ଭୁବନେଶ୍ୱର, ୧୧ା୯ (ଓଡ଼ିଆ ପୁଅ) : ବିଶ୍ୱାସ ଓ ଭରସାର ମୂଳଦୁଆ ଉପରେ ଅବସ୍ଥାପିତ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ରାଜ୍ୟ ସରକାର ତା’ର ମୁଖ୍ୟ ଅଙ୍ଗକୁ କୁତ୍ସିତ ବ୍ୟବସ୍ଥା ଦ୍ୱାରା କିଭଳି ପଙ୍ଗୁ କରିଦିଆଯାଏ ଓଡ଼ିଶାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ତାହାର ଏକ ଉଦାହରଣ। ଏହି ବର୍ଜନୀୟ ବ୍ୟବସ୍ଥାକୁ ସରକାର ତୁରନ୍ତ ପ୍ରତ୍ୟାହାର ଦାବିରେ ୩୦ ହଜାରରୁ ଊର୍ଦ୍ଧ୍ୱ ସମସ୍ତ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଏବଂ ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକମାନେ ଆଜି ମହାତ୍ମା ଗାନ୍ଧୀ ମାର୍ଗଠାରେ ବିଶାଳ ଗଣ ବିକ୍ଷୋଭ କରିଛନ୍ତି।
ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୂରାବସ୍ଥା ସମୟରେ ସରକାର ଏହି ବ୍ୟବସ୍ଥା ପ୍ରଚଳନ କରି ରାଜକୋଷକୁ ସମୃଦ୍ଧ କରିଥିଲେ। ସେତେବେଳେ ଓଡ଼ିଶାର ଉଚ୍ଚଶିକ୍ଷିତ ଯୁବବର୍ଗ ବିଭିନ୍ନ ନିର୍ଦ୍ଧାରିତ କଷ୍ଟସାଧ୍ୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟବାଧକତାରେ ଗ୍ରହଣ କରିନେଇଥିଲେ। ଆଶା କରିଥିଲେ ନିକଟରେ ରାଜ୍ୟର ଆର୍ଥିକ ପ୍ରଗତି ହେବ ଏବଂ ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହି ଚୁକ୍ତିଭିତ୍ତିକ ନିୟମ ପ୍ରତ୍ୟାହାର କରିନେବେ ଓ ରାଜ୍ୟରେ ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ, କିନ୍ତୁ ତାହା ହେଲାନାହିଁ। ଅଧିକନ୍ତୁ ସପ୍ତମ ବେତନ କମିଶନ ଲାଗୁ ହେଲାପରେ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ହନ୍ତସନ୍ତ କର୍ମଚାରୀଙ୍କ ସମସ୍ୟା ଆହୁରି ଦୟନୀୟ ହୋଇପଡ଼ିଲା। ରାଜ୍ୟ ସରକାର ସପ୍ତମ ବେତନ କମିଶନ ସୁପାରିଶ କ୍ରମରେ ସ୍ଥାୟୀ କର୍ମଚାରୀମାନଙ୍କ ପାଇଁ ଉଦ୍ଦିଷ୍ଟ ପେ’ ଓ ଗ୍ରେଡ୍ ପେ’ ବ୍ୟବସ୍ଥା ଉଠାଇ ଧାର୍ଯ୍ୟ ଦରରେ ଦରମା ପ୍ରଦାନ କରିଥିବା ବେଳେ, ଚୁକ୍ତିଭିତ୍ତିକ ଏବଂ କନିଷ୍ଠ ଶିକ୍ଷକ କର୍ମଚାରୀଙ୍କ ପାଇଁ ପେ’ ଓ ଗ୍ରେଡ୍ ପେ’ ବ୍ୟବସ୍ଥା ଜାରି ରଖିଲେ। ଏହାର ପ୍ରତିବାଦ କରି ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର