ଭଦ୍ରକ, ୧୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ନିକଟସ୍ଥ ବାଂଶଡା ଠାରେ ନିର୍ମାଣ ହୋଇଥିବା ୧.୫ କି.ମି ରାସ୍ତା ମାତ୍ର ୧୪ ଦିନ ମଧ୍ୟରେ ଖରାପ ହୋଇ ପଡିଛି। ଅଭିଯୋଗ ଅନୁଯାଇ ଗତ ଜାନୁଆରୀ ମାସରେ ବାଂଶଡା – ଧାମରା ଗ୍ରାମ୍ୟ ଉନ୍ନୟନ ବିଭାଗ ୧.୫ କି.ମି ରାସ୍ତା କାର୍ଯ୍ୟ ଆରମ୍ଭ ହୋଇଥିଲା ଏବଂ ଠିକ ସମୟରେ ଏହି ରାସ୍ତା କାର୍ଯ୍ୟ ଶେଷ ମଧ୍ୟ ହୋଇଥିଲା। ଏହି ୧.୫ କି.ମି ରାସ୍ତା କୁ ୨ପର୍ଯ୍ୟାୟରେ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏହି ରାସ୍ତା କାର୍ଯ୍ୟ ନିର୍ମାଣ ଧୀନ ଥିବା ବେଳେ ଠିକାଦାର ପକ୍ଷରୁ କିମ୍ବା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ କୌଣସି ସୁଚନା ଫଳକ ମଧ୍ୟ ଲଗା ଯାଇ ନଥିଲା। ଏହି ରାସ୍ତା କାର୍ଯ୍ୟ ହେଉଥିବା ବେଳେ ବାଂଶଡା ଅଂଚଳର ଲୋକେ ଏହି କାର୍ଯ୍ୟ ନିମ୍ନ ମାନର ହେଉଛି ବୋଲି ଅଭିଯୋଗ ଆଣିବା ସହ ପିଚୁ କୁ ଠିକ ଭାବେ ଗରମ କରା ନଯାଇ ଏବଂ ଖୁବ କମ ପରିମାଣରେ ପିଚୁ ଏବଂ ମେଟାଲ ଦିଆ ଯାଇ ଏହି ରାସ୍ତା ନିର୍ମାଣ ହୋଇଥିଲା। ଏଥିସହ ଏହି ରାସ୍ତାକୁ ରୋଲର ମେସିନରେ ଠିକ ଭାବେ ରୋଲିଂ ମଧ୍ୟ କରା ଯାଇ ନଥିଲା। ଫଳରେ ମାତ୍ର ୧୫ ଦିନ ମଧ୍ୟରେ ଏହି ନିର୍ମାଣ ହୋଇଥିବା ରାସ୍ତାରୁ ପିଚୁ ଉଠିଯାଇଥିବା ନେଇ ବାଂଶଡା ଅଂଚଳବାସୀ ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, ବିଭାଗୀୟ ଯନ୍ତ୍ରୀ ମୁଖ୍ୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ,ମୁଖ୍ୟଯନ୍ତ୍ରୀ ଏବଂ ଭଦ୍ରକ ଅଧୀକ୍ଷଣ ଯନ୍ତ୍ରୀ-୨ଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସଂପୃକ୍ତ କନିଷ୍ଠଯନ୍ତ୍ରୀ ମନୋଜ ମହାପାତ୍ର କେଉଁ ପରିସ୍ଥିତିରେ ଏମିତି ନିମ୍ନ ମାନର କାର୍ଯ୍ୟ ର ତଦାରଖ କରି ସଂପୃକ୍ତ ଠିକାଦାରର ପ୍ରାପ୍ୟ ପ୍ରଦାନ କଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଅନ୍ୟ ପକ୍ଷରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀ ମନୋଜ ମହାପାତ୍ର କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ସଂପୃକ୍ତ ଅଧୀକ୍ଷଣ ଯନ୍ତ୍ରୀ ଦେଖିବା ଦେଖିବା ରେ ସମୟ ଅତିବାହିତ କରୁଛନ୍ତି ବୋଲି ଅଭିଯୋଗ କାରୀ ମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏପରି ନିମ୍ନ ମାନର କାର୍ଯ୍ୟକୁ ପ୍ରଶ୍ରୟ ଦିଆ ଯିବ ନାହିଁ ଏବଂ ଆଗାମୀ ଦିନରେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ନେବାକୁ ବିଜୟ କୁମାର ବାରିକ, ରଞ୍ଜନ ଜେନା, ସାଗର ମହାଳିକ, ପ୍ରଶାନ୍ତ ଦାସ, ସୁଭକାନ୍ତ ମାହୁନ୍ତ, ଅଜୟ ଦାସ ପ୍ରମୁଖ ଅଭିଯୋଗ ଆଣିଛନ୍ତି।