Home ଜିଲ୍ଲା ପରିକ୍ରମା ବର୍ଷକୁ ୧୮ କୋଟି ଟଙ୍କାର ରାଜସ୍ୱ ଆଦାୟ : ଲୋକଙ୍କୁ ବସିବାକୁ ଯାଗା ନାହିଁ କି...

ବର୍ଷକୁ ୧୮ କୋଟି ଟଙ୍କାର ରାଜସ୍ୱ ଆଦାୟ : ଲୋକଙ୍କୁ ବସିବାକୁ ଯାଗା ନାହିଁ କି ପିଇବାକୁ ପାଣିଟୋପେ ନାହିଁ : କରୋନାର ସୁପରସ୍ପ୍ରେଡର ପାଲଟିଛି ଭଦ୍ରକ ଡିଏସଆର

147

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାରୁ ସରକାର ଜମି ଜମା ରେଜିଷ୍ଟ୍ରେସନ ରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ୱ ଆଦାୟ କରୁଛନ୍ତି । ହେଲେ ଜମି କିଣାବିକା ପାଇଁ ଆସୁଥିବା ଲୋକଙ୍କ ସକାସେ ବସିବା ଦୁରକୁ ଥାଉ ଅଫିସ କ୍ୟାମ୍ପସରେ ପାଣିଟୋପାଏ ମଧ୍ୟ ପିଇବାକୁ ବ୍ୟବସ୍ଥା ନାହିଁ । ଫଳରେ ଜମି ଜମା ଖରିଦ ବିକ୍ରି ସକାସେ ସବରେଜେଷ୍ଟ୍ରି ଅଫିସକୁ ଆସୁଥିବା ଶହ ଶହ ଲୋକେ ସେମାନଙ୍କ ପିଲାଛୁଆ ଧରି ହିନସ୍ତା ହେଉଛନ୍ତି । କୋଭିଡ ସମୟରେ ସରକାର ସାମାଜିକ ଦୁରତାକୁ ଗୁରୁତ୍ୱ ଦେଉଥିବା ବେଳେ ସ୍ଥାନାଭାବ ଜନିତ ପରିସ୍ଥିତି ଯୋଗୁ ଭଦ୍ରକ ଡିଏସଆର ଅଫିସ ରେ ପ୍ରତିଦିନ ଲୋକଙ୍କ ମେଳା ଲାଗୁଛି । କ୍ରେତା,ବିକ୍ରେତା,ଜମି ଦଲାଲ ଏବଂ ଓକିଲ ମହରୀରଙ୍କ ସମେତ ରେଜେଷ୍ଟ୍ରି କାର୍ଯ୍ୟାଳୟ କର୍ମଚାରୀଙ୍କ ଗହଣରେ ସରକାରଙ୍କ ଏହି କାର୍ଯ୍ୟାଳୟ ସର୍ବଦା କୋଳାହଳମୟ ହୋଇ ପଡୁଛି । ହେଲେ ସରକାରଙ୍କ ତରଫରୁ ନା ଏଠି ଅଛି ସାମାଜିକ କଟକଣା ନା କୋଭିଡ ସୁରକ୍ଷା ନେଇ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା । ଫଳରେ ଭଦ୍ରକ ଡିଏସଆର ଅଫିସ ସମେତ ଜିଲ୍ଲାରେ ଥିବା ୭ ଗୋଟି ସବରେଜେଷ୍ଟ୍ରି ଅଫିସ ଏବେ କରୋନା ସଂକ୍ରମଣର ସୁପରସ୍ପ୍ରେଡର ପାଲଟିଛି । ଯାହାକୁ ରାଜସ୍ୱ ସଂଗ୍ରହ ଆଳରେ ସରକାର ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ କୋଭିଡ ମୁକାବିଲା ସକାସେ ସରକାର ବାଟଘାଟରେ ବୁଲୁଥିବା ଲୋକେ ଏବଂ ଦୋକାନ ବଜାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟୀ ମାନଙ୍କୁ ପୋଲିସ ଲଗାଇ ମୋଟାଅଙ୍କର ଜରିମାନା ଆଦାୟ କରୁଛନ୍ତି । ହେଲେ ଖୋଦ ନିଜ ଦ୍ୱାରା ପରିଚାଳିତ ସରକାରୀ ଅଫିସରେ ଏହି ଘଟଣାକୁ ଆଖିବୁଜି ଦେଇଛନ୍ତି ସରକାର । ଭଦ୍ରକ ଜିଲ୍ଲା ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟ ସୁଚନା ଅନୁଯାଇ ଭଦ୍ରକ ଜିଲ୍ଳା ସବରେଜେଷ୍ଟ୍ରି ଅଫିସ ସମେତ ଜିଲ୍ଲାରେ ଥିବା ୮ ଗୋଟି ସବରେଜେଷ୍ଟ୍ରି କାର୍ଯ୍ୟାଳୟ ଜରିଆରେ ବାର୍ଷିକ ପ୍ରାୟ ୧୮ କୋଟିରୁ ଉର୍ଦ୍ଧ ଟଙ୍କାର କାଗଜପତ୍ର କରାଯାଉଛି । ଗତବର୍ଷ ଜିଲ୍ଲାରେ ଜମିଜମା ରେଜିଷ୍ଟ୍ରସନ,ଇସି ଏବଂ ସିସି ରୁ ୧୮ କୋଟି ୫୧ ଲକ୍ଷ ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଥିବା ବେଳେ ଚଳିତବର୍ଷ ଗତ ୫ ମାସ ମଧ୍ୟରେ ଜମିଜମା ରେଜିଷ୍ଟ୍ରେସନ ଏବଂ ଅନ୍ୟାନ୍ୟ ଡକୁମେଂଟେସନରୁ ଅନ୍ୟୁନ ୫ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରାଯାଇଛି ।

