ଭଦ୍ରକ, ୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡି଼ ତହସିଲ ସୟା ପଂଚାୟତ ଅଧୀନ ବାଉଁଶବାଗ ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ମନୋରଂଜନ ଦାସଙ୍କର୨ବଖରା ଘର ଭସ୍ମୀଭୂତ ହୋଇଯାଇଥିବା ଜଣାଯାଇଛି। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କେତେକ ବ୍ୟକ୍ତି ବିଳମ୍ବିତ ରାତିରେ ଘରେ ନିଆଁ ଲଗାଇ ଦେଇଥିବା ନେଇ ମନୋରଂଜନ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି। ପ୍ରକାଶ ଯେ, ଗୁରୁବାର ବିଳମ୍ବିତ ରାତିରେ ମନୋରଂଜନଙ୍କ ପରିବାର ଘରେ ଶୋଇଥିବା ବେଳେ ଘରେ ନିଆଁ ଲାଗି ଯାଇଥିଲା। ପାଖ ପଡ଼ୋଶୀ ଡାକିବାରୁ ମନୋରଂଜନ ଓ ପରିବାର ଲୋକ ବହୁ କଷ୍ଟରେ ଘରୁ ବାହାରି ଆସିଥିଲେ। ମାତ୍ର ଘରେ ଥିବା କୌଣସି ଆସବାବପତ୍ର, ଟଙ୍କା, ପଇସା, ଦରକାରୀ କାଗଜପତ, ସୁନାରୂପା, ଧାନ, ଚାଉଳ ବାହାରି ପାରିନଥିଲା। ଫଳରେ ଘରେ ଥିବା ସମସ୍ତ ଜିନିଷ ପୋଡ଼ି ପାଉଁ ହୋଇ ଯାଇଥିଲା। ଖବର ପାଇ ତିହିଡ଼ି ଦମକଳ ବାହିନୀ ଘଟଣା ସ୍ଥଳରେ ପହଂଚି ନିଆଁ ଲିଭାଇଥିଲେ ମଧ୍ୟ କୌଣସି ସାମଗ୍ରୀ ଉଦ୍ଧାର କରାଯାଇ ପାରିନଥିଲା। ଖବର ପାଇ ବାସୁଦେବପୁର ବିଧାୟକ ଅଶୋକ କୁମାର ଦାସ ଅଗ୍ନି ବିପନ୍ନଙ୍କ ନିକଟରେ ପହଂଚି ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରି ସରକାରୀ ସାହାଯ୍ୟ କିପରି ତୁରନ୍ତ ମିଳିବ ସେନେଇ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଗୁରୁବାର ସକାଳେ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶକ୍ରମେ କୋହ୍ଲ ରାଜସ୍ୱ ନିରୀକ୍ଷକ ଆଶୁତୋଷ ଦାସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବିପନ୍ନ ପରିବାକୁ ପଲିଥିନ ପ୍ରଦାନ କରିଥିବା ଜଣାପଡ଼ିଛି।






