଂକ ଭାଙ୍ଗିଥିବା ଜଣାପଡିଛି । କପାଳି ନଦୀର ଆଡି ବନ୍ଧ ମରାମତି କରାଯାଉ ନଥିବାରୁ ପ୍ରତ୍ୟେକ ବର୍ଷ ଗ୍ରାମର ଲୋକେ ଜଳବନ୍ଦୀ ହେଉଛନ୍ତି ବୋଲି ଶିକ୍ଷାବିତ ପ୍ରଶାନ୍ତ କୁମାର ବେହେରା ଜଣାଇଛନ୍ତି । ବି.ଟି ପୁର ପଂଚାୟତର ଧୋବାସାହିରେ ଜଳ ନିଷ୍କାସନ ହେଉନଥିବାରୁ ବର୍ଷା ଜଳରେ ସଂପୂର୍ଣ୍ଣ ଗ୍ରାମଟି ବୁଡି ରହିଛି ।

ଗ୍ରାମର ଦିପୁନ ସେଠୀ,ମୁରଲି ସେଠୀ,ବଳରାମ ସେଠୀ,ଗଙ୍ଗାଧର ସେଠୀ,ବିବେକାନନ୍ଦ ସେଠୀ,ସୁଜିତ ସେଠୀ ପ୍ରମୁଖଙ୍କ ଘର ପାଣି ଘେରରେ ରହିଛି । ସେହିପରି ଗଣିଜାଙ୍ଗ ପଂଚାୟତ ଦେଇ ପ୍ରବାହିତ ୨ ଗୋଟି ନଦୀ ରେବ ଓ କପାଳି ଅଂଚଳ ବାସୀଙ୍କ ପାଇଁ ଦୁଖଃ ଆଣିଦେଇଛି । କପାଳି ନଦୀରେ ବଢିପାଣି ଯୋଗୁ ରୁପୁଡି ପଲେଇ ସାହି,ନାରାୟଣପୁରର ବାହାଲିଆ ସାହୁସାହି,ଗୋପାଳ ସାହି,କନ୍ତିଆ,ଇଚ୍ଛାପୁର,ବଗଦାକାଶିପୁର,ତରଡିପାଳ ଆଦି ଗ୍ରାମ ଜଳମଗ୍ନ ହୋଇଥିବା ବେଳେ ସରୁସାଗର ନଦୀ ପାଣିରେ ହାସିନ୍‌ପୁରର ବାଉନଘର,ଖର୍ଦାସାହି ଓ ବୃନ୍ଦାବନପୁରରେ ପାଣି ଜମିଛି । କପାଳି ନଦୀଟି ଏହି ପଂଚାୟତର ପଲେଇ ସାହି ନିକଟରେ ସରୁସାଗର ନଦୀରେ ମିଶିବା ଫଳରେ ବଢିପାଣି ନିଷ୍କାସନ ନହେବା ଯୋଗୁଁ ଉପରୋକ୍ତ ଗ୍ରାମ ଗୁଡିକରେ ଏପରି ଅବସ୍ଥା ହେଉଥିବା ସମାଜସେବୀ ଜଗନ୍ନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି । କାଦବରାଙ୍ଗ ପଂଚାୟତରେ ଆଡିଆ-କାଦବରାଙ୍ଗ ଗ୍ରାମ୍ୟ ଉନ୍ନୟନ ରାସ୍ତାର ବନ୍ତଳା,ବାଙ୍କତିରା-ସରମରା ରାସ୍ତାର ତୁମ୍ଭାପଦି ବୁଡି ରହିଥିବା ବେଳେ କାଦବରାଙ୍ଗ ବାବା ଧବଳେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ ଘରଟି ଜଳବନ୍ଦୀରେ ରହିଛି । ଅନ୍ୟପକ୍ଷରେ କପାଳି ନଦୀର ବଢିପାଣି ଅଳଓତି ଜେନା ସାହି ଓ ଡିହସାହିରେ ପଶିବା ଯୋଗୁଁ ଅଧିକାଶଂ କଚା ଘର ଗୁଡିକ ଭାଙ୍ଗି ଥିବାର ଜଣାଯାଇଛି । ସେହିପରି ପ୍ରବଳ ବର୍ଷା ଜଳରେ ଚାରିଗାଁ ପଂଚାୟତର ରାସ୍ତା ଧୋଇଯିବା ଫଳରେ ତଳସାହି ଉପରସାହି ଯୋଗାଯୋଗ ବିଛିନ୍ନ ହୋଇଛି । ଏତଦ୍‌ବିଭିନ୍ନ ଏହି ବ୍ଲକର ବିଭିନ୍ନ ଚାଷଜମିରେ ପାଣି ବୁଡି ରହିବା ଫଳରେ ୧୭ ହଜାର ହେକ୍ଟର ଧାନଚାଷ ଓ ୯ ଶହ ହେକ୍ଟର ପନିପରିବା ଚାଷ ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ କ୍ଷୟ କ୍ଷତି ଆକଳନ ପରେ ପ୍ରକୃତ ତଥ୍ୟ ମିଳିପାରିବ ବୋଲି ବ୍ଲକ କୃଷି ଅଧିକାରୀ ସୁପ୍ରିୟା ମୁଦୁଲି ଜଣାଇଛନ୍ତି । ମୋଟା ମୋଟି ଭାବେ ବାତ୍ୟା ‘ଦାନା’ ହଜାର ହଜାର ଲୋକଙ୍କ ଜୀବନ ଓ ଯିବିକା ଛଡାଇ ନେଇଥିବା ବେଳେ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି କ୍ଷତିଗ୍ରସ୍ତ ପରିବାର । ଅନ୍ୟପକ୍ଷରେ ଖୁବ୍ ଶୀଘ୍ର ବିଭିନ୍ନ ବିଭାଗର କ୍ଷୟକ୍ଷତି ଆକଳନ କରାଯାଇ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦିପ କୁମାର ସେଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.