Home ଜିଲ୍ଲା ପରିକ୍ରମା ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା, ଟେଣ୍ଡର ପରେ ମଧ୍ୟ ଅନିଛୁକ ଠିକାଦାର, ଅଗ୍ରଗତିରେ ବାଧକ...

ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା ମରଣଯନ୍ତା, ଟେଣ୍ଡର ପରେ ମଧ୍ୟ ଅନିଛୁକ ଠିକାଦାର, ଅଗ୍ରଗତିରେ ବାଧକ ଜବରଦଖଲକାରୀ

19

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ଅର୍ଥ ଅଛି, ନିଲାମ ପ୍ରକ୍ରିୟା ଚାଲିଛି, ମାତ୍ର ନିଲାମରେ ଅଂଶ ଗ୍ରହଣ କରିବାକୁ ଅନିଛୁକ ଠିକାଦାର। କେଉଁ ପରିସ୍ଥିତିରେ ଠିକାଦାର ଗୋଷ୍ଠୀ ନିଲାମ ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁନାହାନ୍ତି ତାହାର ବିଦ୍ଧିବଦ୍ଧ ତଦନ୍ତ କରିବ କିଏ?ଏହାର ଏକମାତ୍ର କାରଣ ସାଜିଛି ଜବରଦଖଲକାରୀ। ଏମିତି ଏକ ଘଟଣାରେ ଅଂଚଳବାସୀ ମର୍ମାହତ ହୋଇଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ନିକଟରେ ଉତର ମଧ୍ୟ ନାହିଁ। ପ୍ରାପ୍ତ ଘଟଣାରୁ ଜଣା ଯାଇଛି, ବାଂଶଡା ପଂଚାୟତରୁ ଧାମରା ପଂଚାୟତକୁ ସଂଯୋଗୀ କରଣ କରୁଥିବା ବାଂଶଡା-ଧାମରା ଗ୍ରାମ୍ୟ ଉନ୍ନୟନ ରାସ୍ତା। ଏହି ରାସ୍ତାର ଲମ୍ବ ୧୦ କି.ମି । ଏହି ରାସ୍ତାଟି ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ୨୦୦୮ ମସିହାରେ ଅର୍ନ୍ତଭୁକ୍ତ ହୋଇ ୨୦୦୯ ମସିହାରେ କାର୍ଯ୍ୟ ଶେଷ ହୋଇଥିଲା। ଦୀର୍ଘ ୧୬ବର୍ଷ ହେବ ଏହି ରାସ୍ତା ମରାମତି ଅଭାବରୁ ଯାତାୟତ ଅନୁପୋଯୋଗୀ ହୋଇ ପଡିବା ସହ ଦିନକୁ ଦିନ ସଂକୁଚିତ ମଧ୍ୟ ହୋଇ ଯାଇଛି। ଏହି ରାସ୍ତା ପ୍ରତି କେବଳ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ନୁହେଁ ଭଦ୍ରକ ଜିଲ୍ଲାପାଳ ପାତର ଅନ୍ତର ସୃଷ୍ଟି କରୁଛନ୍ତି ବୋଲି ସର୍ବସାଧାରଣରେ ଚର୍ଚା ଚାଲିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ପାଖରେ ଦୀର୍ଘ ୧୬ ବର୍ଷ ମଧ୍ୟରେ ଏହି ରାସ୍ତାକୁ ପୁନଃ ନିର୍ମାଣ ପାଇଁ ଦାବୀ ହୋଇ ଆସୁଥିଲେ ମଧ୍ୟ ବିଭାଗ ପାଖରେ ଅର୍ଥ ଅଭାବ ଦେଖାଇ କେବଳ ପ୍ୟାଚ ପକାଇ କାମ ଚଳାଇ ଆସୁଥିଲା। ମାତ୍ର ଚାନ୍ଦବାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ,ଯନ୍ତ୍ରୀ ମୁଖ୍ୟଙ୍କ ପାଖରେ ଏହି ରାସ୍ତା ନିର୍ମାଣ କରିବା ପାଇଁ ଅର୍ଥ ର ଆବଶ୍ୟକତା ଅଛି ବୋଲି ଦାବୀ କରି ଆକଳନ ପାଶ କରି ଆଣିବାପରେ ପୁନଃ ସମସ୍ୟା ଦେଖାଦେଇଛି ଏହି ରାସ୍ତାକୁ ନିଜ ଅକ୍ତିଆରକୁ ନେଇଥିବା କିଛି ଜବରଦଖଲକାରୀ ଏବଂ କିଛି ସ୍ଥିତିବାନ ଜମି ମାଲିକ ଙ୍କୁ ନେଇ। ଏଠାରେ ଉଲ୍ଲେଖଯୋଗ୍ୟ ବାଂଶଡା ପଂଚାୟତର ୬ଟି ରାଜସ୍ୱ ଗ୍ରାମ ଏବଂ ଧାମରା ପଂଚାୟତର ୬ଟି ରାଜସ୍ୱ ଗ୍ରାମ ଦେଇ ଏହି ରାସ୍ତା ଯାଇଥିବା ବେଳେ ଏହି ସମସ୍ତ ଗ୍ରାମର ବହୁ ବାସିନ୍ଦା ସରକାରୀ ରାସ୍ତାକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି।ପୁରୁଣା ରାସ୍ତାର ଓସାର ୩.୭୫ ମିଟର ଥିବା ବେଳେ ନୂତନ ରାସ୍ତାର ଓସାର ୫.୫ ମିଟର ହେବ। ଏହା ଫଳରେ ବହୁ ଜବରଦଖଲ କାରୀ ମାନଙ୍କୁ ହଟାଇବା ସହ ନିଜ ସ୍ଥିତିବାନ ଜାଗାରେ ଘର କରିଥିବା ବ୍ୟକ୍ତି ବିଶେଷ ଙ୍କୁ ସରକାରୀ ସ୍ତରରେ କ୍ଷତିପୂରଣ ଦିଆଗଲେ ଏହାର ସୁସମାଧାନ ହୋଇ ପାରନ୍ତା ବୋଲି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ନେତା ଦିଗମ୍ବର ଦାସ ନିଜ ପ୍ରତିକ୍ରିୟା ରଖିଛନ୍ତି। ନୂତନ ଆକଳନ ଅନୁଯାଇ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ୫.୫ ମିଟର ହେବା ସହ ଏହି ୮କି.ମି ରାସ୍ତାକୁ ୧୨କୋଟି ଟଙ୍କା ଆକଳନ ମୁଲ୍ୟ ଅନୁଯାଇ ନିର୍ମାଣ କରାଯିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ସ୍ତିରୀକୃତ କରିଛି। ୨୦୨୫ ଜାନୁଆରୀ ମାସରେ ଏହି ରାସ୍ତା ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀ ଟେଣ୍ଡର ଆହ୍ୱାନ କରିଥିଲେ ମଧ୍ୟ କେହି ଜଣେ ଠିକାଦାର ଏହି ଟେଣ୍ଡର ପ୍ରକ୍ରିୟାରେ ଅଂଶ ଗ୍ରହଣ କଲେ ନାହିଁ। ପୁନଶ୍ଚ ବିଭାଗୀୟ ଅଧିକାରୀ ଗତ ମାର୍ଚ ମାସରେ ପୁନଃ ଟେଣ୍ଡର ଡାକିଛନ୍ତି ମାତ୍ର ଏହି ଟେଣ୍ଡର ରେ ମଧ୍ୟ କେହି ଠିକାଦାର ଅଂଶ ଗ୍ରହଣ କରିବେ କି ନାହିଁ ତାହା ମଧ୍ୟ ପ୍ରଶ୍ନବାଚୀ। ତୁରନ୍ତ ଏହି ରାସ୍ତାକୁ ଜବରଦଖଲ କରି ରଖିଥିବା ବ୍ୟକ୍ତି ବିଶେଷଙ୍କୁ ହଟାଯାଇ ପାରିଲେ ଏହାର ତ୍ୱରିତ ସମାଧାନ ହେବା ସହ ଏହି ରାସ୍ତା ପୁନଃ ନିର୍ମାଣ କରାଯାଇ ପାରନ୍ତା ବୋଲି ଅଂଚଳବାସୀ ଦାବୀ ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.