Home ଜିଲ୍ଲା ପରିକ୍ରମା ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ଲୁଟ୍ ଘଟଣା, ୨ ଲୁଟେରା ଗିରଫ, ମୋବାଇଲ, ବାଇକ୍...

ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ ଲୁଟ୍ ଘଟଣା, ୨ ଲୁଟେରା ଗିରଫ, ମୋବାଇଲ, ବାଇକ୍ ଓ ଟଙ୍କା ଜବତ

18

ଭଦ୍ରକ, ୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟ ନିକଟ ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ଏୟୁ ଫାଇନାନ୍ସ ବ୍ୟାଙ୍କରୁ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଦୁର୍ବତ ମାନେ ୭ଲକ୍ଷରୁ ଅଧିକ ଟଙ୍କା ଲୁଟ କରି ନେଇଥିବା ଅଭିଯୋଗ ହୋଇଥିଲା। ତିହିଡ଼ି ପୁଲିସ ଏହି ଘଟଣାରେ ରବିବାର ଫୁଲବାଣି ଜିଲା ଅଧୀନ ଜାମୁଝରି ଗ୍ରାମର ଅନୀଲ କୁମାର ବେହେରା ଓ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନ ତଳାଙ୍ଗ ଗ୍ରାମର ପ୍ରହଲ୍ଲାଦ ରାଉତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୪ଟି ମୋବାଇଲ, ଗୋଟିଏ ବାଇକ୍ ଓ ୨ହଜାର ଟଙ୍କା ଜବତ କରିଥିବା ଜଣା ପଡ଼ିଛି। ପ୍ରକାଶ ଯେ, ବ୍ୟାଙ୍କର ପୂର୍ବତନ କର୍ମଚାରୀ ପ୍ରହଲ୍ଲାଦ ରାଉତଙ୍କ ସୂଚନା ମୁତାବକ ଅନୀଲ ବେହେରା ଓ ତାଙ୍କର ୩ ସହଯୋଗୀ ଗତ ଜୁନ୍ ମାସ ୧୧ ତାରିଖ ରାତି ୯ଟା ସମୟରେ ବନ୍ଧୁକ ସହିତ ବିଭିନ୍ନ ମାରଣାସ୍ତ୍ର ଧରି ମୁହଁରେ କଳା କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପଶି ବ୍ୟାଙ୍କ କର୍ମଚାରୀମାନଙ୍କୁ ଭୟଭୀତ କରି ୭ଲକ୍ଷ ୫୫ହଜାର ଟଙ୍କା ଲୁଟି ନେଇଥିଲେ। ପରେ ବ୍ୟାଙ୍କ ଶାଖା ପରିଚାଳକ ମଳୟ କୁମାର ସାହୁ ଥାନାରେ ଏତଲା ଦେବା ପରେ କେଶ ନଂ ୨୦୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ପରେ ଏସପି ମନୋଜ କୁମାର ରାଉତ ମଧ୍ୟ ଘଟଣାସ୍ଥଳକୁ ଆସି ଅନୁଧ୍ୟାନ କରିବା ସହ ସାଇଂଟିଫିକ୍ ଟିମ୍ ତଦନ୍ତ କରିଥିଲେ। ଏସପି ଶ୍ରୀ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତିହିଡ଼ି ଥାନା ଆଇଆଇସି ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ଓ ଅନ୍ୟ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ କରାଯାଉଥିଲା। ଲୁଟ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଆଇଆଇସି ଶ୍ରୀ ଗ୍ରହାଚାର୍ଯ୍ୟ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.