କର୍ମଚାରୀ ୨୦୧୮ ମସିହା ଅଗଷ୍ଟ ମାସରେ ଦୀର୍ଘ ତିନିଦିନ ବ୍ୟାପୀ ବିଶାଳ ଗଣଆନ୍ଦୋଳନ କରିଥିଲେ। ଶେଷରେ ଓଡ଼ିଶା ରାଜ୍ୟର ତତ୍କାଳୀନ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆଦିତ୍ୟ ପ୍ରସାଦ ପାଢୀ ଆନ୍ଦୋଳନରତ କର୍ମଚାରୀଙ୍କ ମଧ୍ୟରୁ ୧୫ଜଣିଆ ପ୍ରତିନିଧିମଣ୍ଡଳୀଙ୍କ ସହ ବିସ୍ତୃତ ଆଲୋଚନା କରି ଏକ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ଯେ ରାଜ୍ୟ ସରକାର ଏକ ମାସ ମଧ୍ୟରେ ଏ ବିଷୟରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରିବେ। କିନ୍ତୁ ତାହା ନିଷ୍ଫଳ ଗଲା।
କରୋନା ମହାମାରୀ ସମୟରେ ଯେତେବେଳେ ସବୁ ଗଣ ଆନ୍ଦୋଳନ ଓ ପ୍ରତିବାଦ କାର୍ଯ୍ୟକ୍ରମକୁ ସରକାର ନିଷିଦ୍ଧ କଲେ, ସେତେବେଳେ ସାରା ଓଡ଼ିଶାର ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ଓ ଶିକ୍ଷକମାନେ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ନିଜ ନିଜର ଅସନ୍ତୋଷ ପ୍ରକାଶ କରି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାର ଗତ ୨୦୨୧ ମସିହା ଅକ୍ଟୋବର ମାସରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ସହ ଆଲୋଚନା କରି ସଂଘର ଦାବିଗୁଡ଼ିକ ଯୁକ୍ତିଯୁକ୍ତ ବୋଲି ହୃଦୟଙ୍ଗମ କଲେ ଓ ପାଉଥିବା ଦରମାର ୫୦ ପ୍ରତିଶତ ବୃଦ୍ଧି କରିବା ସହ ଦୁଇ ମାସ ମଧ୍ୟରେ ଅବଶିଷ୍ଟ ମୁଖ୍ୟ ଦାବିଗୁଡ଼ିକ ଉପରେ ବିଚାର କରିବାର ପ୍ରତିଶ୍ରୁତି ଦେଲେ। କିନ୍ତୁ ତାହା ଅଦ୍ୟାବଧି କାର୍ଯ୍ୟକାରୀ କରାଗଲା ନାହିଁ। ସ୍ଥାୟୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ମଧ୍ୟରେ ଦରମାର ଘୋର ତାରତମ୍ୟ ଓ ଅସଙ୍ଗତି ପାଇଁ ଆଜି ରାଜ୍ୟର ଏହି ହତଭାଗ୍ୟ କର୍ମଚାରୀମାନେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ôଚବା ପାଇଁ ସଂଗ୍ରାମ କରୁଛନ୍ତି। ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ୍ ହୁହୁ ହୋଇ ବଢୁଥିବା ବେଳେ ଏତେ କମ୍ ଦରମାରେ ଏହି ଚୁକ୍ତିଭିତ୍ତିକ କର୍ମଚାରୀ ଓ କନିଷ୍ଠ ଶିକ୍ଷକମାନେ କିଭଳି ବଞ୍ôଚବେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ସେହିପରି ଚୁକ୍ତିଭିତ୍ତିକ ବ୍ୟବସ୍ଥାରୁ ସଚିବାଳୟ ଓ ବିଧାନସଭା ଏ.