ଭୁବନେଶ୍ୱର ୨୩-୪ (ଓଡ଼ିଆ ପୁଅ) : କରୋନା କଟକଣା ଏବଂ ଗ୍ରୀଷ୍ମକୁ ନେଇ ବ୍ୟାଙ୍କ ସମୟ ପରିବର୍ତ୍ତନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ। ଭୁବନେଶ୍ବର, କଟକ, ପୁରୀ, ଛତ୍ରପୁର, ବ୍ରହ୍ମପୁର ଓ କୋରାପୁଟ ସହର ବ୍ୟତୀତ ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ ଥିବା ଅନ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲାରହିବ। ଏସବୁ ବ୍ୟାଙ୍କଗୁଡ଼ିକରେ ଗ୍ରାହକ ସେବା ସକାଳ ୮ଟାରୁ ଗୋଟାଏ ପର୍ଯ୍ୟନ୍ତ ଚାଲିବ। ଲକଡାଉନ ଏବଂ ଗ୍ରୀଷ୍ମପ୍ରବାହ ପାଇଁ ଉପଭୋକ୍ତାଙ୍କ ସୁବିଧା ନିମନ୍ତେ ବ୍ୟାଙ୍କ କାର୍ଯ୍ୟ ସକାଳୁଆ କରାଯିବାକୁ ସ୍ଥିର ହୋଇଛି। ଲକଡାଉନ ଅବଧି ଶେଷ ପର୍ଯ୍ୟନ୍ତ ଏହି ନିର୍ଦେଶ ବଳବତ୍ତର ରହିବ।
ଏହି ସମୟରେ ସମସ୍ତ ବ୍ୟାଙ୍କଗୁଡ଼ିକ ପକ୍ଷରୁ ସାମାଜିକ ଦୂରତାକୁ କଡ଼ାକଡ଼ି ଭାବେ ପାଳନ କରିବା ନିମନ୍ତେ ପୂର୍ବରୁ ଦିଆଯାଇଥିବା ନିର୍ଦେଶ ଅପରିବର୍ତ୍ତିତ ରଖାଯାଇଛି। ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ର ଧାରା ୨୨ରେ ଥିବା ବ୍ୟବସ୍ଥା ଅନୁସାରେ ରାଜ୍ୟ କାର୍ଯ୍ୟନିର୍ବାହୀ କମିଟି ପକ୍ଷରୁ ଏହି ନିର୍ଦେଶନାମା ଜାରି କରାଯାଇଛି।
ଗ୍ରୀଷ୍ମପ୍ରବାହ ବଢ଼ିଥିବାରୁ ଉପଭୋକ୍ତାଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବା ସମସ୍ତ ବ୍ୟାଙ୍କଗୁଡ଼ିକର କାର୍ଯ୍ୟ ସମୟରେ ପରିବର୍ତ୍ତନ କରାଯାଇ ସକାଳୁଆ କରିବାକୁ ନିଷ୍ପତ୍ତି ହୋଇଛି। ସକାଳେ ବ୍ୟାଙ୍କ ଖୋଲାଯିବା ଦ୍ବାରା ବ୍ୟାଙ୍କ ପରିସରରେ ପ୍ରବଳ ଭିଡ଼କୁ ଏଡ଼ାଇଦିଆଯିବା ସହିତ ସାମାଜିକ ଦୂରତା ରକ୍ଷା ସମ୍ଭବ ହୋଇପାରିବ।
ତେଣୁ ଗ୍ରାହକମାନେ ଏ ନେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ବ୍ୟାଙ୍କକୁ ଆସି ସମାଜିକ ଦୂରତା ରକ୍ଷା କରି କାମ ସାରି ଯିବାକୁ ସବୁ ବ୍ୟାଙ୍କ ପକ୍ଷରୁ ଅନୁରୋଧ କରାଯାଇଛି।