ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶାଶୁଘରର ନିର୍ଯାତନା ସହି ନ ପାରି ବୋହୂ ଜୀବନ ହାରିବା ମାମଲାର ବିଚାର କରି ଭଦ୍ରକ ସ୍ପେଶାଲ ଟ୍ରାକ କୋର୍ଟର ବିଚାରପତି ଜ୍ୟୋତି ରଞ୍ଜନ ଦାଶ ଅଭିଯୁକ୍ତ ସ୍ୱାମୀ ସମେତ ଶାଶୁ-ଶ୍ୱଶୁରକୁ ୩ ବର୍ଷ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଆର୍ଥିକ ଜରିମାନା କରିଛନ୍ତି। ବାଂଶଡ଼ା ଥାନା ଅନ୍ତର୍ଗତ ଗୋପୀନାଥପୁର ଗ୍ରାମର କମଳାକାନ୍ତ ଯେନା ତିହିଡ଼ି ଥାନା ଅନ୍ତର୍ଗତ ଦୋଳସାହି ଗ୍ରାମର ବିଦ୍ୟାଧର ଜେନାଙ୍କ କନ୍ୟା ଦୀପାଙ୍କୁ ୨୦୧୬ ମସିହାରେ ବିବାହ କରିଥିଲେ। ବିବାହ ପରେ ଶାଶୁଘର ଲୋକ ଅଧିକ ଯୌତୁକ ଦାବି କରି ମାରଧର କରିବା ସହ ଦୀପାଙ୍କ ଚରିତ୍ରକୁ ନେଇ ସନ୍ଦେହ ପ୍ରକଟ କରି ନାନା ଆକ୍ଷେପ କରୁଥିଲେ। ଶାଶୁଘରର ଲୋକଙ୍କ ଏଭଳି ନିର୍ଯାତନା ସହି ନ ପାରି ଦୀପା ୨୦୨୩ ମସିହା ମେ୨ ତାରିଖରେ ଆତ୍ମହତ୍ୟା କରିଥିଲେ। ଏ ନେଇ ତାଙ୍କ ଭାଇ ସଞ୍ଜୟ ବାଂଶଡ଼ା ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୫୪/୨୩ କେସ୍ ନମ୍ବର ମୂଳେ ଏକ ମାମଲା ରୁଜ କରିଥିଲା। ପରେ ଏହି ମାମଲାରେ ସ୍ୱାମୀ କମଳାକାନ୍ତ, ଶ୍ୱଶୁର ରବୀନ୍ଦ୍ର ଯେନା ଓ ଶାଶୁ ମାଳତୀଙ୍କୁ ଗିରଫ ଜେଲ ପଠାଇଥିଲା। ଏହି ମାମଲାର ଚାର୍ଜସିଟ ଦାଖଲ ହୋଇ ଏହା ସ୍ପେଶାଲ ଟ୍ରାକ୍ରେ ବିଚାର ପାଇଁ ଗ୍ରହଣ ହୋଇଥିଲା। ସବୁ ସାକ୍ଷ୍ୟ ପ୍ରମାଣକୁ ଭିଭିକରି ସମ୍ପୃକ୍ତ କୋର୍ଟ ଦୋଷୀମାନଙ୍କୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ୩ ମାସ ଅଧିକ ଜେଲ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି। ଏହି ମକଦ୍ଦମାକୁ ଆଡିସିନାଲ ପିପି ଜିତେନ୍ଦ୍ର ପଣ୍ଡା ଓ ଅତିଶ ବେହେରା ପରିଚାଳନା କରିଥିଲେ।






