Home ଜିଲ୍ଲା ପରିକ୍ରମା ବର୍ଷା ଅଭାବ ଯୋଗୁଁ ଭଦ୍ରକ ଜିଲାରେ ଧିମେଇଛି ଚାଷ କାର୍ଯ୍ୟ

ବର୍ଷା ଅଭାବ ଯୋଗୁଁ ଭଦ୍ରକ ଜିଲାରେ ଧିମେଇଛି ଚାଷ କାର୍ଯ୍ୟ

81

ଭଦ୍ରକ, ୧୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ଏବେ ବର୍ଷାଭାବ ପରିଲକ୍ଷିତ ହୋଇଛି । ଜିଲା ତମାମ ସ୍ୱାଭାବିକ ବର୍ଷା (ନର୍ମାଲ) ଠାର କମ୍ ପରିମାଣର ବର୍ଷା ଯୋଗୁ ଧୀମେଇଛି ଚାଷ କାମ । ଜୁଲାଇ ମାସର ୧୦ ଦିନ ପରେ ବି ଏଯାଏ ୧୦ ପ୍ରତିଶତ ଜମିରେ ବି ରୁଆ ବେଉଷଣ ସମ୍ଭବ ହୋଇନାହିଁ । ତଳା ପକାଇବା ଓ ରୁଆ ବେଉଷଣକୁ ନେଇ ଚିନ୍ତାରେ ଅଛି ଚାଷୀ କୂଳ । ଜୁନ ମାସରେ ଜିଲାର ସ୍ୱାଭାବିକ ବର୍ଷା ପରିମାଣ ୧୯୮ ମିଲିମିଟର । ତେବେ ୨୦୨୩ ଜୁନ ମାସରେ ଜିଲାରେ ହାରାହାରି ବର୍ଷା ପରିମାଣ ୧୩୩ ମିଲିମିଟର ରହିଛି । କେବଳ ଦୁଇଟି ବ୍ଲକକୁ ଛାଡିଦେଲେ ବାକି ୫ଟି ବ୍ଲକରେ ସ୍ୱାଭବିକ ଠାରୁ କମ୍ ବର୍ଷା ହୋଇଛି । ଜୁନ ମାସରେ ଭଦ୍ରକ ବ୍ଲକରେ ୨୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଲକରେ ୨୦୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବାସୁଦେବପୁର ବ୍ଲକରେ ସବୁଠାରୁ କମ୍ ମାତ୍ର ୪୪ ମିମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ବନ୍ତ ବ୍ଲକରେ ୧୮୩ ମିମି ଓ ଚାନ୍ଦବାଲି ବ୍ଲକରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଧାମନଗର ବ୍ଲକରେ ୧୧୨ ଓ ତିହିଡି ବ୍ଲକରେ ୧୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିଭଳି ଜୁଲାଇ ମାସର ୮ ତାରିଖ ସୁଦ୍ଧା ଜିଲାରେ ହାରିହାରି ୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବର୍ଷାର ଏମିତିକା ଅବସ୍ଥାକୁ ନେଇ ଆଶଙ୍କାରେ ଅଛନ୍ତି ଚାଷୀକୂଳ । ଚାନ୍ଦବାଲି ବ୍ଲକ ଚଷାଖଣ୍ଡ ଗ୍ରାମର ଶରତ ବେହେରା କୁହନ୍ତି ‘ବର୍ଷା ଏବେ ସବୁଦିନ ହେଉଛି । କିନ୍ତୁ ଜମିରେ ପାଣି ନାହିଁ । ଯେଉଁ ପରିମାଣରେ ବର୍ଷା ଆବଶ୍ୟକ ତାହା ହେଉନାହିଁ । ଏପରିକି ତଳି ପକାଇବାକୁ ବି ଜମିରେ ଆବଶ୍ୟକ ପାଣି ନାହିଁ । ଏପଟେ ଯୋର ନାଳରେ ଲୁଣି ପାଣି ପ୍ରବାହିତ ହେଉଥିବାରୁ କେବଳ ଅଧିକ ବର୍ଷାକୁ ଭରସା କରିଛୁ ।’ ଜିଲା କୃଷି ବିଭାଗର ତଥ୍ୟାନୁଯାୟୀ; ଚଳିତ ବର୍ଷ ଜିଲାର ୭ଟି ଯାକ ବ୍ଲକରେ ମୋଟ ୧ଲକ୍ଷ ୬୧ ହଜାର ହେକ୍ଟର ଚାଷଜମିରେ ଖରିଫ ଧାନଚାଷ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ବର୍ତମାନସୁଦ୍ଧା ପ୍ରାୟ ୬୦ ହଜାର ହେକ୍ଟର ଜମି ପାଇଁ ତଳି ପଡିସାରିଛି । ମାତ୍ର ୧୨ ହଜାର ହେକ୍ଟର ଜମିରେ ରୁଆ ବେଉଷଣ ସରିଛି । ତେବେ କୃଷି ବିଭାଗର ଏହି ପରିସଂଖ୍ୟାନ ଚାଷକାର୍ଯ୍ୟ ଧୀମେଇଥିବାକୁ ସ୍ପଷ୍ଟ କରୁଛି । କିନ୍ତୁ ପରିସ୍ଥିତି ଉଦବେଗଜନକ ନୁହେଁ ବୋଲି କହିଛନ୍ତି ଜିଲା ମୁଖ୍ୟ କୃଷିଅଧିକାରୀ ମଳୟ ଦ୍ୱାରି । ଜୁଲାଇ ମାସରେ ଅଧିକ ବର୍ଷା ହେଲେ ପରିସ୍ଥିତି ସ୍ୱଭାବିକ ହୋଇଯିବ ବୋଲି କହିଛନ୍ତି କୃଷି ଅଧିକାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.