ଚଳିତବର୍ଷ କୋଭିଡ କଟକଣା ଯୋଗୁ ସବରେଜେଷ୍ଟ୍ରି ଅଫିସ ଗୁଡିକ ଗତ ପ୍ରାୟ ୧ ମାସ ଧରି ବନ୍ଦ ରହିବା ସତ୍ୱେ ଅଫିସ ଖୋଲିବା ପରେ ଏବେ ଏହି କାର୍ଯ୍ୟାଳୟରେ ନାହିଁ ନଥିବା ଭିଡ ଦେଖିବାକୁ ମିଳୁଛି । ତେବେ ବିଡମ୍ଭନାର କଥା ହେଲା ସରକାର ଏହି କାର୍ଯ୍ୟାଳୟ ଜରିଆରେ ବାର୍ଷିକ କୋଟି କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରୁଥିଲେ ମଧ୍ୟ କାର୍ଯ୍ୟାଳୟ ଆସୁଥିବା ଲୋକଙ୍କ ସକାସେ ସାମାନ୍ୟତମ ସୁବିଧା ଯୋଗାଇ ଦିଆଯାଉନାହିଁ । ପାଣି ପାଇଖାନା କଥା ପଛକୁ ଥାଉ ଲୋକଙ୍କୁ ବସିବାକୁ ଯାଗା ଟିକେ ମଧ୍ୟ ମିଳୁନାହିଁ । ବିଶେଷକରି ଜମିଜମା ରେଜିଷ୍ଟ୍ରେସନ କରିବାକୁ ଆସୁଥିବା ମହିଳା ଏବଂ ବରିଷ୍ଟ ନାଗରିକ ମାନେ ବସିବାକୁ ଯାଗା ନପାଇ ଅଫିସ ବାରଣ୍ଡାରେ ନଚେତ ମୋହରୀର/ଭେଣ୍ଡରଙ୍କ ପାଖରେ ଘଂଟା ଘଂଟା ଧରି ଛିଡାହୋଇ ରହିବାକୁ ପଡୁଛି । ଏଥିନେଇ ଭଦ୍ରକ ଡିଏସଆର ଏସଏନ ସାମଲଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଏଥିସକାସେ ସେ ସିଧା ସଳଖ ଭଦ୍ରକ ପୈାରପାଳିକାକୁ ଦାୟି କରିଛନ୍ତି । ସେ କହିଛନ୍ତି ଯେ ଲୋକଙ୍କ ସୁବିଧା ସକାସେ ବର୍ଷେ ହେବ ଏଠାରେ ପୈାରପାଳିକା ତରଫରୁ ଲୋକଙ୍କ ସକାସେ ପାଣିପାଇଖାନା ସକାସେ କିଛି ନିର୍ମାଣ କରି ଥିଲେ ମଧ୍ୟ ଅଦ୍ୟାବଧି ତାହାକୁ ହସ୍ତାନ୍ତର କରୁନାହାନ୍ତି । ତାଛଡା ଭଦ୍ରକ ସବରେଜେଷ୍ଟ୍ରି ଅଫିସ ପରିସରକୁ ବହୁ ଭେଣ୍ଡର ଏବଂ ମୋହରୀର ଅବରୋଧ କରି ରଖିବା ଯୋଗୁ ଏହା ଅଧିକ ସଙ୍କୁଚିତ ହୋଇ ଏହି ଅବସ୍ଥା ସୃଷ୍ଟି କରିଛି । ତେବେ ଏଥିନେଇ କର୍ତ୍ତୃପକ୍ଷ ଯାହାବି ସଫେଇ ଦିଅନ୍ତୁନା କାହିଁକି ଏହାର ପରିଣତି ଭୋଗୁଛନ୍ତି ଜନ ସାଧାରଣ । ଯାହାର ସମାଧାନ କରିବା ଦାୟିତ୍ୱ କେବଳ ଜିଲ୍ଲା ପ୍ରଶାସନର ନୁହେଁ ପରନ୍ତୁ ସରକାରଙ୍କର ବୋଲି ସାଧାରଣ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.