Home ଜିଲ୍ଲା ପରିକ୍ରମା ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପତ୍ନୀକୁ ଚାକିରୀ ଓ ଅନ୍ୟାନ୍ୟ ଦାବିରେ ରାସ୍ତା...

ବାଇକ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ମୃତକଙ୍କ ପତ୍ନୀକୁ ଚାକିରୀ ଓ ଅନ୍ୟାନ୍ୟ ଦାବିରେ ରାସ୍ତା ଅବରୋଧ, ତହସିଲଦାରଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ପ୍ରତ୍ୟାହୃତ

9

ଭଦ୍ରକ, ୨୫ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ରାଜ୍ୟ ରାଜପଥର ତିହିଡି଼ ଥାନା ଅଧୀନ କୋହ୍ଲ ବଜାରରେ ମଙ୍ଗଳବାର ଅପରାହ୍ନରେ ବାଇକ ଧକ୍କାରେ ସ୍ଥାନୀୟ ଓରଡ଼ା ଗ୍ରାମର ଆଦିତ୍ୟ ମହାଳିକ ନାମକ ଜଣେ ଯୁବକର ମୃତ୍ୟୁ ହୋଇଥିଲା।ମୃତକଙ୍କ ପତ୍ନୀକୁ ଚାକିରୀ ସହ କ୍ଷତିପୂରଣ ଦେବା, କୋହ୍ଲ ଅଞ୍ଚଳର ଅବାଧ ନିଶା କାରବାରକୁ ରୋକିବା ଓ ରାସ୍ତାରେ ସ୍ପୀଡ଼ ମିଟର ଲଗାଇବା ଦାବିରେ ବୁଧବାର ମଧ୍ୟାହ୍ନରେ ଉତ୍ୟକ୍ତ ଲୋକମାନେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ତହସିଲଦାର ଜୟଦ୍ରଥ ଆଚାର୍ଯ୍ୟ ଘଟଣାସ୍ଥଳରେ ପହଂଚି କୋହ୍ଲ ପଂଚାୟତ ସରପଂଚ କୈଳାସ ପରିଡ଼ା, ଫତେପୁର ସରପଂଚ ପ୍ରଦୀପ ବଳ, କୋହ୍ଲ ସମିତିସଭ୍ୟା ତିଳୋତମା ବେହେରା ପ୍ରମୁଖଙ୍କ ସହ ଆନ୍ଦୋଳନକାରୀଙ୍କ ଦାବି ନେଇ ଆଲୋଚନା କରିଥିଲେ । ରେଡକ୍ରସ ପାଣ୍ଠିରୁ ମୃତକଙ୍କ ପରିବାରକୁ ୨୦ହଜାର ଟଙ୍କା ସହାୟତା ଦେବା ସହ ଅନ୍ୟ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ ,ମଙ୍ଗଳବାର ଅପରାହ୍ନରେ ଆଦିତ୍ୟ ତାଙ୍କ ଘରୁ କୋହ୍ଲ ଗ୍ରାମକୁ ଯାଉଥିବା ବେଳେ କୋହ୍ଲ ବଜାର ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଦ୍ରୁତଗାମୀ ବାଇକ ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ଆଦିତ୍ୟ ରାସ୍ତାକୁ ଛିଟକି ଯାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ତିହିଡି଼ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରା ଯାଇଥିଲା । ମାତ୍ର ସେଠାରେ ପହଂଚିବା ପୂର୍ବରୁ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଆଦିତ୍ୟ ମଙ୍ଗଳପୁର ସମବାୟ ସମିତିର ପରିଚାଳନା କମିଟି ସଦସ୍ୟ ଥିଲେ । ତାଙ୍କ ମୃତ୍ୟୁ ଖବର ମିଳିବା ପରେ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥୁଲା । କୋହ୍ଲ ବଜାରରେ ସମସ୍ତ ଦୋକାନ ବନ୍ଦ ରଖା ଯାଇଥିଲା । ତାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇ ବୁଧବାର ଗ୍ରାମରେ ପହଂଚିବା ପୂର୍ବରୁ ସ୍ଥାନୀୟ ଅଂଚଳର ଶତାଧିକ ଲୋକ ଏବଂ ଓରଡ଼ା ଗ୍ରାମର ଅଧିବାସୀ ମାନେ ଉତ୍ୟକ୍ତ ହୋଇ କୋହ୍ଲ ବଜାରରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ତହସିଲଦାର ଶ୍ରୀ ଆଚାର୍ଯ୍ୟ, ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ, ଏସଆଇ ପ୍ରକାଶ ନାୟକ, ଏଏସଆଇ କୁମୁଦିନୀ ବେହେରା ପ୍ରମୁଖ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ । ତେବେ ଆଦିତ୍ୟଙ୍କ ମୃତଦେହ ସେଠାରେ ଆମ୍ବୁଲାନ୍ସ ଯୋଗେ ପହଂଚିବା ପରେ ଉତ୍ୟକ୍ତ ଲୋକମାନେ ମୃତଦେହକୁ ନେଇ ଧାରଣାସ୍ଥଳରେ ରଖିଥିଲେ । ପରେ ସେଠାରୁ ଶୋଭାଯାତ୍ରାରେ ମୃତଦେହକୁ ଓରଡ଼ା ଗ୍ରାମକୁ ନିଆଯାଇଥିଲା । ବିଜେଡ଼ି ବ୍ଲକ ସଭାପତି ସୁରେନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରବୀର ନାୟକ, ସମବାୟ ସମିତି ସଭାପତି ନିତ୍ୟାନନ୍ଦ ବେହେରା, ବାପୁଜୀ ନାୟକ ପ୍ରମୁଖଙ୍କ ସମେତ ବହୁ ନେତା ଓ ଅଂଚଳବାସୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.