ନୟାଗଡ଼, ୧୩ା୯:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବର୍ଷା ନାହିଁ, ଜମି ଫାଟି ଆଁ କରିଥିବାରୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ବର୍ଷାର ଅଭାବ ସାଙ୍ଗକୁ ଆଶ୍ୱୀନରେ ମୁଣ୍ଡ ଫଟା ଖରା ଚାଷୀକୁ ଅସ୍ତବ୍ୟସ୍ତ କରି ପକାଉଛି। ଜମିରେ ପାଣି ନଥିବାବେଳେ ଚାଷୀ ଛାଟିପିଟି ହୋଇ ଜମିରୁ ବାହାରି ଆସୁଛି। ପାଣିପାଗ ପୂର୍ବାନୁମାନ ଅନୁସାରେ ଲଘୁଚାପ ବର୍ଷା ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବର୍ଷା ଦୀର୍ଘଦିନ ଧରି ଛାଡ଼ି ଯାଉଥିବାରୁ ଧାନଚାଷ କାର୍ଯ୍ୟ ଯେତିକି ଆଗେଇବା କଥା ପୁଣି ଧିମେଇ ଯାଉଛି। ପାଣିପାଗ ବିଭାଗ ବର୍ଷା ସ୍ୱାଭାବିକ ହେବ ବୋଲି କହିଥିଲା। ମୌସୁମୀବି ଆସି ଚାଷ କାର୍ଯ୍ୟକୁ ଠିକ୍ ତ୍ୱରାନ୍ନିତ କରିଥିଲା। ହେଲେ ପରବର୍ତ୍ତୀ ସମୟରେ ବର୍ଷା କୁଆଡ଼େ ଉଭାନ ହୋଇଯାଇଥିଲାବେଳେ ଜୁଲାଇ ମାସ ଶେଷ ସପ୍ତାହକୁ ହୋଇଥିବା ବର୍ଷା ଚାଷୀକୁ କିଛି ପରିମାଣରେ ଆଶ୍ୱସ୍ତି ଆଣିଥିଲାବେଳେ ପୁଣି ବର୍ଷା ବନ୍ଦ ହୋଇଯାଇଥିଲା। ହେଲେ ପରେ ପରେ ବର୍ଷାର ଅଭାବରେ ଚାଷକାର୍ଯ୍ୟ ପଛେଇ ଯାଇଥିଲାବେଳେ ଅଗଷ୍ଟ ମାସର ଶେଷ ସପ୍ତାହରେ ଲଘୁଚାଷ ବର୍ଷା ଚାଷୀକୁ ପୁରା ଖୁସୀ ଦେଇଥିଲା। ଏବେ ପୁଣି ସେହି ଅବସ୍ଥା। ବର୍ଷା ନଥିବାରୁ ଜମି ଫାଟି ଆଁ କରି ବସିଛି। କିଏ କେଉଁଠି ସୁବିଧା ଦେଖି ପାଣିପମ୍ପ ଲଗେଇ ଧାନ ଜମିକୁ ପାଣି ମଡେଇ ଧାନଚାଷକୁ ବଂଚେଇ ବାକୁ ଚେଷ୍ଟା କରୁଥିଲାବେଳେ ଅଧିକାଂଶ ଚାଷୀ କେବଳ ବର୍ଷା ଜଳକୁ ସାହାରା କରି ଅନେଇ ବସିଛି। ଚଳିତବର୍ଷ ୧ଲକ୍ଷ ୩ହଜାର ହେକ୍ଟର ଜମିରେ ଚାଷକାର୍ଯ୍ୟ ହେବାର ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ମାତ୍ର ୨ହଜାର ୯ଶହ ୯୦ ହେକ୍ଟର ଜମିରେ ଧାନବୁଣା ହୋଇଥିବା ଏବଂ ଅବଶିଷ୍ଟ ଧାନଜମିରେ ଧାନରୁଆ ହେବାର ଜିଲା କୃଷି କାର୍ଯ୍ୟାଳୟରୁ ଜଣାପଡ଼ିଛି। ଏଥିମଧ୍ୟରୁ ୨୦ହଜାର ୫୬୫ ହେକ୍ଟର ଢିପ , ୪୫ହଜାର ୩୦୭ ହେକ୍ଟର ମଧ୍ୟମ ଓ ୩୬ ହଜାର ୧୩୮ ହେକ୍ଟର ଖାଲ ଜମିରେ ଧାନ ଚାଷ ହୋଇଛି। ବର୍ଷା ଅଭାବରୁ ଢିପ, ମଧ୍ୟମ ଓ ଖାଲ ସବୁ କିସମର ଜମି ପ୍ରଭାବିତ ହୋଇଛି। ଜିଲା ଜରୂରିକାଳୀନ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମେ, ଜୁନ ଏବଂ ଜୁଲାଇ ମାସରେ ଜିଲାରେ ବର୍ଷାର ପରିମାଣ ଯଥେଷ୍ଟ କମ୍ ରହିଥିବାବେଳେ ଅଗଷ୍ଟ ମାସର ଶେଷ ଭାଗରେ ହୋଇଥିବା ବର୍ଷା ଚାଷୀ ମନରେ ଆଶ୍ୱସ୍ତି ଆଣିଥିଲା। ହେଲେ ତା’ପରଠାରୁ ଆଉ ବର୍ଷାର ଦେଖାନାହିଁ। ବର୍ଷା ନଥିବା ସକାଶେ ଜିଲାର ସବୁ ନଦୀ ପ୍ରାୟ ଶୁଖିଲା ପଡ଼ିଛି। କେନାଲରେ ପାଣି ନଥବା ଯୋଗୁଁ ଜମିକୁ ମଧ୍ୟ ପାଣି ଛଡ଼ାଯାଇପାରୁନାହିଁ। ତେବେ ବର୍ଷା ପାଇଁ ଚାଷୀକୂଳ ଚାତକ ପରି ଅନେଇ ବସିଥିଳାବେଳେ ଆଉ ସପ୍ତାହ କି ଦିସପ୍ତାହ ପରେ ଯଦି ବର୍ଷା ନହୁଏ ତେବେ ଢିପ ଓ ମଧ୍ୟମ କିସମ ଜମିରେ ହୋଇଥିବା ଧାନ ଫସଲ ସମ୍ପୁର୍ଣ୍ଣ ଉଜୁଡ଼ି ବସିବ ବୋଲି ଅନେକ ଚାଷୀ କ୍ଷୋଭର ସହ କହିଛନ୍ତି।