Home ଜିଲ୍ଲା ପରିକ୍ରମା ବଜ୍ରପାତ ସତର୍କତା ଅବଲମ୍ବନ କରିବା ଜରୁରୀ, ବଜ୍ରରେ ଦୁଇଦିନରେ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ

ବଜ୍ରପାତ ସତର୍କତା ଅବଲମ୍ବନ କରିବା ଜରୁରୀ, ବଜ୍ରରେ ଦୁଇଦିନରେ ଜିଲ୍ଲାରେ ୩ଜଣଙ୍କ ମୃତ୍ୟୁ

26

ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଜ୍ରପାତ ବିପତି ଦିନକୁ ଦିନ ଅଧିକ ଘାତକ ସାବ୍ୟସ୍ତ ହେଉଥିବାରୁ ମୃତାହତ ସଂଖ୍ୟା ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି । ବଜ୍ରପାତର ଶିକାର ହୋଇ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଝଡ଼ିପଡ଼ୁଛି । ଏଥିପାଇଁ ବଜ୍ରପାତ ଭଳି ଭୟଙ୍କର ଆକସ୍ମିକ ବିପର୍ଯ୍ୟୟରୁ ଜୀବନ ବଂଚାଇବା ପାଇଁ ଓଡ଼ିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ଜରିଆରେ ଜାରି କରାଯାଇଥିବା ସତର୍କତା ସବୁକୁ ଅନୁପାଳନ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ୍ ରାଉତରାଏ ଜିଲ୍ଲାବାସୀଙ୍କୁ ନିବଦେନ କରିଛନ୍ତି । ଘଡ଼ଘଡ଼ି ଶବ୍ଦ ଶୁଣିଲାମାତ୍ରେ ଖୋଲା ସ୍ଥାନରୁ ଯଥାଶୀଘ୍ର କୌଣସି ପକ୍କାଘର ଭିତରକୁ ଯିବା ଏବଂ ଘର ଭିତରେ ଝରକା, କବାଟ, କାନ୍ଥକୁ ଛାଡ଼ି ରହିବା । ପୋଖରୀ ବା ଜଳାଶୟ ନିଟକରେ ରହିବା ନାହିଁ । ପାଣି ଭିତରେ ବା ଡ଼ଙ୍ଗାରେ ଥିଲେ ଯଥାଶୀଘ୍ର କୂଳକୁ ଆସି ନିରାପଦସ୍ଥାନକୁ ଯିବା । ବଜ୍ରପାତର ସମ୍ଭାବନା ଦେଖାଗଲେ ଗୃହପାଳିତ ପଶୁମାନଙ୍କୁ ବାହାରେ ନଛାଡ଼ି ଘର ଭିତରେ ରଖିବା, ଗାଡ଼ି ଚଳାଉଥିଲେ, ଆସ୍ତେ ଚଳାଇବା । ଗଛ କିମ୍ବା ବିଦ୍ୟୁତ ତାର ଓ ଖୁଂଟ ଠାରୁ ଯଥା ସମ୍ଭବ ଦୂରରେ ରହିବା । ମୋଟା ଚଦର ଛାତ ଥିବା ଗାଡ଼ି ବସ୍ ବା କାର ଆଦି ଯାନ ନିରାପଦ ଅଟେ । ନିରାପଦ ଆଶ୍ରୟସ୍ଥଳୀ ଠାରୁ ଦୂରରେ ଥିଲେ ଖାଲୁଆ ଜାଗା ଦେଖି ଯାକିଜୁକି ହୋଇ ରହିବା । ମୁଣ୍ଡ ଓ ଦେହରୁ ଧାତୁ ତିଆରି ଜନିଷକୁ ଅଲଗା କରିଦେବା, ନିଜେ ଯଥାସାଧ୍ୟ କମ୍ ଉଚ୍ଚତାରେ ରହିବା । ମୁଣ୍ଡବାଳ ଠିଆ ଠିଆ ହୋଇଗଲେ କିମ୍ବା ପାଖ ପଥର ଆଦିରୁ ପ୍ରତିଫଳିତ ଶବ୍ଦ କାନକୁ ଶୁଭିଲେ ସେ ସ୍ଥାନ ଛାଡ଼ି ତୁରନ୍ତ ଚାଲିଯିବା । ବଜ୍ରପାତ ସମୟରେ ଏହି ସବୁ ସତର୍କତା ଅବଲମ୍ବନ କରିବାକୁ ଥିବାବେଳେ ଆଉ କେତେକ କାର୍ଯ୍ୟ ନକରିବାକୁ ମଧ୍ୟ କୁହାଯାଇଛି । ବିଦ୍ୟୁତ ଚାଳିତ ଉପକରଣ ଏବଂ ତାରଯୁକ୍ତ ଟେଲିଫୋନ୍ କିମ୍ବା ମୋବାଇଲ୍ ଫୋନ୍ ବ୍ୟବହାର କରିବା ନାହିଁ । ଖୋଲା ଘର ବା ତମ୍ବୁ ତଳେ ଆଶ୍ରୟ ବଜ୍ର ସମୟରେ ନିରାପଦ ନୁହେଁ । ଗଛ ତଳେ ବା ବୁଦା ନିକଟରେ ଆଶ୍ରୟ ନେବା ନାହିଁ । ଘଡ଼ଘଡ଼ି ମାରୁଥିବା ସମୟରେ ଗୁଡ଼ି ଉଡ଼ାଇବା ନାହିଁ । ହାତରେ ମାଛଧରା ବନିଶୀ, ଲୁହାବେଂଟ ଛତା ବା ଲୁହାଛଡ଼ ଧରିବା ନାହିଁ । କୌଣସି ଧାତୁ ତିଆରି ଜନିଷକୁ ଛୁଇଁବା ନାହିଁ । ଲୁହା ଖମ୍ବ, ଲୁହାଛଡ଼, ଲୁଗା ଶୁଖାଇବା ତାର ଠାରୁ ଦୂରେଇ ରହିବା । ସାଇକେଲ ଚଲାଇବା ନାହିଁ କି ଖୋଲାଗାଡ଼ିରେ ବୁଲିବା ନାହିଁ । ଗୃହପାଳିତ ପଶୁମାନଙ୍କୁ କୌଣସି ଧାତବ ପଦାର୍ଥରେ ବାନ୍ଧି ରଖିବା ନାହିଁ । ବଜ୍ରପାତ ସମୟରେ ଆମ ଯଦି ଘର ବାହାରେ ଥିବା ଏବଂ ନିଜକୁ ଅସୁରକ୍ଷିତ ମଣୁଥିବା ତେବେ ଯଥାଶୀଘ୍ର ନଇଁପଡ଼ି ଆଣ୍ଠୁ ବଙ୍କା କରି ଆଗକୁ ଝୁଙ୍କି ବସି ପଡ଼ିବା । କେବେହେଲେ ମଧ୍ୟ ଭୂମିରେ ଚିତ୍ ହୋଇ ଶୋଇବା ନାହିଁ । ସୂଚନାଯୋଗ୍ୟକି ଭଦ୍ରକ ଜିଲ୍ଲାରେ ଗତ ୧୭ ତାରିଖରେ ୨ଜଣ ଓ ୧୮ ତାରିଖରେ ଜଣେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ବରଣ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.