ଏସ୍.ଓ.ଙ୍କୁ ପୁରା ବାଦ୍ ଦେଇଥିବା ବେଳେ ମାନ୍ୟବର ଓଡ଼ିଶା ଉଚ୍ଚ ନ୍ୟାୟାଳୟର କିଛି କର୍ମଚାରୀଙ୍କୁ ଏଥିରୁ ସଂପୂର୍ଣ୍ଣ ବାଦ୍ ଦେଇ ଆଉ କିଛି କର୍ମଚାରୀଙ୍କ ପାଇଁ ୩ ବର୍ଷ ଚୁକ୍ତିଭିତ୍ତିକ ଅବଧି ଲଦି ଦିଆଯାଇଛି। ବିଭାଗୀୟ ମୁଖ୍ୟ ଦପ୍ତରର ଅମଲତାଙ୍କଠାରେ ଆରମ୍ଭ କରି ଜିଲ୍ଲାର କର୍ମଚାରୀ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ୍ ସବ୍ ଇନ୍ସପେକ୍ଟରଠାରୁ କନଷ୍ଟେବଲ୍, ଆଗ୍ନିକ, ଡାକ୍ତର ଓ ନର୍ସ ଇତ୍ୟାଦି ବର୍ଗର କର୍ମଚାରୀ ଓ ପ୍ରାଥମିକ ଶିକ୍ଷକଙ୍କଠାରୁ ମାଧ୍ୟମିକ ଶିକ୍ଷକଙ୍କ ପର୍ଯ୍ୟନ୍ତ ୬ ବର୍ଷିଆ ଚୁକ୍ତିଭିତ୍ତିକ ବ୍ୟବସ୍ଥାରେ ନିଯୁକ୍ତି ଦେଇ ଅନାବଶ୍ୟକ ତାରତମ୍ୟ ସୃଷ୍ଟି କରାଯାଇଛି। ଆଇ.ଏ.ଏସ୍., ଓ.ଏ.ଏସ୍, ଓ.ଏଫ୍.ଏସ୍. ସଚିବାଳୟ, ବିଧାନସଭା ତଥା ଉଚ୍ଚ ନ୍ୟାୟାଳୟ କର୍ମଚାରୀଙ୍କ ପ୍ରତି ଗୋଟିଏ ନିୟମ ଓ ଅନ୍ୟ କର୍ମଚାରୀ ଶିକ୍ଷକମାନଙ୍କ ପ୍ରତି ଆଉ ଗୋଟିଏ ନିୟମକୁ ସଭ୍ୟ ସମାଜ ଓ ଗଣତନ୍ତ୍ରର ନିରପେକ୍ଷ ଶାସନ ବ୍ୟବସ୍ଥାରେ ଗ୍ରହଣୀୟ କି, ବୋଲି ନେତୃମଣ୍ଡଳୀ ପ୍ରଶ୍ନ କରିଛନ୍ତି। ଯଦି ଆର୍ଥିକ ଦୁରାବସ୍ଥା ଆଳରେ ଏହି ବ୍ୟବସ୍ଥା ପ୍ରଣୟନ କରାଯାଇଥିଲା, ସେତେବେଳେ ଆଇ.ଏ.ଏସ୍., ଓ.ଏ.ଏସ୍., ଓ.ଏଫ୍.ଏସ୍. ପ୍ରଭୃତିଙ୍କ କ୍ଷେତ୍ରରେ କାହିଁକି ଲାଗୁ କରାଗଲା ନାହିଁ ଓ ଯଦି ଏବେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ବଳକା ଏବଂ ସ୍ୱାବଲମ୍ବି ରାଜ୍ୟ ତେବେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରାଯାଇନାହିଁ ଓ ଯଦି ଏବେ ଓଡ଼ିଶା ଆର୍ଥିକ ଦୃଷ୍ଟିରୁ ବଳକା ଏବଂ ସ୍ୱାବଲମ୍ବି ରାଜ୍ୟ ତେବେ ଏହି ବ୍ୟବସ୍ଥା ପ୍ରତ୍ୟାହାର କରାଯାଇନାହିଁ କାହିଁକି ବୋଲି ପ୍ରଶ୍ନ ଉଠୁଛି। ତେବେ କ’ଣ ବୁଝିବାକୁ ହେବ ଯେ, ଏହି ବ୍ୟବସ୍ଥାରେ କର୍ମଚାରୀଙ୍କ ପେଟରୁ କାଟି ଓ ସେମାନଙ୍କର ଶ୍ରମଶକ୍ତିକୁ ଶୋଷଣ କରି ସରକାର ଆର୍ଥିକ ବଳକା ରାଜ୍ୟ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ନମ୍ବର ପ୍ରଶାସକ ହୋଇଛନ୍ତି କି ?
