Home ଜିଲ୍ଲା ପରିକ୍ରମା ବଡ଼ ସରକାର ବାବାଙ୍କ ୧୦ମ ବାର୍ଷିକ “ଫାତେହା” ଓ “ମୁଶାଏରା ସମାରୋହ”, ପ୍ରବଳ ବର୍ଷା ସତ୍ୱେ...

ବଡ଼ ସରକାର ବାବାଙ୍କ ୧୦ମ ବାର୍ଷିକ “ଫାତେହା” ଓ “ମୁଶାଏରା ସମାରୋହ”, ପ୍ରବଳ ବର୍ଷା ସତ୍ୱେ ଲକ୍ଷାଧିକ ଭକ୍ତଙ୍କ ସମାଗମ

81

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବାଇପାସ ରୋଡ଼ସ୍ଥିତ ସରକାର ନଗର ଖାନକାହ ପରିସରରେ ଗୁଲସନେ-ଗୌଷପାକ୍ ଟ୍ରଷ୍ଟର ସଭାପତି ହାଫିଜ ହାଜି ଶେଖ ମହମ୍ମଦ ଇସହାକ ଓ ସଂପାଦକ ଶେଖ ଅତା ମୋହିଉଦ୍ଦିନ ଏବଂ ଟ୍ରଷ୍ଟର ବରିଷ୍ଠ ସଭ୍ୟ ମିର୍ଜା ସଇଫୁଦ୍ଦିନ ବେଗ, ମୁଲ୍ଲା ମହମ୍ମଦ ଫୁରକାନ, ମୁଲ୍ଲା ଫଜଲେ ହକ୍ ଓ କମିଟିର ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ସିଦ୍ଧ ପୁରୁଷ ସୈୟଦ ଶାହା ନସିମ ଅଖତର କାଦରୀ ଓରଫ ହଜରତ ବଡ଼ ସରକାର ବାବାଙ୍କ ଦଶମ ବାର୍ଷିକ “ଫାତେହା” ଉତ୍ସବ ପାଳିତ ହୋଇଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମୁମ୍ବାଇ, ଦିଲ୍ଲି, ହାଇଦ୍ରାବାଦ, ଆହ୍ଲାବାଦ, କାଶ୍ମୀର, ବିହାର, କଲିକତା ସହିତ ଅନ୍ୟାନ୍ୟ ରାଜ୍ୟରୁ ମଧ୍ୟ ଅନୁଗାମୀ ବାବାଙ୍କ ଭକ୍ତମାନେ ଏହି ଉତ୍ସବରେ ପ୍ରବଳ ବର୍ଷାକୁ ଖାତିର ନକରି ଯୋଗ ଦେଇଥିଲେ। ଏହି ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲେ ମଧ୍ୟ ପ୍ରତ୍ୟେକ ଭକ୍ତ ସଦଭାବନାର ପ୍ରତୀକ ଓ ଭାଇଚାରାକୁ ବଜାୟ ରଖି ଶାନ୍ତି ଶୃଙ୍ଖଳା ସହିତ ଉତ୍ସବକୁ ସଫଳ କରିଥିଲେ। ଉତ୍ସବର ପୂର୍ବ ଦିନ ଅପରାହ୍ନ ୪ ରୁ ରାତ୍ରି ୧୦ ଘଟିକା ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଗୁଲସନେ ଗୌଷପାକ୍ ଖାନକାହଠାରେ ଶିରିଣୀ (ଭୋଗ) ପାଇଁ ଫଳ ସାମଗ୍ରୀ ଆଣି ଦେଇଥିଲେ। ରାତ୍ରି ୧୧ ଘଟିକା ଠାରୁ ଫଳ କଟା ଆରମ୍ଭ ହୋଇଥିଲା। ଅର୍ଦ୍ଧ ରାତ୍ରିରୁ ବାବାଙ୍କ ମଜାର (ସମାଧି) ପୀଠରେ ଜଳ ଲାଗି (ସ୍ନାନ) ଗୋସଲଖାନୀ କରି କମିଟି ତରଫରୁ ଚାଦର ଚଢ଼ା ଯାଇଥିଲା। ମଙ୍ଗଳବାର ସକାଳ ନମାଜ ପାଠ ସାରି କୁରଆନ ଖାନୀ, ମିଲାଦ ସରିଫ ଏବଂ ଫାତେହା ଉତ୍ସବ ହୋଇଥିଲା। ଫାତେହା ସରିଲା ପରେ ସମସ୍ତ ଭକ୍ତଙ୍କୁ ଫଳ ବଂଟନ କରାଯାଇଥିଲା। ଏହି ଉତ୍ସବରେ ପ୍ରତ୍ୟେକ ଧର୍ମର ଅନୁଗାମୀ ଭକ୍ତମାନେ ଆସି ବାବାଙ୍କୁ ଦର୍ଶନ କରିଛନ୍ତି। ଏଠି କୌଣସି ଭେଦଭାବ ରହେ ନାହିଁ ଏବଂ ଏହି ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଯୋଗଦାନ କରି ଦର୍ଶନ କରିଥିଲେ। ସକାଳ ଠୁ ଅର୍ଦ୍ଧରାତ୍ରି ପର୍ଯ୍ୟନ୍ତ ବାବାଙ୍କ ଭକ୍ତମାନେ ଚାଦର ଶୋଭାଯାତ୍ରା କରି ଚାଦର ଚଢ଼ାଇଥିଲେ।

