Home ଜିଲ୍ଲା ପରିକ୍ରମା ବର୍ଷାରେ ଧସିଲା ଧାମନଗର ଇନଡୋର ଷ୍ଟାଡିୟମ୍ ଡ୍ରେନ୍ ପାଚେରୀ

ବର୍ଷାରେ ଧସିଲା ଧାମନଗର ଇନଡୋର ଷ୍ଟାଡିୟମ୍ ଡ୍ରେନ୍ ପାଚେରୀ

37

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ନିର୍ମାଣ ହେଉଛି ଇନଡୋର ଷ୍ଟାଡିୟମ୍ । କିନ୍ତୁ ଏହି ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବାରୁ ସାମାନ୍ୟ ବର୍ଷାରେ ତାହା କିଭଳି ଧସିଯାଉଛି, ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧାମନଗରରେ । ଏଠାରେ ଇନଡୋର ଷ୍ଟାଡିୟମ୍ ଭିତରେ ନିର୍ମାଣାଧୀନ ଡ୍ରେନ୍ ସାମାନ୍ୟ ବର୍ଷାରେ ଧସିଯାଇ ମାଟିରେ ମିଶିଯାଇଛି । ସୂଚନାଯୋଗ୍ୟ ଧାମନଗର ଏନଏସି ଅଧୀନ ଧାମନଗର ହାଇସ୍କୁଲ ପଡିଆ ମଧ୍ୟରେ ଓଡ଼ିଶା ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୬ କୋଟି ୫୮ ଲକ୍ଷ ୪୪ ହଜାର ଟଙ୍କା ବ୍ୟୟରେ ବହୁମୁଖୀ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ୍ ନିର୍ମାଣ କରାଯାଇଛି । ଏହି ଷ୍ଟାଡିୟମ୍‌ର କାର୍ଯ୍ୟ ଗତ ସେପ୍ଟେମ୍ବର ୨୦୨୧ ମସିହାରୁ ଆରମ୍ଭ ହୋଇ ଜୁଲାଇ ୨୦୨୩ ମସିହାରେ ଶେଷ ହେବାର ଅବଧି ଥିଲେ ମଧ୍ୟ ତାହା ଅଦ୍ୟାବଧି ସରିଲା ନାହିଁ । ଏହି ଷ୍ଟାଡିୟମ୍‌ଟି ଭଦ୍ରକ ପୂର୍ତ୍ତ ବିଭାଗ ଦ୍ୱାରା କାର୍ଯ୍ୟ କରାଯାଇଛି । ହେଲେ କାର୍ଯ୍ୟ ତଦାରଖ ଠିକ୍ ଭାବରେ କରାଯାଇନଥିବାର ଅଭିଯୋଗ ହୋଇଛି ।

ନିମ୍ନମାନର କାର୍ଯ୍ୟର ଅଭିଯୋଗ ବହୁବାର ହୋଇଥିବାବେଳେ ଯାହାର ପ୍ରତିଫଳନ ସାମାନ୍ୟ ବର୍ଷାରେ ଷ୍ଟାଡିୟମ୍‌କୁ ଲାଗି ନିର୍ମାଣ ହୋଇଥିବା ପ୍ରାୟ ୨ ଶହ ଫୁଟ୍ ଡ୍ରେନ୍ ମଧ୍ୟରୁ ୫୦ ଫୁଟ୍ ଧସିଯାଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏତଦ୍‌ବ୍ୟତୀତ ଷ୍ଟାଡିୟମ୍ ଭିତର କାନ୍ଥରୁ ବର୍ଷାପାଣି ଝରୁଛି । ଫଳରେ ଏହାର ପରିସରରେ ପାଣି ଭାସୁଛି । ଷ୍ଟାଡିୟମ୍ ନିର୍ମାଣ ଦାୟିତ୍ୱରେ ଥିବା ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହାର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଏହାର ନିର୍ମାଣ ଲାଗି ଆଇଆରସିର ଗାଇଡ୍ ଲାଇନ୍ ଓପିଡବ୍ଲ୍ୟୁଡି କୋଡ୍ ଏବଂ କନଷ୍ଟ୍ରକସନ ଟେକ୍‌ନୋଲୋଜିକୁ ଅଣଦେଖା ମଧ୍ୟ କରାଯାଉଛି । ଏଠାରେ ଯେଉଁ ପ୍ରକାର ସିମେଣ୍ଟ ବ୍ୟବହାର କରାଯିବା କଥା ତାହା କରାଯାଉନାହିଁ । ଯେଉଁ ରଡ୍ ବ୍ୟବହାର କରିବା ଲାଗି ପ୍ଲାନ୍‌, ଡିଜାଇନ ଓ ଏଷ୍ଟିମେଟ୍‌ରେ ଧାର୍ଯ୍ୟ କରାଯାଇଛି, ତାହା ବ୍ୟବହାର ନକରାଯାଇ ଅତ୍ୟନ୍ତ ଶସ୍ତା ରଡ୍ ବ୍ୟବହାର ହୋଇଛି । ଏଥିସହ ସିମେଣ୍ଟ, ବାଲି ଓ ମେଣ୍ଟାଲର ମିଶ୍ରଣ ଅନୁପାତ ଠିକ୍ ଭାବେ କରାଯାଉନାହିଁ । ଏ ସଂପର୍କରେ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଗତ ଦୁଇମାସ ଧରି ଏହି ଡ୍ରେନ୍ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ଏହା କେବଳ ଇଟା, ସିମେଣ୍ଟ ଓ ବାଲିରେ ହୋଇଥିବାରୁ ସେଠାରେ ନିର୍ମାଣ ଲାଗି ଜେସିବି ଓ ଟ୍ରାକ୍ଟର ଯିବାଆସିବା ଦ୍ୱାରା ତାହା ଧସିଯାଇଛି ବୋଲି କହିଛନ୍ତି । ତେବେ ପ୍ରକୃତ ପକ୍ଷେ କେଉଁ କାରଣ ଯୋଗୁଁ ଡ୍ରେନ୍‌ର ପାଚେରୀ ଭାଙ୍ଗିଲା ଏବଂ ଷ୍ଟାଡିୟମ୍ ଭିତର କାନ୍ଥ ଚାରିପଟରେ ବର୍ଷାପାଣି ଝରୁଛି, ତାହା ତଦନ୍ତ ହେବାର ଆବଶ୍ୟକତା ରହିଛି । ଅପରପକ୍ଷେ ନିର୍ମାଣ ର କାର୍ଯ୍ୟ ଅବଧି ସଂପୂର୍ଣ୍ଣ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ସରୁନଥିବାରୁ ଏହାର ସ୍ଥାୟୀତ୍ୱ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.