Home ଜିଲ୍ଲା ପରିକ୍ରମା ବଦଳିବ ଭଦ୍ରକ ବସଷ୍ଟାଣ୍ଡର ରୂପରେଖ, ବିଧାୟକ ଉଦ୍ୟମରେ ୨.୮୩ କୋଟି ମଞ୍ଜୁର

ବଦଳିବ ଭଦ୍ରକ ବସଷ୍ଟାଣ୍ଡର ରୂପରେଖ, ବିଧାୟକ ଉଦ୍ୟମରେ ୨.୮୩ କୋଟି ମଞ୍ଜୁର

103

ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ନୂଆ ବସଷ୍ଟାଣ୍ଡ ନୂଆ ରୂପ ପାଇବ । ଏହାର ଉନ୍ନତିକରଣ ପାଇଁ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଉଦ୍ୟମରେ ୨କୋଟି ୮୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବିଧାୟକ ନ୍ୟୁ ଭୁବନେଶ୍ୱରସ୍ଥିତ ଏକ ଆର୍କିଟେକ୍ଟ ସଂସ୍ଥାର ଅଧିକାରୀଙ୍କୁ ନେଇ ବସଷ୍ଟାଣ୍ଡର ରୂପରେଖ ପ୍ରସ୍ତୁତ କରିଛନ୍ତି । ଖୁବଶୀଘ୍ର ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହେବ ଓ ବସଷ୍ଟାଣ୍ଡର ନବ କଳେବର ହେବ ବୋଲି ଭଦ୍ରକବାସୀ ଆଶାପ୍ରକଟ କରିଛନ୍ତି । ସୂଚନାଯୋଗ୍ୟ ଭଦ୍ରକ ଜିଲ୍ଲାର ମାନ୍ୟତା ପାଇବା ପରେ ସହରର କଳେବର ମଧ୍ୟ ବୃଦ୍ଧିପାଇଥିଲା । ଆନୁପାତିକ ରୀତିରେ ଲୋକ ସଂଖ୍ୟା ଓ ଯାନବାହାନ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଥିଲା । ତେଣୁ ପୂର୍ବରୁ କଚେରୀ ବଜାର ଠାରେ ଥିବା ବସଷ୍ଟାଣ୍ଡକୁ ସ୍ଥାନାନ୍ତର କରିବାର ପ୍ରଚେଷ୍ଟା ପ୍ରଶାସନ ପକ୍ଷରୁ ଆରମ୍ଭ ହେଲା । କିଛି ବର୍ଷ ଅପର୍ତ୍ତିବିନ୍ଧା ଛକ ଠାରେ ସମସ୍ତ ବସ ରହି ଯାତ୍ରୀନେବା ଆଣିବା କରୁଥିଲେ । ପରେ ଏହା ବନ୍ତ ଛକକୁ ସ୍ଥାନାନ୍ତର ହେଲା । ମାତ୍ର ଏକ ସ୍ଥାୟୀ ବସଷ୍ଟାଣ୍ଡ ପାଇଁ ଭଦ୍ରକ ପୈାରପାଳିକା ପକ୍ଷରୁ ୫ ନଂ ଜାତୀୟ ରାଜପଥ ପାଶ୍ୱର୍ସ୍ଥ ମଠସାହି ଅଞ୍ଚଳରେ ରାଜ୍ୟ ପରିବହନ ବିଭାଗର ୧ଏକର ୫୮ ଡିସିମିଲ ଓ ରାଜସ୍ୱ ବିଭାଗର ୨ଏକର ୪୧ ଡିସିମିଲ ସହ ମୋଟ ୩ ଏକର ୯୯ ଡିସିମିଲ ପରିମିତ ଜମି ଉପରେ ଏହା ନିର୍ମିତ ହେଲା । ଏଥିପାଇଁ ଉଭୟ ରାଜ୍ୟସଭା ଏବଂ ଲୋକସଭା ସାଂସଦଙ୍କ ପାଣ୍ଠିରୁ ୭୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚରେ ହୋଇଥିଲା । ଏହି ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡକୁ ୨୦୦୫ରେ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ । ବସ ରହିବା ପାଇଁ ଟର୍ମିନାଲ, ଅତ୍ୟାଧୁନିକ ଯାତ୍ରୀ ବିଶ୍ରାମାଗାର ଏଠାରେ ନିର୍ମାଣ ହେବା ସହ ବହୁ ଦୋକାନ ଘର ମଧ୍ୟ ଗଢ଼ି ଉଠିଲା । ଏପରି ଭିତ୍ତିଭୂମୀ ପରେ ମଧ୍ୟ ଉକ୍ତ ବସଷ୍ଟାଣ୍ଡ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କାର୍ଯକ୍ଷମ ହୋଇ ପାରିଲା ନାହିଁ ।

ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ତତ୍କାଳୀନ ସାଂସଦ ଅନଶନ କରିବାର ଧମକ ଦେବାପରେ ୨୦୧୦ ଜାନୁୟାରୀ ୨୬ ତାରିଖରେ ଏହି ବସ୍‌ଷ୍ଟାଣ୍ଡଟିକୁ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍‌ଘାଟନ କରା ଯାଇଥିଲା । ହେଲେ ଏହା ବହୁ ଆଡମ୍ବର ଲଘୁକ୍ରିୟାରେ ପରିଣତ ହୋଇଥିଲା । ତେବେ ସେହି ଦିନଠାରୁ କେବଳ ଧର୍ମକୁ ଆଖିଠାର ସଦୃଶ ଏହା କାର୍ଯ୍ୟକ୍ଷମ ହୋଇଛି । କେବଳ ବସ ଗୁଡ଼ିକ ଗୋଟିଏ ପଟେ ପ୍ରବେଶ କରି ମାତ୍ର ୨ମିନିଟ ମଧ୍ୟରେ ନିଜ ଗନ୍ତବ୍ୟସ୍ଥଳକୁ ପଳାଇ ଯାଉଛନ୍ତି । ଅପରପକ୍ଷେ ତତ୍କାଳୀନ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅରବିନ୍ଦ ପାଢ଼ୀ ଭଦ୍ରକ ଗସ୍ତ ସମୟରେ ସହରର ଅବ୍ୟବସ୍ଥିତ ସ୍ଥିତିକୁ ଦେଖି ନୂତନ ବସଷ୍ଟାଣ୍ଡକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ମଧ୍ୟ ଆନୁସଙ୍ଗିକ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏହାକୁ ନେଇ ବସ ମାଲିକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପଇଥିଲେ ମଧ୍ୟ ସେମାନେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଥିଲେ । ବହୁ ବର୍ଷହେବ ବସଷ୍ଟାଣ୍ଡ ଭାବେ ବ୍ୟବହାର ହେଉଥିବା ବନ୍ତ ଛକକୁ ବସ-ବେ ଭାବେ ବ୍ୟବହାର କରିବାକୁ ପ୍ରଶାସନକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରଶାସନିକ ସ୍ଥାଣୁତା ପାଇଁ ଆରଡ଼ିସି ଶ୍ରୀ ପାଢ଼ୀଙ୍କ ସେହି ନିର୍ଦ୍ଦେଶ ପାଣିର ଗାର ହୋଇ ରହିଗଲା । ତେଣୁ ପୂର୍ବବତ୍ ବନ୍ତ ଛକ ସ୍ଥାୟୀ ବସଷ୍ଟାଣ୍ଡ ଭାବେ କାର୍ଯ୍ୟକରୁଥିବାବେଳେ ନୂତନ ବସଷ୍ଟାଣ୍ଡ ନାମକୁ ମାତ୍ର ଚାଲିଛି । ତେବେ କୋଟିକୋଟି ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସଷ୍ଟାଣ୍ଡ ଏବେ ଗାଡି ଗ୍ୟାରେଜରେ ପରିଣତ ହୋଇଛି । ଆଉ କେତେକ ବସ ରାତିରେ ଏଠାରେ ରହୁଛନ୍ତି । ବସ ଷ୍ଟାଣ୍ଡ ପରିସରର ବହୁ ଅଂଶ କେତେକ ବାଲି ମାଫିଆଙ୍କ ଷ୍ଟକ୍‌ୟାର୍ଡ ପାଲଟିଛି । ସେଠାରେ ଥିବା ଯାତ୍ରୀ ବିଶ୍ରାମାଗାର ଭୂତକୋଠିରେ ପରିଣତ ହୋଇଛି । ଅନ୍ୟ ପଟେ ଏହି ବସଷ୍ଟାଣ୍ଡର ଭିତ୍ତିଭୂମୀକୁ ଆହୁରି ସୁଦୃଢ଼ କରିବାକୁ ପୌର କର୍ତ୍ତୃପକ୍ଷ ବହୁ ଅର୍ଥ ଖର୍ଚ୍ଚ କରି ଚାଲିଛନ୍ତି । ଯାହାକି କାମରେ ଆସୁ ନାହିଁ । ଏପରିପ୍ରେକ୍ଷୀରେ ବସଷ୍ଟାଣ୍ଡର ଉନ୍ନତିକରଣ ପାଇଁ ବିଧାୟକଙ୍କ ଉଦ୍ୟମ ପ୍ରଶଂସାଯୋଗ୍ୟ ବୋଲି୍ୱତପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.