ଲକ୍ଷ ଲକ୍ଷ ଟଙ୍କା ଦରମା ଓ ମାସିକ ହଜାର ହଜାର ଟଙ୍କା ଆନୁସଙ୍ଗିକ ଭତ୍ତା ପାଉଥିବା ଜନସେବକ ବିଧାୟକମାନେ ଯେତେବେଳେ ତାଙ୍କୁ ପ୍ରଦତ୍ତ ରାଶି ନିଅଣ୍ଟ ବୋଲି କହି ଦରମା ବୃଦ୍ଧି ପାଇଁ ବିଧାନସଭାରେ ଏକ ସ୍ୱରରେ ଦାବି କରୁଛନ୍ତି, ସେତେବେଳେ ୮ ହଜାରରୁ ୧୩ ହଜାର ଟଙ୍କା ଦରମା ପାଇ ଏହି କର୍ମଚାରୀମାନେ କିଭଳି ଉପାଦେୟ ଓ ସନ୍ତୋଷଜନକ ସେବା ଯୋଗାଇପାରିବେ, ତାହା ସରକାର ବିଚାର କରନ୍ତୁ ବୋଲି ନେତୃମଣ୍ଡଳୀ ଆହ୍ୱାନ ଦେଇଛନ୍ତି।
ଚୁକ୍ତିଭିତ୍ତିକ ସରକାରୀ କର୍ମଚାରୀଙ୍କ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ତରଫରୁ ନିୟୋଜିତ ହୋଇଥିବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଆଲୋଚନା ପର୍ଯ୍ୟାଲୋଚନା କରିଥିଲେ ଏବଂ ଏଥିରେ କୌଣସି ନିଷ୍କର୍ଷ ନ ବାହାରିପାରିବାରୁ ଆସନ୍ତାକାଲି ତା ୧୨.୦୯.୨୦୨୨ରିଖରେ ପୁନର୍ବାର ଆଲୋଚନା କରିବା ପାଇଁ ସରକାରଙ୍କ ତରଫରୁ ଉକ୍ତ ପ୍ରତିନିଧି ମଣ୍ଡଳଙ୍କୁ ଅନୁରୋଧ କରାଯାଇଛି। ଉକ୍ତ ବୈଠକ ପରେ ସଂଘ ଆଗାମୀ କାର୍ଯ୍ୟପନ୍ଥା ନେଇ ନିଷ୍ପତ୍ତି ବୋଲି ମହାସଂଘର ସଭାପତି ବିଜୟ ମଲ୍ଲ ଜଣାଇଛନ୍ତି।
ଅନ୍ୟମାନଙ୍କ ମଧ୍ୟରେ ମହାସଂଘର ମୁଖ୍ୟ ଉପଦେଷ୍ଟା ଶ୍ରୀ ପ୍ରଭାତ ମହାନ୍ତି, ସାଧାରଣ ସମ୍ପାଦକ କ୍ଷୀତିଶ ପଣ୍ଡା, ସଂଗଠନ ସମ୍ପାଦକ ପ୍ରଶାନ୍ତ ରାଉତରାୟ, ଶିକ୍ଷକ ନେତା ଶୁଭ୍ରଜିତ୍ ପ୍ରତିହାରୀ, ପୂର୍ଣ୍ଣଚନ୍ଦ୍ର ଆଇଚ, ବିଶ୍ୱଜିତ୍ ବିଶ୍ୱାଳ, ପଞ୍ଚାନନ ଜେନା, ରାଜେନ୍ଦ୍ର ମଲ୍ଲିକ, ପ୍ରାଥମିକ ଶିକ୍ଷକ ସଂଘର ନେତା ଶ୍ରୀକାନ୍ତ ବାରିକ, ଆଦିତ୍ୟ ସ୍ୱାଇଁ, ଅକ୍ଷୟ ପାଢୀ, ଉପ-ସଭାପତି ପ୍ରଭାସ ଭୋଇ, ପ୍ରୀତିରଂଜନ ପ୍ରଧାନ, ଯୁଗ୍ମ ସମ୍ପାଦକ ଅଶୋକ ଗୌଡ଼, ବାବୁଲି ନାୟକ, ତନ୍ମୟ ଜେନା, ଶ୍ରୀନିବାସ ମହାନ୍ତି, ଅନିତା ବେହେରା, ଅଳକା ମହାନ୍ତି, ରୋଜାଲିନି ପଣ୍ଡା, ଶିବ ଶଙ୍କର ସାହୁ ପ୍ରମୁଖ ଧାରଣାରତ କର୍ମଚାରୀଙ୍କୁ ଉଦବୋଧନ ଦେଇଥିଲେ।