Home ଓଡ଼ିଶା ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ : ପୃଥ୍ୱୀରାଜ ହରିଚନ୍ଦନ

ବନ୍ୟା ପରିଚାଳନାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ : ପୃଥ୍ୱୀରାଜ ହରିଚନ୍ଦନ

50

– ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ଏବଂ ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ, ସରକାରଙ୍କ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ
– ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଂଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି
– ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଂଚଳବାସୀଙ୍କ ନିକଟରେ ଅପହଂଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ
– ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆଳରେ ବ୍ୟାପକ ଅର୍ଥ ହଡପ୍ କରୁଛନ୍ତି ରାଜ୍ୟ ସରକାର
– ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି
– ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୈାଣସି ମୂଲ୍ୟ ନାହିଁ
– ୨୨ ବର୍ଷ ଶାସନରେ ଗୋଟିଏ ବି ବ୍ୟାରେଜ କିମ୍ବା ଡ୍ୟାମ ନିର୍ମାଣ କରିନଥିବା ରାଜ୍ୟ ସରକାର ସବୁବେଳେ ପଡୋଶୀ ରାଜ୍ୟକୁ ଦୋଷ ଦେଇ ନିଜ ଦାୟୀତ୍ୱରୁ ଓହରି ଯିବା ସହିତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଛନ୍ତି
– ସଚିବାଳୟରେ ପୂର୍ବ ପ୍ରସ୍ତୁତି, ଗ୍ରାଉଣ୍ଡ ଜିରୋରୁ ଫେଲ
– ଦଳୀୟ ଆଧାରରେ ପଲିଥିନ ଓ ରିଲିଫ ସାମଗ୍ରୀ ବଂଟନ କରାଯାଉଛି
– ରାଜ୍ୟବାସୀଙ୍କ ପ୍ରତି ନୈତିକତା, ଦାୟିତ୍ୱବୋଧ ଓ ଉତରଦାୟିତ୍ୱକୁ ନିର୍ବାହ କରୁନାହାନ୍ତି ରାଜ୍ୟ ସରକାର
– ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ
– ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ

ଭୁବନେଶ୍ୱର, ୨୧/୦୮ (ଓଡ଼ିଆ ପୁଅ) : ଚାରି ଦିନପରେ ବି ବନ୍ୟା ପରିଚାଳନା, ବନ୍ୟା ନିୟନ୍ତ୍ରଣ, ବନ୍ୟା ପ୍ରପିଡୀତଙ୍କୁ ସାହାଯ୍ୟ କରିବାରେ ଅସମର୍ଥ ରାଜ୍ୟ ସରକାର। ଜଳବନ୍ଦୀ ହୋଇ ରହିଥିବା ଅଧିକାଂଶ ଜାଗାରେ ପ୍ରଶାସନ ପକ୍ଷରୁ ସରକାରୀ ସହାୟତା ସାତ ସପନ ହୋଇଛି। ବନ୍ୟା ପୀଡିତ ଲୋକେ ଭଗବାନଙ୍କୁ ଭରସା କରି ଜୀବନ କାଟୁଛନ୍ତି। ବନ୍ୟାଂଚଳବାସୀଙ୍କ ପାଇଁ ରାଜ୍ୟ ସରକାର ପଲିଥିନି କି ମହମବତୀ ଯୋଗାଇ ନଥିବାବେଳେ ଖାଦ୍ୟ ପାଇଁ ଲୋକେ ଡହଳ ବିକଳ ହେଉଛନ୍ତି। ୨୨ବର୍ଷ ଶାସନରେ ଥାଇ ମଧ୍ୟ ରାଜ୍ୟ ସରକାର ବନ୍ୟା ଏବଂ ବନ୍ୟା ପରବର୍ତ୍ତୀ ପରିସ୍ଥିତି ପରିଚାଳନାରେ ଅପାରଗ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ତୃଟିପୂର୍ଣ୍ଣ ପରିଚାଳନା କାରଣରୁ ଚଳିତ ବର୍ଷ ବନ୍ୟା ସଂପୂର୍ଣ୍ଣ ଭାବେ ମନୁଷ୍ୟକୃତ ଏବଂ ଦାୟୀତ୍ୱହୀନତା କାରଣରୁ ଲକ୍ଷ ଲକ୍ଷ ଲୋକମାନେ ଆଜି ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଏହି ବନ୍ୟା ପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ବିଜେପିର ୩ଟି ଟିମ୍ ଗତ ୪ ଦିନ ହେଲାଣି ବିଭିନ୍ନ ବନ୍ୟା ଅଂଚଳକୁ ଯାଇ ବାସ୍ତବସ୍ଥିତି, ଉଦ୍ଧାର ଓ ରିଲିଫ କାର୍ଯ୍ୟର ତଦାରଖ କରୁଛନ୍ତି। ବନ୍ୟାଂଚଳବାସୀଙ୍କ ଅସହାୟତା ଅତ୍ୟନ୍ତ ଅବର୍ଣ୍ଣନୀୟ ଏବଂ ଖାଦ୍ୟ ପାଇଁ ଡହଳ ବିକଳ ହେଉଛନ୍ତି। ସରକାରୀ ରିପୋର୍ଟ ଅନୁଯାୟୀ ବର୍ତମାନ ସୁଦ୍ଧା ବନ୍ୟାରେ ୬ଜଣ ଲୋକଙ୍କ ପ୍ରାଣ ହରାଇଛନ୍ତି, ବେସରକାରୀ ତଥ୍ୟ ଅଧିକ। ବନ୍ୟାରେ ଜନସାଧାରଣଙ୍କ ବ୍ୟାପକ ଧନ ସମ୍ପତି ଓ ଫସଲ ହାନୀ ହେବା ସହିତ ବହୁ ଗୃହପାଳିତ ପଶୁ ନିଖୋଜ ଅଛନ୍ତି। ବର୍ତମାନ ସୁଦ୍ଧା ଶୁଖିଲା ଓ ରନ୍ଧା ଖାଦ୍ୟ, ମହମବତୀ, ତାରପୋଲିନ ଜରି ଆଦି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଦେବାରେ ମଧ୍ୟ ବିଫଳ ହୋଇଛନ୍ତି। ପାନୀୟ ଜଳ ଅଭାବ କାରଣରୁ ଲୋକେ ହନ୍ତସନ୍ତ ହେଉଛନ୍ତି। ବନ୍ୟା ପାଣି କାରଣରୁ ବିଷାକ୍ତ ସାପ ମଧ୍ୟ ଘର ଭିତରକୁ ପଶି ଯାଉଥିବାରୁ ବୟସ୍କ ଓ ଛୋଟ ଛୋଟ ପିଲାମାନଙ୍କ ଜୀବନ ବିପଦରେ ପଡିଛି। ବେସରକାରୀ ସଂସ୍ଥା ଓ ଅନୁଷ୍ଠାନଗୁଡିକ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ଅଗ୍ରଣୀ ଭୁମିକା ନେଉଥିବାବେଳେ ସରକାର ଓ ପ୍ରଶାସନ ବନ୍ୟାଂଚଳବାସୀଙ୍କ ନିକଟରେ ଅପହଂଚ ହୋଇ ରହିବା ଅତ୍ୟନ୍ତ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ରାଜ୍ୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟକୁ ରାଜ୍ୟ ସରକାର ଅନେଇ ବସିଛନ୍ତି। ଏହି ଆଳରେ ସୁବିଧାରେ ଅର୍ଥ ହଡପ୍ କରିବାର ସୁଯୋଗ ପାଇଯାଉଛନ୍ତି। ରାଜ୍ୟର ନଦୀବନ୍ଧ, ବାଡ ମରାମତି ପାଇଁ କେନ୍ଦ୍ର ସରକାର ପଠାଉଥିବା କୋଟି କୋଟି ଟଙ୍କାକୁ ରାଜ୍ୟ ସରକାର ଚଳୁ କରିଦେଉଛନ୍ତି। ଦଳୀୟ ଠିକାଦାରଙ୍କ ସହାୟତାରେ ଶାସକ ବିଜେଡିର ନେତା ଓ ମନ୍ତ୍ରୀ ବ୍ୟାପକ ହରି ଲୁଟ୍ କରୁଛନ୍ତି। ସେହିପରି ଅସମ୍ବେଦନଶୀଳ ରାଜ୍ୟ ସରକାରଙ୍କ ପାଖରେ ‘ଜିରୋ କାଜୁଆଲିଟି’ ଏବଂ ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ର କୈାଣସି ମୂଲ୍ୟ ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ଜଳ ସଂରକ୍ଷଣ ଏବଂ ବନ୍ୟା ଜଳ ପରିଚାଳନାରେ ଫେଲ ହେଉଥିବା ରାଜ୍ୟ ସରକାର ସବୁବେଳେ ନିଜ ଦୋଷ ଅନ୍ୟ ଉପରେ ଲଦି ଦେବାର ଅପପ୍ରୟାସ କରିଥାନ୍ତି। ୨୨ ବର୍ଷ ଶାସନରେ ଗୋଟିଏ ବି ବ୍ୟାରେଜ କିମ୍ବା ଡ୍ୟାମ ନିର୍ମାଣ କରିନଥିବା ରାଜ୍ୟ ସରକାର ସବୁବେଳେ ପଡୋଶୀ ଛତିଶଗଡ, ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶକୁ ଦୋଷ ଦେଇ ନିଜ ଦାୟୀତ୍ୱରୁ ଓହରି ଯିବା ସହିତ ରାଜ୍ୟବାସୀଙ୍କୁ ପ୍ରତାରଣା କରିଆସୁଛନ୍ତି। ହୀରାକୁଦ ଡ୍ୟାମର ଜଳଧାରଣା ଏବଂ ବନ୍ୟାଜଳ ନିଷ୍କାସନ ପରିଚାଳନା ପାଇଁ ଥିବା ସମସ୍ତ ନିୟମକୁ ଜଳାଞ୍ଜଳୀ ଦେଇ ରାଜ୍ୟ ସରକାର ମନଇଚ୍ଛା ଗେଟ୍ ଖୋଲି ଦେଉଛନ୍ତି। ବନ୍ୟା ପୂର୍ବ ପ୍ରସ୍ତୁତି ଆଳରେ ସଚିବାଳୟରେ ହେଉଥିବା ଅଧିକାରୀ ବୈଠକ ବାସ୍ତବ କ୍ଷେତ୍ରରେ ସଂପୂର୍ଣ୍ଣ ଓଲଟା। ଉପରମୁଣ୍ଡରେ ଥିବା ପଡୋଶୀ ରାଜ୍ୟ ସରକାରଙ୍କ ସହ କୈାଣସି ଆଲୋଚନା କରାଯାଉନାହିଁ। ମହାନଦୀ ବେସିନରେ ସୃଷ୍ଟି ହୋଇଥିବା ବନ୍ୟା ସଂପର୍କରେ ରାଜ୍ୟ ସରକାର ସଂପୂର୍ଣ୍ଣ ଅବଗତ ଥିବା ସତ୍ୱେ କାହିଁକି ବିହୀତ ପଦକ୍ଷେପ ଗ୍ରହଣ କଲେ ନାହିଁ ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ବନ୍ୟା ହେବାର ୪ଦିନ ପରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ କୈାଣସି ରିଲିଫ ଦିଆଯାଇନଥିଲା। ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବନ୍ୟାଂଚଳ ପରିଦର୍ଶନ କରିବା ପରେ ବିଳମ୍ବରେ ରିଲିଫ ଯୋଗାଇ ଦେବାର ଘୋଷଣା କଲେ, କିନ୍ତୁ ବର୍ତମାନ ସୁଦ୍ଧା ବହୁ ଅଂଚଳରେ ରିଲିଫ ସାମଗ୍ରୀ ପହଂଚିନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀ ଘରଟିଏ ନପାଇ ଖୋଲା ଆକାଶ ତଳେ ବର୍ଷା ପାଣି ଏବଂ ବନ୍ୟା ପାଣିରେ ରହୁଛି। ଦଳୀୟ ଆଧାରରେ ପଲିଥିନ ଓ ରିଲିଫ ସାମଗ୍ରୀ ବଂଟନ କରାଯାଉଛି। ରାଜ୍ୟବାସୀଙ୍କ ପ୍ରତି ନୈତିକତା, ଦାୟିତ୍ୱବୋଧ ଓ ଉତରଦାୟିତ୍ୱକୁ ନିର୍ବାହ କରୁନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ବର୍ଷଦିନ ଆରମ୍ଭରୁ ନଦୀବନ୍ଧ ମରାମତି ଦାୟିତ୍ୱ ଜଳସମ୍ପଦ ବିଭାଗ ନେବା କଥା କିନ୍ତୁ କୌଣସି କାର୍ଯ୍ୟ ହୋଇନାହିଁ। ବନ୍ୟା ପାଇଁ ଜଳସମ୍ପଦ ବିଭାଗ ଓ ରାଜ୍ୟ ସରକାର ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ ଏବଂ ଏଥି ପାଇଁ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ। ବନ୍ୟା ପରିଚାଳନା ପାଇଁ ଦୀର୍ଘସୁତ୍ରୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାର ଏହାକୁ ରାଜ୍ୟବାସୀଙ୍କ ଆଗରେ ଉପସ୍ଥାପନା କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି। ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଶ୍ରୀ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.