ଏହି ଉତ୍ସବରେ ଖାନକାହ ଠାରେ ରଙ୍ଗ ବେରଙ୍ଗର ଆଲୋକ ସଜ୍ଜା ସହ ଆକର୍ଷଣୀୟ ଗେଟ ମଧ୍ୟ କରାଯାଇଥିଲା ଓ ଶହ ଶହ ଦୋକାନର ମେଳା ଲାଗି ରହିଥିଲା ଏବଂ ଅନୁଗାମୀ ଭକ୍ତଙ୍କ ପାଇଁ ମାଗଣା ଚାହା ଷ୍ଟଲ ଖୋଲା ଯାଇଥିଲା। ଖାନକାହ ପରିସର ବାହାରେ ଗୁଲସନେ ନସିମ ଠାରେ କାଦରୀ ବିରାଦରାନ କମିଟି ପକ୍ଷରୁ ଉର୍ଷେ କାଦରିଆ ପାଳନ ଅବସରରେ ଭକ୍ତମାନଙ୍କ ପାଇଁ ଲଙ୍ଗର (ଖାଇବା)ର ବ୍ୟବସ୍ଥା କରାଯାଇଥିଲା ଏବଂ ୭ ଘଟିକାଠାରୁ ମୁଶାଏରା ର ଆୟୋଜନ କରାଯାଇଥିଲା। ଏହି ମୁଶାଏରାରେ ସଭାପତି ଶେଖ ହବିବୁଲ୍ଲା, ସଂପାଦକ ଅଖତର ଅଲି ଖାନ ଓ ଓଡ଼ିଶାର ସୁପ୍ରସିଦ୍ଧ କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ଆରମ୍ଭ ହୋଇଥିଲା। ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କିଛୋଛା ଶରିଫ ରୁ ମୌଲାନା ସୈୟଦ କାଶିମ ଅସରଫ ଏବଂ ମୌଲାନା ସୈୟଦ ତଲହା ଅସରଫ ସହିତ ଭାରତର ବିଭିନ୍ନ ରାଜ୍ୟରୁ ୩୦ ରୁ ଉର୍ଦ୍ଧ ପଣ୍ଡିତ ଓ କବିମାନେ ଯୋଗଦାନ କରି ସରକାର ବାବାଙ୍କ ନିତିବାଣୀ ଉପରେ ଆଲୋକପାତ କରିଥିଲେ। ଏହି ଧର୍ମସଭାକୁ ଶେଖ କମିରୁଦ୍ଦିନ, ଶେଖ ଅଖତର, ମୁଖତାର ନସିମ ଖାନ, ଶେଖ ସବ୍‌ବିର, ଜାୱେଦ ଅଖତର, ଶେଖ ଅବୁକଲାମ, ନିୟାଜ ଅଖତର, ନାୟାବ କାଦରୀ, ସହେରୟାର ଆଦିଲ କାଦରି, ଶେଖ ସିରାଜୁଦ୍ଦିନ, ଶେଖ ସାହାଜାହାନ ଓ ଅବଦୁଲ ରହେମାନ ଖାନ ପ୍ରମୁଖ ସଭ୍ୟବୃନ୍ଦ ମୁଶାଏରା ଉତ୍ସବକୁ ପରିଚାଳନା ସହିତ ଅନୁଗାମୀ ସମସ୍ତ ଭକ୍ତମାନଙ୍କ ପାଇଁ ସୁବ୍ୟବସ୍ଥା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.