Home ଜିଲ୍ଲା ପରିକ୍ରମା ବସୁଧା ଯୋଜନା ଦିଗହରା, ୩ କୋଟି ଟଙ୍କାର କାମ ଏବେ ପାଣିରେ ପଡିଛି, କନିଷ୍ଠ ଯନ୍ତ୍ରୀ...

ବସୁଧା ଯୋଜନା ଦିଗହରା, ୩ କୋଟି ଟଙ୍କାର କାମ ଏବେ ପାଣିରେ ପଡିଛି, କନିଷ୍ଠ ଯନ୍ତ୍ରୀ ନୀରବଦ୍ରଷ୍ଟା, ଅଂଚଳବାସୀ ଜଳଯୋଗାଣ ପାଇବା ନେଇ ଅନିଶ୍ଚିତତା

15

ଭଦ୍ରକ, ୩୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ୍‌ରେ ବସୁଧା ଯୋଜନା ଏବେ ଦିଗହରା ହୋଇପଡିଛି । ସବୁଠାରୁ ବଡ କଥା ହେଲା ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ସାଧାରଣ ଲୋକମାନେ ଏପରି ପରିସ୍ଥିତି ଭୋଗୁଛନ୍ତି । ସୂଚନା ଥାଉକି ପାନୀୟ ଜଳ ସମସ୍ୟାକୁ ଦୂର କରି ଲୋକଙ୍କ ଘରେ ପାଣି ପହଂଚାଇବା ଲାଗି ସରକାର ଯୋଜନା କରିଛନ୍ତି । ସରକାର ବସୁଧା ଯୋଜନାରେ ବିଭିନ୍ନ ପଂଚାୟତରେ ଉଚ୍ଚତମ ପାଣି ଟାଙ୍କି କରାଇଛନ୍ତି । ହେଲେ ଏ ପାଣିଟାଙ୍କି କାମ କରୁନି କି ଲୋକଙ୍କ ପାଖରେ ପାଣି ପହଂଚୁନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପାଣିଟାଙ୍କି ହେଉଛି, ହେଲେ ସୁଫଳ ମିଳୁନି । ପ୍ରକାଶ ଥାଉକି କରଦା ପଂଚାୟତର ନନ୍ଦିପୁରସ୍ଥିତ ଚଷାଖଣ୍ଡ (୧) ସାପୁଆପାଟଣା ଓ ଦଳାଙ୍ଗ ପଂଚାୟତର ବିରୁହା ଠାରେ ୨୦୨୧-୨୨ ବର୍ଷରୁ ବସୁଧା ଯୋଜନାରେ ୩ କୋଟି ୧୧ ଲକ୍ଷ ୫ ହଜାର ୪୫୪ ଟଙ୍କା ବ୍ୟୟରେ ପାଟି ଟାଙ୍କି ନିର୍ମାଣ କରାଯାଇଛି । ଯାହାର କାର୍ଯ୍ୟ ଶେଷ ୧୫/୨/୨୩ ତାରିଖରେ ସରିବା କଥା ଓ ଲୋକମାନେ ପାଣି ପାଇବା କଥା । ମାତ୍ର ଆଜିପର୍ଯ୍ୟନ୍ତ କାର୍ଯ୍ୟ ଶେଷ ହୋଇପାରିଲା ନାହିଁ । ସୂଚନା ଥାଉକି ଉକ୍ତ ପାଣି ଟାଙ୍କିକୁ ବିଦ୍ୟୁତ୍ ସଂଯୋଗ ହୋଇପାରୁନାହିଁ । କେତେକ ଟାଙ୍କିରେ ବି କାର୍ଯ୍ୟ ସରିନାହିଁ ୪ ବର୍ଷ ହେଲା । କାମବି ମନ୍ଥର ଗତିରେ ଚାଲୁଛି । ମାତ୍ର ବିଭାଗୀୟ ଜେଇଙ୍କର ଏଥିପ୍ରତି ନଜର ନାହିଁ । ଏ ଦିଗରେ ବିଡିଓ ବନବିହାରୀ ଦିଣ୍ଡାଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବା ସହ ଖୁବ୍ ଶୀଘ୍ର ମରାମତି କରାଯିବ ବୋଲି କହିଛନ୍ତି । ପ୍ରକାଶ ଥାଉକି ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଜସ୍ମିନ ଦାସଙ୍କ ଖାମଖିଆଲି ନୀତି ଯୋଗୁଁ ସାଧାରଣ ଲୋକମାନେ ଏପରି ଅବସ୍ଥା ଭୋଗୁଛନ୍ତି । କାର୍ଯ୍ୟକୁ ଠିକ୍ ଭାବେ ତଦାରଖ କରୁନଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି । ଦୀର୍ଘଦିନ ହେବ କନିଷ୍ଠ ଯନ୍ତ୍ରୀ ଶ୍ରୀମତୀ ଦାଶ ଏଠାରେ ଗାଦି ମାଡି ବସିଥିବାରୁ ସେ ଧରାକୁ ସରା ମାନୁନାହାଁନ୍ତି । ଏ ଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.